କୃଷକ ଓ ଭକ୍ତ

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ ଓ ନିର୍ବାଚନ ମାଧ୍ୟମରେ ସେମାନେ ପରୋକ୍ଷରେ ଶାସନ ପରିଚାଳନା ଲାଗି ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ପାର୍ଲିଆମେଣ୍ଟାରୀ ବ୍ୟବସ୍ଥା ମଧ୍ୟରେ ସଂଖ୍ୟାଧିକ ଦଳ ପକ୍ଷରୁ ସରକାର ଗଠନ ହେବା ସହିତ ଅନ୍ୟ ଦଳ ଗୁଡ଼ିକ ବିରୋଧି ଦଳ ରୂପେ ଗୃହରେ ସରକାରୀ ବ୍ୟବସ୍ଥାର ତୃଟି ବିଚ୍ୟୁତି ପ୍ରଦର୍ଶନ କରିଥାନ୍ତି,ଯାହା ସରକାର ସୁଧୁରିବାରେ ସାହାର୍ଯ୍ୟ କରିଥାଏ । ଆମେ ଏଠାରେ ଯାହା ସବୁ ଗଣତନ୍ତ୍ରକୁ ନେଇ କହିଲୁ, ତାହା କିଛି ନୂଆକଥା ନୁହେଁ ଓ ସମସ୍ତେ ଏ ସମ୍ପର୍କରେ ଅଳ୍ପେ ବହୁତେ କିଛି କିଛି ଜାଣିଛନ୍ତି । ତା ସତ୍ୱେ, ଆମେ ଏହା କହିବା ଅର୍ଥ ହେଲା ଯେ, ଦୀର୍ଘ ୯ ମାସ ଧରି ସାରା ଦେଶ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିଲା ବେଳେ ଏଯାବତ୍ ତାହା ଲାଗିରହିଛି । ଯଦିଓ ପ୍ରକୋପ କମିଛି, କିନ୍ତୁ ସଂକ୍ରମଣ ଅବ୍ୟାହତ ରହିଛି । ସେପରି ସ୍ଥଳେ ବହୁ ଶିଳ୍ପାନୁଷ୍ଠାନ ଓ ବଜାର, ସିନେମା ହଲ୍ ଓ ହୋଟେଲ୍ ଆଦି ଲକ୍ଡାଉନ୍ ଦ୍ୱାରା ଦୀର୍ଘ ଦିନ ବନ୍ଦ ରହିଥିଲା ବେଳେ ରୋଗ ସଂକ୍ରମଣର ସ୍ଥିତିକୁ ଦେଖି ସଟ୍ଡାଉନ୍, କଂଟେନମେଂଟ ଜୋନ୍ ଓ ନାଇଟ କର୍ଫ୍ୟୁ ଆଦି ଜାରି କରାହୋଇ ଆସୁଥିଲା । ଏପର୍ଯ୍ୟନ୍ତ କରୋନା ଟିକା ବାହାରି ନାହିଁ । ସେ ସମ୍ପର୍କରେ ପ୍ରାୟ ଡଜନେ ରାଷ୍ଟ୍ର ଟିକା ବାହାର କରିବାକୁ ଉଦ୍ୟମରତ । କିନ୍ତୁ କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ଟିକାର ଚୂଡାନ୍ତ ପରୀକ୍ଷା କରିବାରେ ସଫଳ ହୋଇପାରିନାହିଁ । ସେଥିଯୋଗୁ ଆମ ଦେଶରେ ବଡ଼ବଡ଼ ସଭାସମିତି, ମେଳା ମହୋତ୍ସବ ଏବଂ ଯାତ୍ରା ସେମତ ଧାର୍ମୀକ ଅନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କ ସମାଗମ ଆଦିକୁ ବନ୍ଦ କରାଯାଇଛି । ଅନ୍ୟପଟେ କୃଷି ଓ କୃଷକ ଆଇନରେ କେନ୍ଦ୍ରସରକାର ସଂସ୍କାର ଓ ସଂଶୋଧନ ଆଣିବା ଏବଂ ନୂଆ ଆଇନ ପ୍ରଣୟନ କରିବାରୁ ଏହାକୁ ପଞ୍ଜାବ, ଉତର ପ୍ରଦେଶ, ହରିୟାନା, କେରଳ, ରାଜସ୍ଥାନ ଓ ଉତରାଖଣ୍ଡ ପ୍ରଭୃତି ରାଜ୍ୟର ୫ଶହ ପାଖାପାଖି କୃଷକ ସଂଗଠନ ଦିଲ୍ଲୀ ଚାଲୋ ଡାକାରା ଦେଇ ଦିଜ ରାଜ୍ୟରୁ ରାଜଧାନୀ ଦିଲ୍ଲୀକୁ ଆସୁଥିଲା ବେଳେ ଦିଲ୍ଲୀରେ ରାମଲିଳା ମଇଦାନରେ ସେମାନେ ବୈଠକ କରିବା ଲାଗି ମାଗିଥିବା ଅନୁମତି ପୋଲିସ ଅଗ୍ରାହିକ କରିବା ସହିତ ବାଟରେ ହରିୟାନା, ଗୁରୁଗାଁ ଆଦି ଜାଗାରେ ଲୁହବୁହା ବାଷ୍ପ ଓ ପାଣି ବାଡ଼ କରାଯାଇଥିଲା । ଅବସ୍ୟ ଏହା ପରେ ଦିଲ୍ଲୀକୁ କୃଷକମାନେ ଆସିବା ଲାଗି କେନ୍ଦ୍ରସରକାର ଅନୁମତି ଦେବା ସହିତ ନିଳଙ୍କାରି ପଡ଼ିଆରେ ବିକ୍ଷୋଭକାରି ରୁଣ୍ଡ ହେବାକୁ କୁହାଯାଇଛି । କେବଳ ସେତିକି ନୁହେଁ, କୃଷକମାନେ କେନ୍ଦ୍ରର ନୂତନ ସଂଶୋଧିତ ତିନି ଆଇନକୁ ‘କଳା ଆଇନ’ ବୋଲି ଅଭିହିତ କରି ଏହାକୁ ସରକାର ବାତିଲ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଘୋଷଣା କରିଛନ୍ତି । ସଂଶୋଧିତ କୃଷିଆଇନ ତିନିଟି ହେଲା, ଫାର୍ମର୍ସ ପ୍ରଡୁ୍ୟସ୍ ଟ୍ରେଡ ଆଣ୍ଡ କମର୍ସ (ପ୍ରାଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାୱରମେଂଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଂଟ ଅନ୍ ପ୍ରାଇସ୍ ଆସୁ୍ୟରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ଏବଂ ଏସେନ୍ସିଆଲ କମୋଡିଟିଜ୍ (ଆମେଣ୍ଡମେଂଟ) ଆକ୍ଟ, ୨୦୨୦ । କିନ୍ତୁ ଏହି ଆଇନ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ ଏବଂ କୃଷି ଶ୍ରମିକମାନଙ୍କ ପାଇଁ ଆଗକୁ କାଳ ହେବ ବୋଲି ଧର୍ମଘଟକାରୀମାନେ କହିଥିବା ପ୍ରକାଶ ସେମାନଙ୍କର ଯୁକ୍ତି ହେଲା ଯେ, କୃଷକମାନେ ଏଣିକି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇବାରୁ ବଂଚିତ ହେବା ଆଶଙ୍କା ଅଧିକ । ତେଣୁ ଏପରି ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ସେମାନେ ନିରଙ୍କାରି ପଡ଼ିଆ ଛାଡିବେ ନାହିଁ ଓ ଆନ୍ଦୋଳନରୁ ହଟିବେ ନାହିଁ । କିନ୍ତୁ ଏଠାରେ ଆମେ ଆଲୋଚନା କରିବାକୁ ଥିବା ପ୍ରସଙ୍ଗଟି ସମ୍ପୁର୍ଣ୍ଣ ଅଲଗା ଓ ତାହା ହେଲା ଆମ ରାଜ୍ୟ ଓଡ଼ିଶ।ର ପୁରୀ ଜିଲ୍ଲାସ୍ଥିତ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଦେଖିବା ଲାଗି ଭକ୍ତମାନଙ୍କୁ ଅନୁମତି ନମିଳିବା କେତେ ଠିକ୍? ଯଦି କୃଷକମାନଙ୍କ ସହ କୃଷିନୀତି ନେଇ ଆଲୋଚନା ଲାଗି କରୋନା ମହାମାରୀ ଆଇନକୁ ଏଡାଇ ଦିଆଯାଇପାରେ, ତେବେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶର ନିତିକାନ୍ତିକୁ ‘ନାମ୍ କେ ବାସ୍ତେ’ ଅଳ୍ପ କେତେକ ସେବାୟତଙ୍କ ଉପସ୍ଥିତିରେ ପାଳନ କରାଯିବା କେତେଦୂର ବିଧେୟ? ବରଂ ବିଭିନ୍ନ ସମ୍ପ୍ରଦାୟର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୨୦୨୦ ଡିସେମ୍ବର ୧ରୁ ମନ୍ଦିର, ମସଜିଦ ଓ ଚର୍ଚ୍ଚ ଖୋଲି ଦେବାପାଇଁ କେନ୍ଦ୍ର ସରକାର ଅନୁମତିଦେଲେ ଭଲ ହୁଅନ୍ତା । କିନ୍ତୁ ସେଥିଲାଗି ଭକ୍ତ ଓ ଶ୍ରଦ୍ଧାଳୁମାନେ ଉଦ୍ୟମ କରିବା ସହ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିନେଇ ଆବେଦନ କରିବା ଆବଶ୍ୟକ । ମନବଳ ଦୃଢ଼ କରିପାରିଲେ ସହଜରେ କରୋନା ଆକ୍ରମଣ କରିପାରିବ ନାହିଁ । ଏବଂ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ ଏ ସମ୍ପର୍କରେ ଯଦି ନକରାତ୍ମକ ମନୋଭାବ ପୋଷଣ କରନ୍ତି ତେବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏଥିନେଇ ସର୍ବୋଚ୍ଚ କୋର୍ଟରେ ଆବେଦନ କରିବା ବାଞ୍ଚନୀୟ ।

Leave A Reply

Your email address will not be published.

two × four =