ରାଜଧାନୀ ନକ୍ସା

ପ୍ରତ୍ୟେକ ଶାସନ ବ୍ୟବସ୍ଥାରେ ପ୍ରତ୍ୟେକ ସ୍ତରର କାର୍ଯ୍ୟକୁ ନିରିକ୍ଷଣ କରିବା, ସମିକ୍ଷା କରାଯିବା, ଯୋଜନା ପ୍ରଣୟନ କରିବା ସହିତ ଠିକ୍ ଭାବେ ଏହାର ବ୍ୟବସ୍ଥାଗତ ରୂପାୟନ କରାଯିବା ଲାଗି ଯେଉଁ ଅଫିସ ଗୁଡିକ ଏକତ୍ରିତ ହୋଇ ଗୋଟିଏ ଜାଗାରେ ରହିଥାଏ, ତାହାକୁ ସାଧାରଣତଃ ରାଜ୍ୟ ବା ଦେଶର ରାଜଧାନୀ ବୋଲି କୁହାଯାଇଥାଏ । ଏହି ପ୍ରସଙ୍ଗରେ ଆମ ଦେଶ ଭାରତ କଥା କହିଲେ, ରାଜଧାନୀ ଦିଲ୍ଲୀ କଥା ଉଠିଥାଏ । କେନ୍ଦ୍ରସରକାର ରାଜଧାନୀ ଦିଲ୍ଲୀରୁ ସମଗ୍ର ଦେଶକୁ ଯୋଜନାବଦ୍ଧ ପରିଚାଳନା କରିବା ସହିତ ତଦ୍ଧା୍ୱରା ଶାସନ ବ୍ୟବସ୍ଥା ଶୃଙ୍ଖଳିତ ହୋଇଥାଏ । ଅନୁରୂପ ଡଙ୍ଗରେ ଆମ ରାଜ୍ୟ ଓଡ଼ିଶାର ରାଜଧାନୀ ସମ୍ପର୍କରେ ଆଲୋଚନା କଲେ ଭୁବନେଶ୍ୱର ନକ୍ସା ଆଖି ଆଗରେ ଭାସି ଉଠିଥାଏ । ଯେତେବେଳେ ସର୍ବପ୍ରଥମେ ଭୁବନେଶ୍ୱରକୁ ରାଜଧାନୀ କରିବାଲାଗି ସ୍ଥିର କରାଗଲା, ତା’ପରେ ଏହାର ଡିଜାଇନ୍ କରାଯାଇଥିଲା । ତାହାଥିଲା ବାସ୍ତବରେ ଏକ ଜଙ୍ଗଲ ଭିତିକ ରାଜଧାନୀ । ପାଖରେ ଚନ୍ଦକା ଅଭୟାରଣ୍ୟ ରହିଥିଲା ବେଳେ ପ୍ରଥମ ପର୍ଯ୍ୟୟରେ ରାଜଧାନୀ ବାତାବରଣ ସାବଳିନ ରହିଥିଲା । ତା’ ସହିତ ରାଜଧାନୀକୁ ନିର୍ଦ୍ଧିଷ୍ଟ ରୂପ ଦେବାଲାଗି ଯୋଜନା କରାଯିବାରୁ ଏହାର କଳେବର ନୂଆ ଢ଼ାଂଚରେ ଯେପରି ଓଡ଼ିଶାବାସୀଙ୍କ ନିକଟରେ ପହଂଚେ, ସେଥିଲାଗି ଯୋଜନାକୁ ଆଗେଇ ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରାସ୍ତାର ଉଭୟ ପାଶ୍ୱର୍ରେ କୃଷ୍ଟଚୁଡା ଗଛ ଚାରା ଲଗାଇଦିୟାଯାଇଥିଲା । ରାଜଧାନୀର ଶୈଶବାବସ୍ଥା ୬୦ ଦଶକରେ କେବଳ କୃଷ୍ଟଚୁଡାର ସହର ପାଲଟିଥିଲା କହିଲେ ଅତ୍ୟକ୍ତୂ ହେବନାହିଁ । ପରବର୍ତୀ ଅବସ୍ଥାରେ ଯେଉଁ ରାଜଧାନୀକୁ ଜଙ୍ଗଲ ନିକଟରେ ରଖିବାକୁ ପ୍ଲାନ କରାଯାଇଥିବା, ତାହା ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ସହିତ ଫିକା ପଡୁଥିବା ଅନୁଭବ କରାଯାଏ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ରାଜଧାନୀ ଭୁବନେଶ୍ୱର’ର ଉତରୋତର ବିକାଶ ସହିତ ବର୍ଦ୍ଧିତ ଜନସଂଖ୍ୟାକୁ ଶୃଙ୍ଖଳିତ ଭାବେ ରଖାଇବା ଲାଗି ଯେତେବେଳେ ମୂଳ ଯୋଜନା ବଦଳିବା ବାଧ୍ୟତାମୂଳକ ବୋଲି ମନେହେଲା, ସେତେବେଳେ ପୁରୁଣା ଯୋଜନା ଲକ୍ଡାଉନ୍ ମଧ୍ୟରେ ରହିଗଲା । ରାସ୍ତାର ଉଭୟ ପାଶ୍ୱର୍ରୁ ସେହି ଗଛ ଗୁଡିକୁ କାଟିଦିଆ ଗଲା, ଯେଉଁ ସବୁ କୃଷ୍ଟଚୁଡା ଗଛକୁ ଦେଖି ବିଶିଷ୍ଟ କଣ୍ଠଶିଲ୍ପୀ ଅକ୍ଷୟ ମହାନ୍ତି ଗାଇଥିଲେ, ‘ବୟସର କୃଷ୍ଟଚୁଡା ରଙ୍ଗ ତମ ମନ୍ଦ ନୁହେଁ’ ଓ ଏବେ ଖୋକା ଭାଇ ପରପାରିରେ ଏବଂ କୃଷ୍ଟଚୁଡା ଗଛ ଗୁଡିକ ମଧ୍ୟରୁ ଗୋଟିଏ ବି ମିଳିବା ମୁସ୍କିଲ । ତେବେସେ ଯାହା ହେଉନା କାହିଁକି, ଯୁଗ ଯୁଗ ଧରି ଏହା ପ୍ରମାଣିତ ଯେ, ଶାସକ ବଦଳିଲେ, ଶାସନ ବଦଳେ । ଏହା ସହିତ ଶାସନର ଧାରା ବଦଳିଥାଏ । ତେଣୁ ସ୍ୱାଧିନତାପରେ ଡ.ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଓ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହିତ ଶାସନ ବ୍ୟବସ୍ଥାରେ ପରିବର୍ତନ ଘଟିଛି ଓ ଏହା ଏପରି ଘଟିବା ସ୍ୱାଭାବିକ । ତଦ୍ଧ୍ୱାରା ରାଜ୍ୟର ବିକାଶ ଘଟିଥାଏ । ପରିବର୍ତିତ ବ୍ୟବସ୍ଥାରେ ପ୍ରତେକ ଶାସକ (କଥାକଥିତ ମୁଖ୍ୟମନ୍ତ୍ରୀ) ଚାହାନ୍ତି, ରାଜ୍ୟକୁ ଆଉ ଦୁଇ ପାଦ ଆଗକୁ ନେବାକୁ । ସେଥିଲାଗି ବିଭିନ୍ନ ସମୟରେ ନାନାପ୍ରକାର ସ୍ଲୋଗାନ ଦିଆଯିବା ସହିତ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରି ହୁଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ବିଜୁ ବାବୁ । ତାଙ୍କ ସମୟରେ ଅନେକ ସରକାରୀ ଅଫିସ୍ ରାଜଧାନୀରେ ନିର୍ମାଣ କରିବା ସମ୍ଭବ ହୋଇଥିଲା । ସେହିପରି ଡ. ମହତାବ ମଧ୍ୟ ଭୁବନେଶ୍ୱରକୁ ରାଜଧାନୀ କରିବାର ନିଷ୍ପତି ନେବା ଥିଲା ଏକ ଯୁଗାନ୍ତକାରି ପଦକ୍ଷେପ । ଏବେ ଆମ ଦେଖିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରିଭାବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ପରିଦର୍ଶନ ସ୍ଥଳିର ରୂପ ଦେବାକୁ ଯାଉଛନ୍ତି, ବାସ୍ତବରେ ତାହା ମଧ୍ୟ ଯୁଗାନ୍ତକାରି ବୋଲି କୁହାଯାଇପାରେ । କିନ୍ତୁ ସ୍ଥାନକାଳପାତ୍ର ନିର୍ବିଶେଷରେ ଏହା କହିବା ଠିକ୍ ହେବ ଯେ, ଏଣିକି ରାଜଧାନୀ ଭୁବନେଶ୍ୱର ଆହୁରି ବଢ଼ିବ । ପରପିଡ଼ି ଏହାର ସୁବିଧା ଓ ସୁଯୋଗ ପାଇବାକୁ ହେଲେ ସର୍ବପ୍ରଥମେ ରାଜଧାନୀ ଭୁବନେଶ୍ୱର ଭିତରେ ଅଟ୍ଟାଳିକା ବଢ଼ିବା ସହିତ ସବୁଜ ବଳୟ ବଢ଼ିବା ଆବଶ୍ୟକତା ଅଧିକ ରହିଛି । ସେହିପରି ସରକାରୀ ଜାଗା ଗୁଡିକ ଭବିଷ୍ୟତ ପାଇଁ ଲ୍ୟାଣ୍ଡବ୍ୟାଙ୍କ ଗଠନ ପୂର୍ବକ ଏଥିରେ ରଖିବା ଓ ଯେଉଁ ସବୁ ଜବରଦଖଳ ବସ୍ତି ନିର୍ମାଣ କରାଯାଇଛି; ସେଗୁଡିକୁ ଅତିଶୀଘ୍ର ରାଜଧାନୀର ଉପାନ୍ତ ଅଂଚଳ ବା ଆହୁରି ଦୁରକୁ ସ୍ଥାନାନ୍ତର କରାଯାଇପାରିଲେ ଭବିଷ୍ୟତ ପିଢ଼ି ଏହାର ଲାଭ ବିଭିନ୍ନ ବାଟରେ ଭବିଷ୍ୟତରେ ପାଇବା ସୁନିଶ୍ଚିତ । ତେଣୁ ରାଜଧାନୀ ପାଇଁ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ହେଲେ ପ୍ରଥମେ ଭବିଷ୍ୟତକୁ ଆଖି ଆଗରେ ରଖି ନକ୍ସା ପ୍ରଣୟନ କରାଯିବା ଆବଶ୍ୟକ ।

Leave A Reply

Your email address will not be published.

5 × four =