ବିଜୁ ଜନତା ଦଳ (ବିଜେଡି) ଗଠନ ହେବା ପରଠାରୁ ଏହାର ନେତତ୍ୱ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ହାତରେ ରହି ଆସିଛି । ଦଳର ନିରଙ୍କୁଶ ନେତା ଭାବେ ସେ ଯେ, କେବଳ ସ୍ୱୀକୃତି ଲାଭ କରିଛନ୍ତି, ତାହା ନୁହେଁ, ନିଜର ସାଧାସିଧା ଚଳଣି ଓ ରାଜ୍ୟ ବାସୀଙ୍କ ଦ୍ୱାରା ପ୍ରଶଂସା ଲାଭ କରିଥିବା ଶ୍ରୀ ପଟ୍ଟନାୟକ ଏବେ ରାଜ୍ୟ ରାଜନିତିର ଇତିହାସରେ ଅନ୍ୟ ଏକ ପୃଷ୍ଠା ହେବାକୁ ଯାଉଛନ୍ତି । ସେ ଯେବେଠାରୁ ପ୍ରଥମ ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ତା’ ପରଠାରୁ ଏ ପର୍ଯ୍ୟନ୍ତ ସେ ପଛକୁ ଚାହିଁ ନାହାନ୍ତି । ସତ କହିବାକୁ ଗଲେ, ନବୀନ ଯେ ରାଜନିତିର ଯୋଡତୋଡ ସୁଆରେ ତିଷ୍ଠି ରହି ‘ପ୍ରବୀଣ ନେତା’ ହୋଇପାରିବେ; ସେ ଆଶା ଆରମ୍ଭରୁ ବହୁ ତଥାକଥିତ ବିଜେଡି ନେତାଙ୍କର ନଥିଲା । ଦେଶର ରାଜଧାନୀ ଦିଲ୍ଲୀରୁ ଆମେରିକା ପର୍ଯ୍ୟନ୍ତ ଭ୍ରମଣରତ ଶ୍ରୀ ପଟ୍ଟନାୟକଙ୍କୁ ଯେ ଓଡ଼ିଶା ରାଜନିତି ଯେ ଆକର୍ଷିତ କରିପାରିବ, ଏହି ଆଶା କେହି ରଖିନଥିଲେ ଓ ନିଜର ଆସନକୁ ସୁଦୃଢ଼ ତଥା ନିଷ୍କଂଟକ ଓ ନିରପେକ୍ଷ ରଖିବାଲାଗି କେବଳ ନବୀନ ହିଁ ଉଦ୍ୟମ କରି ଏଥିରେ ସଫଳ ହୋଇଛନ୍ତି । ଯେତେବେଳେ ସର୍ବପ୍ରଥମେ ବିଜେଡି ଗଠନ କରାଗଲା, ସେତେବେଳେ ଏଥିରେ ଯୋଗ ନଦେଇ ଏହାକୁ ‘ଗେଣ୍ଡା ଦଳ’ଆଖ୍ୟା ଦେଇଆସୁଥିବା ତଥାକଥିତ ଦାମ ବାବୁ, ରାଜା (ରଣେନ୍ଦ୍ର) ସ୍ୱାଇଁ ପରବର୍ତୀ ପର୍ଯ୍ୟାୟରେ ଏହି ଦଳ ସହିତ ମିଶିଥିଲେ । ତେବେ ପ୍ରଥମ ଥର ନିର୍ବାଚନରେ ହିଁ ନବୀନ ଦଳୀୟ ନେତା ରୂପେ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିନରେ ପାଟକୁରା ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ରୂପେ ଘୋଷିତ ବିଜୟ ମହାପାତ୍ରଙ୍କୁ ଯେପରି ଶେଷ ମୃହୁର୍ତରେ ବଦଳାଇ ଦେଲେ, ତାହା ତାଙ୍କର ନେତୃତ୍ୱକୁ ଆହୁରି ଶାଣିତ କରିଥିଲା । ଏକାଧିକ ବାର ସରକାର ଗଢ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଯେଉଁ ପୁରୁଖା ନେତା ମାନଙ୍କୁ ରାଜନିତିର ‘ଯୋଡ଼ତୋଡ଼’ ପଣିକିଆରେ ବିଜେଡିରୁ ବାହାରକୁ ବାଟ ଦେଖାଇ ଦେଇଥିଲେ, ତାହା ପ୍ରମାଣ କରିଥିଲା ଯେ, ଶ୍ରୀ ପଟ୍ଟନାୟକ ହିଁ ଦଳର ସବୁକିଛି ଓ ତାହା ହିଁ ଘଟିଥିଲା । ଯେଉଁମାନେ ରାଜନିତିରେ ନବୀନ ହେଉଛନ୍ତି ‘ନବୀନ’ ବୋଲି ଭାବୁଥିଲେ, ତାହାକୁ ସେ ଭୁଲ ପ୍ରମାଣୀତ କରିଥିଲେ । ଏମାନଙ୍କ ଭିତରେ ଥିବା ପ୍ରମୁଖ ନେତାମାନେ ହେଲେ ରାମକୃଷ୍ଣ ପଟ୍ଟାନାୟକ, କୁମୁଦିନୀ ପଟ୍ଟନାୟକ, କମଳା ଦାସ ଓ ଆହୁରି ଅନେକ ନେତା । ତେବେ ‘ରାଜନିତିରେ ଚାଣକ୍ୟ’ ଓ ‘ଅଙ୍କଲ’ ତଥା ବିଜେଡିର ଶକ୍ତ ଖୁଂଟ ରୂପେ ବିଦିତ ଅବସରପ୍ରାପ୍ତ ଆଇଏଏସ ପ୍ୟାରିମୋହନ ମହାପାତ୍ର ଦଳରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମଧ୍ୟ ତାଙ୍କୁ ଦଳ ବିରୋଧି କାର୍ଯ୍ୟଯୋଗୁ ବିଜେଡିରୁ ‘ପଥ ପଚାରି ପିତା ଘର ଯିବ, ଆଉ ଅଯୋଧ୍ୟା ମନେ ନକରିବ’ନୀତିରେ ବହିଷ୍କାର କରିବାକୁ ନବୀନଙ୍କୁ ଗୋଟିଏ ମୁହୁର୍ତ ଲାଗିନଥିଲା । ସେ ମଧ୍ୟ ପ୍ୟାରି ବାବୁଙ୍କୁ ତ୍ୟାଗ କରିବାପରେ ବିଜେପି ହାତ ଛାଡିବାକୁ ଆଦୌ ସମୟ ନେଇ ନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ବିଜେପି ହାତ ଛାଡିବା ପରେ ନିଜେ ପ୍ରତି ନିର୍ବାଚନ ମଣ୍ଡଳିରେ ବୁଲି ପ୍ରଚାର କରିବା ସହ ବିଜେଡି ତାଙ୍କ ନେତୃତ୍ୱରେ ଅଦ୍ୟାବଧି ନିରଙ୍କୁଶ ଆସନ ବିଧାନସଭାରେ ହାସଲ କରିଆସିଛି । ଏବେ ବିଜେଡି କହିଲେ ଏହା ଏକ ରକମ କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ବୁଝାଉଛି । ସାଧାରଣ ଜନତା ମଧ୍ୟ ନବୀନଙ୍କ ନାମରେ ଭୋଟ ଦେଉଛନ୍ତି । ସେପରି ପରିସ୍ଥିତିରେ ବିଜେଡି ବିଧାୟକ ପ୍ରଦିପ ପାଣିଗ୍ରାହୀଙ୍କୁ ଦଳ (ଅର୍ଥାତ ଦଳପତି) ଯେପରି ଭାବେ ନଭେମ୍ବର ୨୯ ତାରିଖ ରବିବାର ଦିନ ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କଲେ , ସେଥିରୁ ହଠାତ୍ କିଛି ବୁଝାପଡ଼ୁନଥିଲା । କିନ୍ତୁ ପ୍ରଦିପଙ୍କ ସାମ୍ବାଦିକ ସମ୍ମିଳନୀରେ ସେ ଯେପରି ସତ୍ୟର ସନ୍ଦାନରେ ରହିଛନ୍ତି, ସେଥିରୁ ଜଣା ପଡୁଛି କେଉଁଠି ନା’ କେଉଁଠି ବିଧାୟକ ଶ୍ରୀ ପାଣିଗ୍ରାହୀ ଦଳଠାରୁ ନିଜର ସ୍ୱାର୍ଥ ପାଇଁ ଦୁରେଇଯାଇଛନ୍ତି କିମ୍ବା ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହିତ ତିନିଥର ବିଧାୟକ, ଏକଦା ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ତଥା ପୂର୍ବତନ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ପ୍ରଦିପ ପାଣିଗ୍ରାହୀଙ୍କ ସମ୍ପର୍କ ତାଙ୍କୁ ମହଙ୍ଗା ପଡିଲା । ଏବେ ରାଜନିତିର ଇତିହାସରେ, ବିଶେଷତଃ ବିଜେଡିରେ ଥାଇ ନିମିଷକେ ଇତିହାସ ଚରିତ୍ର ପାଲଟୁଥିବା ଜନନେତାଙ୍କ ତାଳିକାରେ ଶ୍ରୀ ପାଣିଗ୍ରାହୀଙ୍କ ନାମ ଯୋଡି ହୋଇଗଲା କହିବା ଭୁଲ ହେବ ନାହିଁ ।