ଯେତେବେଳେ ମଣିଷର ସମସ୍ୟା ସଂଖ୍ୟା ବଢ଼ିଚାଲେ; ବିଶେଷତଃ ମୌଳିକ ସମସ୍ୟା ଗୁଡ଼ିକ ବଢ଼ିବାକୁ ଆରମ୍ଭ କରେ ସେତେବେଳେ ଆମ ପୂର୍ବପିଢ଼ିମାନେ କଥାଛଳରେ କହିଥାନ୍ତି, ଅଙ୍ଗାକ ଭାରେ ହେଲା । ତେବେ ଏହି ଉକ୍ତିକୁ ଆମେ ଏଠାରେ ପୂନରାବୃତି କରିବାର ପଛରେ କି କି କାରଣ ନିହିତ ଓ ଜଡିତ, ତାହା ପାଠକମାନେ ଅଳ୍ପେ ବହୁତେ କିଛି କିଛି ଜାଣିଛନ୍ତି । ଆମେ ଅଧିକ ସ୍ପଷ୍ଟ ଭାବେ ପାଠକମାନଙ୍କୁ ଏ ସମ୍ପର୍କରେ ଯାହା ଜଣାଇବାକୁ ଚାହୁଁ, ତାହା ହେଲା ଯେ, ବିଗତ ୯ମାସ ଧରି ଭାରତରେ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ । କିଛି ଭଲ ହେଉଥିଲା ବେଳେ ଆଉ କିଛି ଚିକିତ୍ସାଧୀନ ରହିଛନ୍ତି ଓ ବହୁ ଲୋକ ମୃତ୍ୟୁ ବରଣ କଲେଣି । ସେପରି ସ୍ଥଳେ କୋଭିଡ-୧୯ ଭୂତାଣୁ ଦାଉରୁ ରକ୍ଷା ପାଇବା ଲାଗି ୱାଶିଂଟନ୍ ଡିସିସ୍ଥିତ ଆମେରିକା ରାଷ୍ଟ୍ରପତି କାର୍ଯ୍ୟାଳାୟ ମଧ୍ୟ ମୁକ୍ତ ନୁହେଁ । ନିକଟ ଭବିଷ୍ୟତରେ ଅବସର ନେବାକୁ ଯାଉଥିବା ରାଷ୍ଟ୍ରପତି ଡୋନାଲ ଟ୍ରାମ୍ପ ଏଥିରେ ଆକ୍ରାନ୍ତ ହେବା ଓ ତାଙ୍କର ପତ୍ନୀ ମଧ୍ୟ ଆକ୍ରାନ୍ତ ହେବା ପରେ ଉଭୟଙ୍କର ଚିକିତ୍ସା ଚାଲିଥିଲା ଓ ଦୁହେଁ ଏବେ କରୋନା ମୁକ୍ତ । ତେବେ ପ୍ରତ୍ୟେକ ଭାରତୀୟ ମନରେ ସ୍ୱତଃ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସର୍ବାଧିକ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଦେଖାଦେବା ଏବଂ ସର୍ବାଧିକ ମୃତକ ଆମେରିକାର ଓ ବ୍ରାଜିଲର ହୋଇଥିଲା ବେଳେ ରୂଷ ଓ ତୁର୍କୀ ସମେତ ଆହୁରି ଅନେକ ରାଷ୍ଟ୍ରରେ ହଜାର ହଜାର କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ଭାରତରେ ସଂକ୍ରମିତ ସଂଖ୍ୟା ବଢ଼ିବା ଦେଶକୁ ଏକ ବିଚିତ୍ର ଓ ଅସହାୟ ପରିସ୍ଥିତିରେ ଛିଡା କରାଇ ଦେଇନାହିଁତ! ଗୋଟିଏ ପଟେ କୋଭିଡ ମୁକାବିଲା ପାଇଁ ସରକାର ୫ ଥର ଲକ୍ଡାଉନ୍ ଘୋଷଣା କରିବାରୁ ଦେଶର ଅର୍ଥନୀତି ବସ୍ତୁତଃ ସ୍ଥାଣୁ ପାଲଟି ଯାଇଛି କହିଲେ ଚଲେ । ଯଦିଓ ୫ ଥର କେନ୍ଦ୍ର ପକ୍ଷରୁ ଅନ୍ଲକ୍ ପ୍ରକିୟା ଗ୍ରହଣ କରାଯାଇଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ । ଅନ୍ୟପଟେ କୋଭିଡ-୧୯ ଭୂତାଣୁ ସର୍ବପ୍ରଥମେ ଆମର ପଡୋଶୀ ରାଷ୍ଟ୍ର ଚାଇନାରେ ଆତ୍ମପ୍ରକାଶ କରିଥିଲା । ବର୍ଷକ ପରେ ସାରା ବିଶ୍ୱ ଯେତେବେଳେ ମହାମାରୀରେ ଆକ୍ରାନ୍ତ ଓ ଟିକା ଯେପରି ହେଲେ ଉଦ୍ଭାବନ କରିବାକୁ ଅସ୍ତବ୍ୟସ୍ତ, ସେତେବେଳେ ଚୀନ୍ ଏହାକୁ ନେଇ ଯେପରି ଭାରତକୁ ବଦନାମ କରିବା ପାଇଁ ଚେଷ୍ଟାରତ, ତାହା ଅତ୍ୟନ୍ତ ନିନ୍ଦନୀୟ । ଗୋଟିଏ ପଟେ ବିଶ୍ୱ ତଥା ଭାରତର ବହୁ ଲୋକ କୋଭିଡ ମହାମାରୀ ଯୋଗୁ ମୃତ୍ୟୁମୁଖରେ ପଡିବା ସହ ଅନ୍ୟ ପଟେ ଅର୍ଥନୀତିକୁ ବିକାଶ ଠପ୍ ହୋଇଥିଲେ ହେଁ ଏଥିପ୍ରତି ସମ୍ବେଦନା ପ୍ରକାଶ କରିବା ତ’ ଦୂରର କଥା, ବରଂ ମହାମାରୀ ଆକ୍ରାନ୍ତ ଭାରତ ପିଠିରେ ଏହା ଘା’ରେ ଚୁନ ମାରିଲା ଭଳି ଯନ୍ତ୍ରଣା ଦେଉଛି । ସାରା ପୃଥିବୀବାସୀ ଜାଣନ୍ତି ଯେ, ଚୀନ୍ର ଉହାନ ସହରରେ ଥିବା ବ୍ୟାଟ ମାର୍କେଟରୁ କୋଭିଡ-୧୯ ଭୂତାଣୁର ଉତ୍ପତି । ଅଥଚ ଏବେ ଚୀନ୍ କତୃପକ୍ଷ କେତେକ ବିବୃତି ଦେଇ ଏହା କହିବାକୁ ପଛାଇ ନାହାନ୍ତି ଯେ, ଭାରତରେ ବହୁ ଲୋକ ସାଧାରଣ ଭାବେ ଅସୁସ୍ଥ ଓ ସେମାନଙ୍କଠାରୁ ଏହି ମହାମାରୀ ଭୂତାଣୁ ଚିନରୁ ଆସି ସାରା ବିଶ୍ୱକୁ ବ୍ୟାପିଛି । ଏହା ଶୁଣିଲେ ‘ପାଗଳର ପ୍ରଳାପ’ ବୋଲି ମନେ ହୁଏ । ମହାମାରୀ ଭୂତାଣୁକୁ ନେଇ ଭାରତ ଉପରେ ଦୋଷ ଲଦିବା, ଚୀନ କରିଥିବା ଯୋଜନାର ଏକ ଅଂଶବିଶେଷ ଭଳିମନେ ହୁଏ । ଗୋଟିଏ ପଟେ ଜିନ୍ ପିଙ୍ଗ ଚୀନ୍ ସେନା ବାହିନୀକୁ ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଲାଗି ଆହ୍ୱାନ ଦେବା ଓ ଅନ୍ୟ ପଟେ ଏହି ଭୂତାଣୁ ଚାଇନା ମାଟିରୁ ଆସିନାହିଁ ଓ ଭାରତରୁ ଆସିଛି ବୋଲି ନିଜ ଦେଶବାସୀଙ୍କୁ ବୁଝାଇବା ‘ଗାଲୁଆମୀ’ ବ୍ୟତିତ ଆଉ କ’ଣ ବା ହୋଇପାରେ । ୨୦୨୦ ସରିବାକୁ ବସିଲାଣି । ଅଥଚ କରୋନା ବଢ଼ିନଥିଲେ ମଧ୍ୟ ଥମିବାର ନା ଧରୁନି । ଏଥିଯୋଗୁ ଭାରତ ମଧ୍ୟ ଅର୍ଥନୀତିରେ ଚାପଗ୍ରସ୍ତ ହୋଇଛି । ଏ ସମ୍ପର୍କରେ ଅଧିକ ଅନୁଶୀଳନ କରାଯିବା ଆବଶ୍ୟକତା ଏବେ ଅଧିକ । ଚୀନ୍ ଯାହା କହିଛି, ଚାହା କେବଳ ପଡୋଶୀ ରାଷ୍ଟ୍ର ଗୁଡିକରେ, ସର୍ବୋପରି ଭାରତ ବର୍ଷରେ ଆଲୋଡନ ସୃଷ୍ଟି କରିବା ଉଦେଶ୍ୟ ରଖି କରାଯାଇଛି । ଆଗାମୀ ଦିନରେ ଏଥିପ୍ରତି ଭାରତ ସରକାର ସଦାସବଦା ଅଲର୍ଟ ରହିବା ଜରୁରୀ । ତାହା ନହେଲେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପୁର୍ନବାର ଦେଖା ଦେବା ଆଦୌ ଅସମ୍ଭବ ନୁହେଁ ।