ଭୁବନେଶ୍ୱର: ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ସଂକ୍ରମିତ ହୋଇପାରିବେ କିନ୍ତୁ ସେମାନେ ଗୁରୁତର ହେବାର ସମ୍ଭାବନା କମ୍ । ସେହିପରି ଯେଉଁମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ସେମାନେ ଡବଲ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା ଡ.ଜୟନ୍ତ ପଣ୍ଡା ।
କରୋନାର ୨ୟ ଲହର ନେଇ ମଙ୍ଗଳବାର ରାଜ୍ୟସରକାରଙ୍କ ପକ୍ଷରୁ ଆୟୋଜିତ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ୨ୟ ଲହର ଅଧିକ ସଂକ୍ରାମକ ରହିଛି । ସବୁ ବର୍ଗର ଲୋକଙ୍କୁ ଏହି ଷ୍ଟେ୍ରନ ସଂକ୍ରମିତ କରୁଛି । ଯୁବବର୍ଗ ଓ ଶିଶୁମାନଙ୍କୁ ମଧ୍ୟ ଏହା ସଂକ୍ରମିତ କରୁଛି । ତେବେ ଆଶ୍ୱସ୍ତିର କଥା ହେଉଛି ମୃତ୍ୟୁ ହାର ଏପର୍ଯ୍ୟନ୍ତ ସୁଦ୍ଧା କମ ରହିଛି । ସେ କହିଛନ୍ତି ଯେ ଏହି ମ୍ୟୁଟାଂଟ ଷ୍ଟେ୍ରନ ବାୟୁମଣ୍ଡଳରେ ଅଧିକ ସମୟ ରହୁଛି । ଏଣୁ କାର ଭିତରେ, ଥିଲେ ବା ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ । କରୋନା ସଂକ୍ରମିତ ହେବାର ଲକ୍ଷଣ ଦେଖାଦେଲେ ନିଜକୁ ଘରେ ସଂଗରୋଧ କରିବା ଓ ଘର ଲୋକଙ୍କୁ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଧ୍ୟାନ ରଖିବା ଉଚିତ ବୋଲି ସେ କହିଛନ୍ତି ।
ସେହିପରି ଡାକ୍ତର ସମ୍ପଦ ଦାସଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି । ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ । ପୂର୍ବ ବର୍ଷ ଆକ୍ରାନ୍ତ ହୋଇଥିବା ଲୋକ ଏବର୍ଷ ମଧ୍ୟ ପୁଣି ସଂକ୍ରମିତ ହେଉଛନ୍ତି । ତେବେ ମୃତ୍ୟୁହାର କମ ଥିବା ଆମ ପାଇଁ ଏକ ଆଶ୍ୱସ୍ତିର ବିଷୟ । ଏବର୍ଷ ରୋଗୀଙ୍କଠାରେ ନୂଆ ଲକ୍ଷଣ ଦେଖାଯାଉଛି କହିଲେ ଡାକ୍ତର ଦାସ । ତେବେ ବାନ୍ତି ହେବା, ପତଳା ଝାଡ଼ା ହେବା ଲକ୍ଷଣ ରୋଗୀଙ୍କଠାରେ ଦେଖାଯାଉଥିବା ସେ କହିଛନ୍ତି ।
ସ୍ୱଳ୍ପ ଲକ୍ଷଣ ଥିଲେ ଗୃହ ପୃଥକବାସରେ କୋଭିଡ୍ ରୋଗୀ ରହିପାରିବେ । ଏପରି କ୍ଷେତ୍ରରେ ରୋଗୀ ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବ । ମଧ୍ୟମ ଓ ଗୁରୁତର ଲକ୍ଷଣ ଥିବା ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେବା ଆବଶ୍ୟକ । ଡାକ୍ତରଖାନାରେ ରହି ଚିକିତ୍ସିତ ହେବାକୁ ହେଲେ ରୋଗୀକୁ କୋଭିଡ୍ ପଜିଟିଭ୍ ରିପୋର୍ଟ ସାଙ୍ଗରେ ଆଣିବା ଜରୁରୀ । ଅନ୍ୟ କୌଣସି କାଗଜାତର ଆବଶ୍ୟକତା ନାହିଁ । ଜନସାଧାରଣ ୧୦୪କୁ କିମ୍ବା ସହରାଂଚଳରେ ୧୯୨୯କୁ ଫୋନ କରି ଆମ୍ବୁଲାନ୍ସ ସହାୟତା ପାଇପାରିବେ । ଶତକଡ଼ା ୯୦ ଭାଗ ରୋଗୀଙ୍କର ଚିକିତ୍ସା ଗୃହ ପୃଥକବାସରେ ରହି କରାଯାଇ ପାରିବ । ତେଣୁ ଅଯଥା ଡାକ୍ତରଖାନାରେ ଭିଡ଼ ଜମାଇବାର ଆବଶ୍ୟକତା ନାହିଁ ।