କାହାକୁ କହିବା…

ଆମର ମାତୃଭାଷା ଓଡ଼ିଆରେ ଏକ ଲୋକଉକ୍ତି ରହିଛି ଓ ତା’ ହେଲା, ‘କାହାକୁ କହିବା, ଶୁଣିବ କିଏ’? ଏହି ଉକ୍ତିର ଯଥାର୍ଥାତା ଏବେ ଖାଦ୍ୟ ପ୍ରସ୍ତୁତିରେ ଅଧିକ ଆବଶ୍ୟକ ପଡୁଥିବା ପରିବା ଆଳୁ ଓ ପିଆଜ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । କିଛି ଦିନ ବ୍ୟବଧାନରେ ଆଳୁ ଦର ୨୦ଟଙ୍କାରୁ ବଢ଼ି ଏବେ କେଜି ପିଛା ୬୦ ଟଙ୍କାରୁ ଅଧିକ ଦରରେ ଖୁଚୁରା ବଜାରରେ ବିକ୍ରି କରାଯାଇଛି । ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ସୂଚନାନୁଯାୟୀ ଏବେ ଆଳୁ କେଜି ୪୫ ଟଙ୍କାରୁ କମି ୪୦ ହୋଇଥିବା କୁହାଯାଉଛି । ଅନ୍ୟପଟେ ପିଆଜ ଦର କିଛି ଦିନ ତଳେ କେଜି ପିଛା ୧୦ଟଙ୍କା ରହିଥିଲେ ହେଁ ହଠାତ୍ ଏହା ବଢ଼ି ଚାଲିବା ସହ ଏବେ ଲଗାମଛଡା ରେଟ୍ରେ ବିକ୍ରି ହେଉଛି । ଖୁଚୁରା ବଜାରରେ ପିଆଜ ଦର ୭୫ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଥିଲା ବେଳେ ଏବେ ଏହା ସାମାନ୍ୟ କମି ୬୦ରେ ପହଞ୍ଚିଛିଥିଲେ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ଏହା ମହଙ୍ଗା ପଡୁଛି । ଦର ବୃଦ୍ଧି ଏକ ସମସ୍ୟା ହେଇଥିଲା ବେଳେ ଏହାକୁ ରୋକିବାକୁ କୌଣସି ଉପାୟ ସରକାରୀ ସ୍ତରରେ ଥିଲା ଭଳି ମନେହେଉନାହିଁ । ଏପରିକି ଦାମ୍ ବଢ଼ିବା ନେଇ ଅନେକ ବିଚିତ୍ର କଥା ଶୁଣିବାକୁ ମିଳୁଛି । କେତେବେଳେ ଏହା କେନ୍ଦ୍ର ସରକାରରଙ୍କ ନୂତନ କୃଷି ଆଇନର ଫଳ ବୋଲି କେହି କେହି ସମାଲୋଚନା କରୁଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସମସ୍ତେ ପ୍ରାୟତଃ ନିରବତା ଅବଲମ୍ବନ କରିବା ଶ୍ରେୟସ୍କର ମଣୁଛନ୍ତି ବୋଲି କହିବା ଅଧିକ ଠିକ୍ ହେବ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଏ ଦିଗରେ କିପଦକ୍ଷପ ନେଇଛନ୍ତି ବା ନେବାକୁ ଯାଉଛନ୍ତି, ସେ ସମ୍ପର୍କରେ କିଛି ଜଣା ପଡୁନାହିଁ । ଅବଶ୍ୟ ଏହା ଆମକୁ ମାନିବାକୁ ପଡିବ ଯେ, ଉଭୟ ପିଆଜ ଓ ଆଳୁକୁ ଆମେ ବାହାର ରାଜ୍ୟରୁ ଆମଦାନି କରୁଛୁ । ନାସିକ୍ ଉପରେ ପିଆଜ ଲାଗି ବର୍ଷ ସାରା ଓଡ଼ିଶା ନିର୍ଭରଶୀଳ ଥିଲା ବେଳେ ଆଳୁ ଲାଗି ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ଉପରେ ପ୍ରାୟତଃ ନିର୍ଭର କରୁଥାଉଁ । ସେପରି ସ୍ଥଳେ ଗୋଟିଏ ବ୍ୟବସାୟୀ ସଂଘର ସମ୍ପାଦକଙ୍କ ମତ ହେଲା, ଏବେ କିଛି ଦିନ ପରେ ନୂଆ ଆଳୁ ଅମଳ ହେବ ଚଳିତ ବର୍ଷ ବଢ଼ ବ୍ୟବସାଇମାନେ ଆଗୁଆ ଚାଷୀଙ୍କଠାରୁ ଆଳୁ କିଣି ନେଇ ଶୀତଳ ଭଣ୍ଡାରରେ ରଖିଥିଲା ବେଳେ କୃତ୍ରିମ ଅଭାବି ବିକ୍ରିର ଚିତ୍ର ସୃଷ୍ଟି କରିବା ଲାଗି କମ୍ ମାଲ ବଜାରକୁ ଛାଡୁଛନ୍ତି । ତେଣୁ ଆଳୁ ଦର ଆଗକୁ ଆହୁରି ବଢ଼ିବା ବିଚିତ୍ର ନୁହେଁ । କିନ୍ତୁ ଅନେକ ସମୟରେ ଖୁଚୁରା ବେପାରୀମାନେ ମନଇଛା ଦର ଦାମ ବଢ଼ାଉଥିବା ଅଭିଯୋଗ ହେଉଛି । ସେପରି ସ୍ଥଳେ ରାଜ୍ୟରେ ଆଳୁ ଓ ପିଆଜ ଉତ୍ପାଦନ ବୃଦ୍ଧି ଲାଗି ଉଦ୍ୟମ ନହେବା ଦୁଃଖଦାୟକ ବିଷୟ । ଯୋଗାଣ କ୍ଷେତ୍ରକୁ ସୁଲଭ କରିବା ଲାଗି ରାଜ୍ୟରେ କୃଷି ବିଭାଗ ଠୋସ ପଦକ୍ଷପ ନେବା ଜରୁରି । ଏହା ମୁଖ୍ୟ କାରଣ ହେଲା ତାଲିକା ଅନୁସାରେ ଆମ ରାଜ୍ୟରେ ଆଳୁ ଉତ୍ପାଦନ ହେଉନହିବାରୁ ବର୍ଷବ୍ୟାପି ପଶ୍ଚିମବଙ୍ଗ ଉପରେ ଓଡ଼ିଶା ନିର୍ଭରଶୀଳ । ଆମେ ୨୦୧୦-୧୧ରେ ୭.୨୨ ଲକ୍ଷ, ୨୦୧୧-୧୨ରେ ୮.୨ ଲକ୍ଷ,୨୦୧୩-୧୪ରେ ୯.୧୩ ଲକ୍ଷ ଓ ୨୦୧୫-୧୬ରେ ୮.୧୩ ଲକ୍ଷ ଟନ୍ ଆଳୁ ଆମଦାନି କରିପାରିଛୁ । ତେବେ ୨୦୧୫ରୁ ୨୦୧୮ ମଧ୍ୟରେ ବିଧାନସଭା ଭିତରେ ଏକାଧିକ କୃଷିମନ୍ତ୍ରୀ ବିଭିନ୍ନ ସମୟରେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ୨୦୨୦ ସୁଦ୍ଧା ୧୨ ଲକ୍ଷ ଟନ୍ ଆଳୁ ଉତ୍ପାଦନ କରାଯିବ ଏବଂ ଏହାକୁ ସଂରକ୍ଷଣ ଲାଗି ରାଜ୍ୟରେ ୧୨୦ଟି ଶୀତଳଭଣ୍ଡାର ନିମାଣ କରାଯିବ, ଯାହା ପାଇଁ ଏକ ଦୀର୍ଘ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥିରେ ରହିଥିବା ବ୍ୟବସ୍ଥାନୁଯାୟୀ ୨୦୧୭-୧୮ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ମୋଟ ୮୨ଟି ଶୀତଳଭଣ୍ଡାର ରାଜ୍ୟରେ ସ୍ଥାପନ କରାଯିବ, ଯାହାର ନିମାଣ କାର୍ଯ୍ୟ ୨୦୨୦-୨୧ ସୁଦ୍ଧା ସରିବା ସହିତ ଏଗୁଡିକ ପ୍ରତେକ ୫ ହଜାର ଟନ୍ ବିଶିଷ୍ଟ ହେବ ବୋଲି କୁହାଯାଇଥିଲା । କେବେଳ ସେତିକି ନୁହେଁ, ୨୦୨୦-୨୧ ଆର୍ଥୀକ ବର୍ଷରେ ବିଜୁଳି ରିହାତି ବାବଦ ୫୩.୫୮ କୋଟି ଟଙ୍କା ଦେବା ପାଇଁ ସରକାର ପ୍ରସ୍ତୁତ ରହିଥିଲେ । ଘୋଷଣା ଅନୁଯାୟୀ ପ୍ରତେକ ଶୀତଭଣ୍ଡାରର ପ୍ରଥମ ଦୁଇବର୍ଷର ବିଜୁଳି ଦେୟରୁ ୫୦ ପ୍ରାତିଶତ, ତୃତୀୟ ଓ ଚତୁର୍ଥ ବର୍ଷର ଦେୟରୁ ୩୦ ପ୍ରତିଶତ ଓ ପଂଚମ ଓ ଷଷ୍ଠ ବର୍ଷ ୨୦ ପ୍ରତିଶତ ଦେୟ ସରକାର ବହନ କରିବେ ବୋଲି ଜଣାପଡିଥିଲା । ଏପରିକି ୨୦୧୫-୧୬ରେ ୨୫ଟି, ୨୦୧୬-୧୭ ୩୫ଟି ଓ ୨୦୧୭-୧୮ ଆର୍ଥିକ ବର୍ଷରେ ୨୨ଟି ଶୀତଳଭଣ୍ଡାର ନିର୍ମାଣ ଯୋଜନା କଖାଯାଇଥିଲା । ଏଗୁଡିକ ନିର୍ମାଣ କରିବାକୁ ମଧ୍ୟ ବ୍ୟୟ ଅଟକଳ ଚୁଡାନ୍ତ ହୋଇଥିଲା । ତେବେ ନୂଆତ ଦୁରର କଥା ପୁରୁଣା ଗୁଡିକ ପୁନରୁଦ୍ଧାର କରାଗଲା ନାହିଁ । ସବୁଠାରୁ ଦୁଃଖର ବିଷୟ ହେଲା ୨୦୧୫ରେ ୧୧୫ଟି ଶୀତଳଭଣ୍ଡାରରୁ ୩୦ଟି ସଚଳଥିଲା ବେଳେ ୨୦୨୦ ସୁଦ୍ଧା ଏହା ବଢ଼ି ୪୧ରେ ପହଂଚିଛି । ତେବେଏଠରେ ଆମର କହିବାର କଥା ହେଲା ଯେ, ୫ଟି ସଚିବ ଏଥିପ୍ରତି ଦୃଷ୍ଟି ଦେଲେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଓ ନିମ୍ନ ମଧ୍ୟବିତ ଏବଂ ମଧ୍ୟବିତ ପରିବାର ଦରବୃଦ୍ଧି ଯନ୍ତ୍ରଣାରୁ ମୁକ୍ତି ଲାଭ କରନ୍ତେ । ସେହିପରି ସମବାୟ ମନ୍ତ୍ରୀ ଏ କ୍ଷେତ୍ରରେ ସର୍ବାଧିକ ମନୋନିବେଶ କଲେ ବହୁ ଗରିବ ଲୋକ କମ୍ ଦରରେ ବର୍ଷ ବ୍ୟାପି ଆଳୁ ଓ ପିଆଜ ପାଇବାକୁ ସମର୍ଥ ହୋଇପାରନ୍ତେ ।

Leave A Reply

Your email address will not be published.

4 × one =