ବୁଡ଼ିଗଲା ଗୋଡ଼ ତଳକୁ ତଳକୁ

୨୦୧୪ ସାଧାରଣ ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ଦଳର ସ୍ଥିତ ଏବେ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ସଦୃଶ ହୋଇଛି । ଇତିମଧ୍ୟରେ ଦୀର୍ଘ ୬ ବର୍ଷ ଅତିକ୍ରମ କରିଥିବା ବେଳେ ଦଳ ନିଜର ସ୍ଥିତିକୁ ସୁଧାରିବା ପାଇଁ ସମର୍ଥ ହେଇନାହିଁ, ବଂର ସ୍ଥିତି ଦିନକୁ ଦିନ ଆହୁରି କ୍ଷୟ ହେବାରେ ଲାଗିଛି । ବିହାର ବିଧାନସଭା ନିର୍ବାଚନ ସହ ଦେଶର ୧୧ଟି ରାଜ୍ୟର ୫୯ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଫଳାଫଳ ଏହାର ସଦ୍ୟତମ ଉଦାହାରଣ ବୋଲି କୁହାଯାଇପାରେ । କେବଳ ଏତିକିନୁହେଁ, ୨୦୧୪ ସାଧାରଣ ନିର୍ବାଚନ ପରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ଛତିଶଗଡ଼, ଗୋଆ, ମଣିପୁରରେ ଦଳ ଉତମଫଳ ପ୍ରଦର୍ଶନ କରିଥିବା ବେଳେ କେବଳ ଛତିଶଗଡ଼ ଓ ରାଜସ୍ଥାନକୁ ଛାଡିଦେଲେ ଅନ୍ୟ ସବୁଠି ଲୋକହସା ହୋଇଛି । ଦଳୀୟ ବିଧାୟକଙ୍କ ଦଳ ପ୍ରତି ଅନାସ୍ଥା ପ୍ରକଟ କରି ଦଳବଦଳ ଯୋଗୁଁ କର୍ଣ୍ଣାଟକ, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ହରାଇଥିବା ବେଳେ ଗୋଆ, ମଣିପୁରରେ ସ୍ଥିତ ହରାଇଛି । ରାଜସ୍ଥାନରେ କ୍ଷମତା ପାଇଁ ୧୮ ଜଣ ବିଧାୟକଙ୍କ ବିଦ୍ରୋହ ବୋଧହୁଏ କେହି ଭୁଲି ନଥିବେ । ଏକଦା ଦେଶରେ ପାର୍ଥି ଦଶନ୍ଧି ଧରି କ୍ଷମତାର ଡୋରିଧରିଥିବା କଂଗ୍ରେସ ଏବେ ଯେଉଁ ବିପର୍ଯ୍ୟୟର ସମୁଖୀନ ହୋଇଛି, ତାହାର ବହୁବିଧା କାରଣ ରହିଛି । ମାତ୍ର ନେତୃତ୍ୱର ଅଭାବ ଏହାର ପ୍ରମୁଖ କାରଣ ବୋଲି କୁହାଯିବ । ଉଲେଖଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପୁଣି ବିର୍ପ୍ୟୟର ସମୁଖୀନ ହେବା ପରେ ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ରାହୁଳଗାନ୍ଧୀ ଇସ୍ତଫା ଦେବାର ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଦଳ ବର୍ତମାନ ସୁଦ୍ଧା ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚିତ କରିପାରି ନାହିଁ । ସ୍ୱାସ୍ଥ୍ୟଗତ କାରଣରୁ ଦଳର ଅଧ୍ୟକ୍ଷା ପଦରୁ ଓହରି ଯାଇଥବା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ ଦଳରେ ନେତୃତ୍ୱ ସମ୍ଭାଳିବାକୁ ପଡ଼ିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ବର୍ତମାନ ସୁଦ୍ଧା ଗାନ୍ଧୀ ପରିବାରର ନେତୃତ୍ୱକୁ ହିଁ ସର୍ବେପରି ଓ ଅପରିହାର୍ଯ୍ୟ ଭାବେ ମାନସିକ ସ୍ତରରେ ଗ୍ରହଣ କରି ଆସିଛି । ଦଳର ନେତା ଓ କର୍ମୀମାନଙ୍କର ଏହି ମନୋଭାବ ଗାନ୍ଧୀ ପରିବାରକୁ ଦଳର ହାଇକମାଣ୍ଡ ଭାବେ ଗ୍ରହଣ କରି ସାରିଛି । ଆହୁରି ମଧ୍ୟ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟଧାରା କୌଣସି ଭାବେ ଦଳର ଅଧ୍ୟକ୍ଷ ବା ନେତୃତ୍ୱ ଠାରୁ କମ୍ ନ ଥିବା ମନେହୁଏ । ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବର୍ତମାନ ସୁଦ୍ଧା ଯେତେ ସବୁ ନିର୍ବାଚନ ହୋଇଛି, ସବୁଥରେ ସେ ହିଁ ମଙ୍ଗ ଧରିଛନ୍ତି ବା ମୁଖ୍ୟ ପ୍ରଚାରକ ଭାବେ ଉପସ୍ଥାପିତ ହୋଇଛନ୍ତି । ପ୍ରାକ୍ଟିକାଲ କ୍ଷେତ୍ରରେ ରାହୁଳ ଦଳର ମଙ୍ଗ ଧରିଥିବା ବେଳେ ଥିଓରିରେ ସେ ପୁନର୍ବାର ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପ୍ରସ୍ତୁତ ନଥିବା ବା ଚାହାନ୍ତି ନାହିଁ ବୋଲି କହିଲେ ହୁଏତ ଅତୁ୍ୟକ୍ତି ହେବ ନାହିଁ । ଅନ୍ୟପକ୍ଷରେ ଗାନ୍ଧୀ ପରିବାର ବାହାରୁ କେହି ଦଳର ନେତୃତ୍ୱ ନେବାକୁ ସାହାସ ମଧ୍ୟ କରି ପାରୁ ନାହାଁନ୍ତି କି ଗାନ୍ଧୀ ପରିବାରର ଅନୁଗତ ଗୋଷ୍ଠୀ ସେମାନଙ୍କୁ ବାଟ ଛାଡି ଦେଉ ନାହାନ୍ତି । ଏ କ୍ଷେତ୍ରରେ ଗାନ୍ଧୀ ପରିବାର ମଧ୍ୟ ଦଳର ନେତୃତ୍ୱ ଛାଡିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନଥିବା ମନେହୁଏ । ଗୋଟିଏ ଉଦାହରଣ ଦେଲେ ଏହା ଯଥେଷ୍ଟ ହେବ । ନିକଟରେ ଦଳର ୨୩ ଜଣ ବରିଷ୍ଠ ନେତା ଦଳରେ ସଂସ୍କାର ଆଣିବା ପାଇଁ ଶ୍ରୀମତୀ ଗାନ୍ଧୀଙ୍କୁ ଲେଖିଥିବା ପତ୍ର ସେମାନଙ୍କ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହାକୁ ନେଇ ଦଳରେ ଝଡ଼ ସୃଷ୍ଟି ହେବା ସହ ଚିଠି ଲେଖିଥିବା ନେତାମାନଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରତ କମିଟି କାର୍ଯ୍ୟକାରିଣୀ କମିଟିରୁ ହଟାଇ ଦିଆଯାଇଥିଲା । ଏବେ ବିହାର ନିର୍ବାଚନ ଓ ଉପ-ନିର୍ବାଚନ ଫଳାଫଳ ତଥା ଦଳର ନୈରାଶ୍ୟ ପ୍ରଦର୍ଶନକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି । ବରିଷ୍ଠ ନେତା କପିଲ ସିବାଲ ବିପର୍ଯ୍ୟୟ ପାଇଁ କାହାର ନାଁ ନନେଇ ହାଇକମାଣ୍ଡଙ୍କୁ ଦାୟୀ କରିଛନ୍ତି । କେବଳ ଏତିକି ନୁହେଁ, ଦେଶରେ ବିକଳ୍ପ ରାଜନୈତିକ ଶକ୍ତି ଭାବେ କଂଗ୍ରେସ ଲୋକଙ୍କ ପସନ୍ଦ ହରାଇଥିବା ଉଲେଖ କରି କହିଛନ୍ତି ଯେ, ଗତ ୬ ବର୍ଷ ଧରି ବିଫଳତା ନେଇ ଯଦି ହାଇକମାଣ୍ଡ ଆତ୍ମ ସମୀକ୍ଷା କରିପାରୁ ନାହାଁନ୍ତି, ତେବେ ଭବିଷ୍ୟତର ଆଶା ଆଉ କ’ଣ? କେବଳ କପିଳ ସିବାଲ ନୁହେଁନ୍ତି, ଦଳର ବହୁ ବରିଷ୍ଠ ନେତା ଅନୁଋପ ମତ ପ୍ରକାଶ କରି ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ଏବେ ଅନୁଗତ ବିଦ୍ରୋହୀ ଦୁଇ ଭାଗରେ ବିଭାକ୍ତି ବୋଲି ସ୍ୱୀକାର କରିବାକୁ ହେବ । ଏହା ନିଶ୍ଚିତ ଯେ, କଂଗ୍ରେସ ନେତୃତ୍ୱ ଏବେ ଅନୁଗତଙ୍କ ଘେରରେ । ଗାନ୍ଧୀ ପରିବାରର ନେତୃତ୍ୱ ବିନା ସେମାନେ ଆଉ କାହାରି ନେତୃତ୍ୱକୁ ଗ୍ରହଣ କରିବା ଅବସ୍ଥାରେ ନାହାଁନ୍ତି । ଏହା ମଧ୍ୟ ସତ୍ୟ ଯେ, କଂଗ୍ରେସ ପାଇଁ ଗାନ୍ଧୀ ପରିବାରର ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ । ତେବେ ଗାନ୍ଧୀ ପରିବାରର ନେତୃତ୍ୱ ପ୍ରତି ଜନସାଧାରଣ ଆସ୍ଥା ପ୍ରକଟ କରିପାରୁ ନାହାଁନ୍ତି, ନିର୍ବାଚନ ଫଳଫଳ ଏହି ସଂକେତ ପ୍ରଦାନ କରୁଛି । ତେବେ ନିର୍ବାଚନ ବିଫଳତା ନେଇ କଂଗ୍ରେସ ଆତ୍ମ ସମୀକ୍ଷା କରିବା ସହ ଦଳରେ ଆଭ୍ୟନ୍ତରୀଣ ସଂସ୍କାର ଓ ପ୍ରତିଷ୍ଠା ଆବଶ୍ୟକ । ଦଳର ଏବେ ଉପଯୁକ୍ତ ନେତୃତ୍ୱ ମନୋନୟନ କରାଯିବ ଆବଶ୍ୟକ । ଯେ କି ଦଳକୁ ପୁର୍ନନିଦ୍ଧାର କରିପାରିବେ । ଏଥି ପାଇଁ ଦଳର ନେତାମାନଙ୍କୁ ମତକୁ ସମ୍ନାନ ଦେଇ ଭବଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ହେବ । ଅନ୍ୟଥା ଦେଶର ସର୍ବପୁରାତନ ଦଳ ଜନସାଧାରଣଙ୍କ ଆସ୍ଥା ଭରଣ ହୋଇ ପାରିବ ନାହିଁ ।

Leave A Reply

Your email address will not be published.

8 + 4 =