ରାଉରକେଲା ଇସ୍ପାତ କାରଖାନାରେ ବୁଧବାର ଗ୍ୟାସ୍ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିନେଇ ବିଭିନ୍ନ ସଂଗଠନର ସ୍ଥାନୀୟ ଶ୍ରମିକ ନେତାମାନେ ହସ୍ପିଟାଲରେ ପହଂଚିବା ସହିତ ମୃତ ଶ୍ରମିକମାନଙ୍କ ପରିବାର ବର୍ଗକୁ ଉପଯୁକ୍ତ କ୍ଷତିପୁରଣ ଦେବା ସହିତ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦାବି କରିଥିବା ପ୍ରକାଶ । ଡିଆଇଜି କବିତା ଜଲାନ ଓ ଏସ୍ପି ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ନେତାମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହିତ ମିଳିଥିବା ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶବ ବ୍ୟବଛେଦ ହୋଇଥିଲା । ମୃତ ଶ୍ରମିକମାନେ ହେଲେ ଅଭିମନ୍ୟୁ ଶାହ, ବ୍ରହ୍ମାନନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ପହିଲ ଓ ରବୀନ୍ଦ୍ର ସାହୁ । ଅନ୍ୟ ୬ ଜଣ ଅସୁସ୍ଥ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସାପରେ ଛାଡିଦିଆଯାଇଛି । ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଗତକାଲି ସକାଳ ବେଳା ହେଇଥିବା ଗ୍ୟାସ୍ ଲିକ୍ ନେଇ କର୍ତବ୍ୟରେ ଅବହେଳା ଯୋଗୁ ଦୁଇ ଜଣ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ଓ ଘଟଣାର ତଦନ୍ତ ଲାଗି ତିନି ଜଣିଆ କମିଟି ଗଠନ କରାଯାଇଛି । ଏପରିକି, ଇସ୍ପାତ କରାଖାନା ମୁଖ୍ୟ ମଧ୍ୟ ଶ୍ରମିକ ସଂଗଠନ ଗୁଡ଼ିକର ଦାବି ଗ୍ରହଣ କରିନେଇଥିବା ଯୋଗୁ ଏବେ ପ୍ରତ୍ୟେକ ପରିବାର ବର୍ଗଙ୍କୁ କ୍ଷତିପୁରଣ ବାବଦକୁ ୨.୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଓ ମୃତକଙ୍କ ପରିବାରର ଜଣଙ୍କୁ ଇସ୍ପାତ କାରଖାନାରେ ଚାକିରି କ୍ଷେତ୍ରରେ ଶତପ୍ରତିଶତ ସହାୟତା ଦେବାଲାଗି ଦାବି କରାଯାଇଥିଲା ବେଳେ ଏ ଗୁଡ଼ିକୁ ପୂରଣ କରିବାକୁ କାରଖାନା ରାଜି ହୋଇଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଅଢେ଼ଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୁରଣ ରାଶିର ଚେକ୍ ପ୍ରଦାନ କରାଯାଇଛି । ତେବେ ଏଠାରେ ଆମର କହିବାର କଥା ହେଲେ ଯେ, ସିସିଡିର ସାଇଟ୍-ଏରେ ରକ୍ଷଣାବେକ୍ଷଣ କାମ ବୁଧବାରଠାରୁ ଆରମ୍ଭ କରାଯାଇଥିଲା ବେଳେ ଏପରି ଘଟିଛି । ପାଇପ୍ ଗୁଡ଼ିକରେ ପ୍ରବାହିତ କାର୍ବନ ମନୋକସାଇଡ ପ୍ରବାହିତ ହେଉଛିକି ନା ତାହା ଦେଖି ସର୍ବ ପ୍ରଥମେ ଏହାକୁ ଖାଲିକରାଯିବା କଥା । କିନ୍ତୁ ତାହା ହୋଇନଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହା ନିୟମର ଉଲ୍ଲଂଘନ ବ୍ୟତିତ ଆଉକିଛି ହୋଇନପାରେ । ତେଣୁ ଏଥିପ୍ରତି ଉଭୟ ରାଜ୍ୟ (ଓଡ଼ିଶା) ଓ କେନ୍ଦ୍ରସରକାର ସର୍ବ ପ୍ରଥମେ ଦୃଷ୍ଟି ଦେବା ଆବଶ୍ୟକ ।