ଏ’ କଥା ରହିଲେ ହେଲା


ବିଶ୍ୱରେ ପ୍ରତ୍ୟେକ ମଣିଷ ଅନ୍ୟଠାରୁ ନିଆରା । କେଉଁଠି ନା କେଉଁଠି, ଚେହେରାରେ ହେଉ ବା ଅଙ୍ଗୁଳି ଛାପରେ ହେଉ ଅଥବା ଦୃଷ୍ଟିଭଙ୍ଗିରେ ହେଉ କିଛିଟା ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ ଓ ସେଥିରୁ ଭିନ୍ନତା ବାରି ହୋଇପଡେ । ସମାନ ଢ଼ଙ୍ଗରେ ସମ୍ପର୍କୀୟ, ଏକ ଭାଷାଭାଷୀ, ଏକ ରାଜ୍ୟ ବା ଦେଶର ଲୋକମାନେ କୌଣସି ନା କୌଣସି ଶାରୀରିକ ଅଥବା ଗୁଣଗତ କିମ୍ବା ମୌଳିକ ଚାହିଦାରେ ଏକତ୍ୱବୋଧ ଓ ଅଭିନ୍ନତା ରହିଲେ ତାହା ଏହି ସମ୍ପର୍କ ନେଇ ପରିଚିତି ଦେଇଥାଏ । ଏହା ଆମେ ଏଠାରେ କହିବାର ଅର୍ଥ ହେଲା ଯେ, ଶୁକ୍ରବାର ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ଯୁବ ଜନତା ଦଳର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ନବୀନ ପଟ୍ଟନାୟକ ଉଦ୍ବୋଧନ ଛଳରେ ଯାହା କହିଛନ୍ତି, ସେଥିରେ ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶାବାସୀ ଖୁସୀ ହେବା ସ୍ୱାଭାବିକ । ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ଯାହା ୧୯୯୭ ଡିସେମ୍ବର ୨୬ ତାରିଖ ଦିନ ଗଠିତ ହେବା ସହିତ ନବୀନ ପଟ୍ଟନାୟକ ଏହାର ସଭାପତି ରହିଥିଲେ ଓ ସେହିଦିନ ଠାରୁ ଏପର୍ଯ୍ୟନ୍ତ ଦଳପତି ରହିଆସିଥିବା ନବୀନ ପଟ୍ଟନାୟକ ମଧ୍ୟ ପ୍ରଥମ ଥର ଲାଗି ଏକବିଂଶ ଶତାବ୍ଦିର ଅବ୍ୟବହିତ ପୂର୍ବରୁ ପ୍ରଥମ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରେ ଆଉ କେବେ ପଛକୁ ଫେରିନାହାନ୍ତି । ବରଂ ୨୦୧୯ ମେ’ ୨୯ରେ ପଂଚମ ଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରି ସେ ତାଙ୍କର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଓ ବିଜେଡି ମୁଖ୍ୟ ରହି ବିଜୁ ଯୁବଜନତା ଦଳ କାର୍ଯ୍ୟକାରିଣୀରେ ପ୍ରଥମ ଥର ଲାଗି ଯେଉଁଭଳି ଶକ୍ତିଶାଳୀ ଶବ୍ଦ ପ୍ରୟୋଗକରି ଯୁବ ଜନତା ପଦାଧିକାରୀ ଓ କର୍ମୀମାନଙ୍କୁ ଉଚ୍ଛାହିତ କରିଛନ୍ତି, ତାହା ବିଜୁବାବୁଙ୍କ କଥା ସ୍ମରଣ କରାଇ ଦେଇଥାଏ । ନବୀନ କହିଛନ୍ତି ନିର୍ବାଚନ ଜିତିବା, କ୍ଷମତା ହାତେଇବା ଓ କେନ୍ଦ୍ରରେ ସରକାର ଗଢ଼ିବା ଜାତୀୟ ଦଳର ମୂଳ ଲକ୍ଷ୍ୟ । ନିର୍ବାଚନ ଶେଷରେ ରାଜ୍ୟ ଗୁଡିକୁ ଅଣଦେଖା କରିଥାନ୍ତି । ରାଜ୍ୟରେ ଥିବା ସେହି ସବୁ ଦଳର ନେତାମାନେ କେବଳ ନିଜ ପଦପଦବୀକୁ ଜଗିଥାନ୍ତି । କିନ୍ତୁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ କ୍ଷେତ୍ରରେ ପ୍ରଚାର ଓ ପ୍ରସାର ପାଇଁ ବିଜେଡି କାମ କରିଆସୁଛନ୍ତି । ଆଗକୁ ମଧ୍ୟ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଅଟଳ ରହିବ । ନବୀନ ପଟ୍ଟନାୟକ ମଧ୍ୟ ଅତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମର କେହି ଦିଲ୍ଲୀରେ ମାଳିକ ନାହାନ୍ତି । କେବଳ ଓଡ଼ିଶାବାସୀ ଆମର ମାଲିକ ।
ତେବେ ଏଠରେ ଆମର କହିବାର କଥା ହେଲା ଯେ, ରାଜ୍ୟର ଉନତି ଓ ବିକାଶ ଲାଗି କେନ୍ଦ୍ରସରକାରଙ୍କୁ ଆବଶ୍ୟକମତେ ସମର୍ଥନ ଯୋଗାଇ ଆସୁଥିବା ଦଳପତି ହଠାତ୍ ଉଭୟ ଜାତୀୟ ଦଳ କଂଗ୍ରେସ ଓ ବିଜେପିକୁ ଏକତ୍ର ତୀବ୍ରସମାଲୋଚନା କଲେ କାହିଁକି? ବୋଧହୁଏ ନିଜର ବ୍ୟକ୍ତିଗତ ଛାପ ରାଜ୍ୟର କୋଣେ କୋଣେ ରଖିବା ଓ ସାମଗ୍ରିକ ଭାବେ ମୁଖ୍ୟମନ୍ତ୍ରୀମାନଙ୍କ ଇତିହାସ ପୃÂାରେ ନିଜେ ଆଗରେ ରହିବାର ଏକ ‘ସବ୍ କନ୍ସସ’ ମାନସିକ ଭାବନାର ଉଦ୍ବେଳନ ପରବର୍ତୀ ପ୍ରତିଫଳନ କି? ଦେଶ ବିଦେଶ ସହ ସୁପରିତିତ ନବୀନ ମଧ୍ୟ ଓଡ଼ିଶା ବାହାରେ ଶିକ୍ଷା ଲାଭ କରିବା ଓ ଜୀବନର ଅର୍ଦ୍ଧାଧିକ ସମୟ ଦେଶର ରାଜଧାନୀ ଦିଲ୍ଲୀରେ ବିତାଇବା ତାଙ୍କର ମାନସିକତାକୁ ଉର୍ଦ୍ଧକୁ ତୋଳି ରଖିବାରେ ସମର୍ଥ ହୋଇଛି । ସେଥିଲାଗି ରାଜଧାନୀ ଭୁବନେଶ୍ୱର ସୌନ୍ଦର୍ଯି୍ୟକରଣ ଓ ପୁରୀ ଶ୍ରୀମନ୍ଦିର ଦର୍ଶନର ସୁ-ବ୍ୟବସ୍ଥା କରିବା ସହିତ ବିଭିନ୍ନ କ୍ଷେତ୍ରରେ ଶିକ୍ଷୀତ ବେକାର ଓ ମହିଳା ମାନଙ୍କ ଲାଗି କେତେକ ନିର୍ଦ୍ଧଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ତାଙ୍କର ପ୍ରଚେଷ୍ଟା ବାସ୍ତବରେ ଅଭିନନ୍ଦନୀୟ । ସେହିପରି ଏକାମ୍ରକ୍ଷେତ୍ରକୁ ପର୍ଯ୍ୟଟକମାନଙ୍କ ଲାଗି ଅଧିକ ଆକର୍ଷଣୀୟ କରିବା ନିମିତ ସେ ମଧ୍ୟ ସବୁପ୍ରକାର ଉଦ୍ୟମ କରିଛନ୍ତି । ଯଦିଓ ତାଙ୍କର ବାପା ରାଜ୍ୟର ଦୁଇ ଥର ମୁଖ୍ୟମନ୍ତ୍ରୀ ଓ ଏକାଧିକ ବାର କେନ୍ଦ୍ରମନ୍ତ୍ରୀ ରହିବା ସହିତ ଓଡ଼ିଶାର ବିକାଶ ଲାଗି କରିଥିବା ଉଦ୍ୟମର ପଟାନ୍ତର ନାହିଁ, କିନ୍ତୁ ନବୀନ ନିଜେ ଯେପରି ଭାବେ ରାଜନୀତିରେ ନବୀନ ହୋଇପଶିବା ବେଳେ ବିଜୟ ମହାପାତ୍ର, ଦିଲିପ ରାୟ, ରାମକୁଷ୍ଣ ପଟ୍ଟନାୟକ, ଦାମୋଦର ରାଉତଙ୍କ ସମେତ ବହୁ ବରିÂ ଦଳୀୟ ନେତାଙ୍କୁ ‘ପଥ ପଚାରି ପିତା ଘର ଯିବ, ଆଉ ଅଯୋଧ୍ୟା ମନେ ନକରିବ’ ନୀତିରେ ଅଲଗା କରିବା ସହିତ ‘ଅଙ୍କଲ’ ରୂପେ ପରିଚିତ ପ୍ୟାରିମୋହନ ମହାପାତ୍ରଙ୍କୁ ଅଲଗା କରିବା ସହିତ ବିଜେପି ହାତଛାଡି ରାଜ୍ୟ ରାଜନୀତିରେ ଆଗକୁ ଯାଇଛନ୍ତି, ତାହା ପ୍ରମାଣ କରିଛି ଯେ, ନବୀନ ରାଜନୀତିରେ ଆଉ ‘ନବୀନ’ ହୋଇ ନାହାନ୍ତି, ବରଂ ସେ ପ୍ରବୀଣ ରାଜନୀତିଜ୍ଞ ପାଲଟି ଯାଇଥିବାରୁ ଏବେ ଆମେ ଯାହା ଭାବୁ, ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଯାତ୍ରାରମ୍ଭ କରିଛନ୍ତି ।

Leave A Reply

Your email address will not be published.

three × four =