ଚତୁର୍ଥ ପାଳିରେ ନୀତିଶ

ବିହାର ରାଜନୀତିରେ ‘ସୁଶାସନ କୁମାର’ ଭାବେ ପରିଚିତ ନୀତିଶ କୁମାର କ୍ରମାଗତ ଚତୁର୍ଥ ଥର ପାଇଁ ବିଜେପିର ସହଯୋଗରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ଡୋରି ସମ୍ବାଳିଛନ୍ତି । ତେବେ ଏଥର ଶାସନ ପାଳି ପୂର୍ବପରି ପ୍ରତିପ୍ରତି ପୂର୍ଣ୍ଣ ହେବ ନାହିଁ ବୋଲି ଆଶଙ୍କା କରାଯାଏ । ଉଲ୍ଲେଖଯୋଗ୍ୟ ଯେ, କ୍ରମାଗତ ୪ଥରକୁ ମିଶାଇ ୭ଥର ଏବଂ ବିହାରର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବା ନୀତିଶ ପାଇଁ ଏଥର ଶାସନ ଡୋରି କଂଟକିତ ହେବା ସମ୍ବାବନା ଅଧିକ ରହିଛି । ବିହାର ରାଜନୀତିରେ ଗତ ୨୦୦୫ ମସିହାରୁ ପ୍ରତିପ୍ରତି ଜାହିର କରି ଆସିଥିବା ନୀତିଶ କୁମାରଙ୍କ ଜେଡିୟୁ ଚଳିତ ନିର୍ବଚନରେ ନିଜର ପତିଆରା ହରାଇବା ସହ ଏନଡିଏ ମେଂଟରେ ନିଜର ବଡଭାଇ ପଣିଆ ହରାଇଛି । ଅନ୍ୟପକ୍ଷରେ ଗତ ଏକ ଦଶନ୍ଧି ଧରି ବିଜେପିକୁ ବିହାରରେ ସାନଭାଇ ଭଳି ବ୍ୟବହାର କରି ଆସିଥିବା ନୀତିଶ ଏଥର ମାତ୍ର ୪୩ଟି ଆସନରେ ସୀମିତ ହୋଇଯାଇଛି । ଅପରପକ୍ଷରେ ବିଜେପି ୭୪ଟି ଆସନ ଅକ୍ତିଆର କରି ନିଜକୁ ରାଜ୍ୟରେ ସୁଦୃଢ କରିପାରିଛି । ୨୪୩ ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ୨୦୧୦ରେ ଜେର୍ଡିୟୁ ୧୧୫ଟି ଏବଂ ବିଜେପି ୯୧ଟି ଆସନ ହାସଲ କରିଥିଲା । ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେପିର ପଲା ଭରି ହେବା ସହ ଜେଡିୟୁର ଶକ୍ତି କ୍ଷୁର୍ଣ୍ଣ ହୋଇଛି । ଏହା ସତ୍ୱେ ବିଜେପିର ଘୋଷଣା ଅନୁଯାୟୀ ନୀତିଶ ପୁନଶ୍ଚ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଅବଶ୍ୟ ଏକ ସଂଖ୍ୟାଲଘୁ ଦଳର ନେତାଭାବେ ମୁଖ୍ୟମନ୍ତ୍ରୀ ହେବା ତାଙ୍କ ପାଇଁ ନୂଆ ନୁହେଁ । ଗତ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପି ହାତଛାଡି ନିଜର ବୀର ଶତ୍ରୁ ଲାଲୁ ପ୍ରସାଦ ଯାଦବଙ୍କ ସହ ମେଂଟ କରି ବିଜେପିକୁ ଧୂଳି ଚଟାଇଥିବା ବେଳେ ଜେଡିୟୁ ଆସନ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ମହାମେଂଟର ଅଂଶୀଦାର ଲାଲୁ ପ୍ରସାଦଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସର୍ବାଧିକ ୯୮ଟି ଆସନ ପାଇଥିବା ବେଳେ ଜେଡିୟୁ ୭୧ଟି ଆସନ ପାଇଥିଲା । ଏହା ସତ୍ୱେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମାତ୍ର ସରକାର ଦୁଇ ବର୍ଷରୁ ଅଧିକ ତିଷ୍ଟି ପାରିନଥିଲା । ଆରଜେଡି ସହ ସଂପର୍କ ଛିନ କରି ନୀତିଶ ଏନଡିଏରେ ପୁଣି ସାମିଲ ହୋଇଥିଲେ ଏବଂ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ ଏକ ସଂଖ୍ୟା ଲଘୁ ଦଳର ନେତା ଭାବେ ସରକାରର ନେତୃତ୍ୱ ନେଇଥିବାରୁ ସରକାର ତିଷ୍ଟିବା ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ଏହା ନିଶ୍ଚିତ ଯେ, ସରକାର ଚଳାଇବାରେ ନୀତିଶଙ୍କର ପୂର୍ଣ୍ଣ ସ୍ୱାଧୀନତା ଏବଂ ଦବଦବା ରହିବ ନାହିଁ । ଯାହାକି ସୋମବାର ଦିନ ଶପଥ ଗ୍ରହଣ କରି ଥିବା ୧୩ ଜଣିଆ ମନ୍ତ୍ରୀ ମଣ୍ଡଳ ଗଠନ ଚାପରେଖରୁ ବେଶ ଅନୁମାନ କରାଯାଉପାରେ । ଗଠିତ ମନ୍ତ୍ରିମଣ୍ଡଳରେ ବିଜେପିର ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୭ଜଣ, ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଜେଡିୟୁର ୫ଜଣ ମନ୍ତ୍ରୀ ହୋଇଥିବା ବେଳେ ବାଚସ୍ପତି ପଦବୀ ମଧ୍ୟ ବିଜେପିକୁ ମିଳିଛି । ପ୍ରଥମଥର ପାଇଁ ବିହାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ସରକାରରେ ବିଜେପି ବଡଭାଇ ପଣିଆ ଦେଖାଇବା ସ୍ୱାଭାବିକ । ତେବେ ବଡଭାଇ ପଣିଆ ଯଦି ନୀତିଶଙ୍କୁ ନିଷ୍ପତିରେ ଅଙ୍କୁଶ ଲଗାଏ , ତେବେ ତଚୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀତ୍ୱ ଯେ କଂଟକିତ ହେବ, ଏହା ନିସଂଦେହ । ହିବା ବାଦୁଲ୍ୟ ଯେ, ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ବିଜେପି-ଜେଡିୟୁ ମଧ୍ୟରେ ମତପାର୍ଥକ୍ୟ ରହିଛି । ରାଜ୍ୟରେ ସିଏଏ ଲାଗୁ ପାଇଁ ବିଜେପି ଯୋର ଦେବା ସ୍ୱାଭାବିକ । ସେହିପରି ବିଜେପିର ନିଜସ୍ୱ ଏଜେଂଟଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିବା ସହ ରାଜ୍ୟରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିବ । ଯାହା ଦ୍ୱାରା ଜେଡିୟୁର ଶକ୍ତି କ୍ଷୟ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଅନ୍ୟପକ୍ଷରେ ଆରଜେଡି ନେତା ୩୧ ବର୍ଷ ବୟସ୍କ ତେଜସ୍ୱୀ ଯାଦବଙ୍କ ତେଜବୃଦ୍ଧି ଏବଂ ବିରୋଧି ଦଳ ନେତା ଭାବେ ବିଭିନ୍ନ ଘଟଣାରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଅହରହ ଉଦ୍ୟମ କରିବେ । ଏହା ସତ୍ୟ ଯେ, ନୀତିଶଙ୍କ ଧର୍ମନିରିପେକ୍ଷତା ଅବସଂବାଦିତ । ତାଙ୍କର ସାଂପ୍ରଦାୟିକତା ବିରୋଧି ଦୃଷ୍ଟିକୋଣ ଅଟଳ । ମାତ୍ର ଏକ ସଂଖ୍ୟାଲଘୁ ଦଳର ନେତା ଏବଂ ବିଜେପି ସହଯୋଗରେ ସରକାର ଗଢିଥିବାରୁ ବିଜେପି ନିଜର ଲୁକାୟିତ ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଚାପଦେଇପାରେ । ଯାହାକି ନୀତିଶଙ୍କ ପଥକୁ କଂଟାବିତ କରିପାରେ । ଏହା ନିଶ୍ଚିତ ଯେ, ବିହାରରେ ନୀତିଶଙ୍କର ବିକଳ୍ପ ଏନଡିଏରେ ନାହିଁ । ଯେଉଁ ଥିପାଇଁକି ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ରରେ ଅନୁଚାପ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାଗ ନ ଛାଡିବାରୁ ଶେଷରେ ବିଜେପିର ହାତ ଶିବସେନା ଛାଡିଦେଇଥିଲା । ତେବେ ଚତୃର୍ଥ ପାଳିରେ ନୀତିଶ କେତେଦୂର ସଫଳ ହେବେ, ତାହା ଭବିଷ୍ୟତ ହିଁ କହିବ ।

Leave A Reply

Your email address will not be published.

nineteen − 10 =