ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଦାବି

ଭୁବନେଶ୍ୱର: ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆମ ରାଜ୍ୟ ଏବଂ ରାଜ୍ୟ ବାହାରର ତିରିଶରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଶ୍ରୀ ଚିନ୍ମୟ ବୋଡେଙ୍କ ପ୍ରାରମ୍ଭିକ ଅଭିଭାଷଣ ଏବଂ କଣ୍ଠଶିଳ୍ପୀ ଶ୍ରୀମତୀ ମନସ୍ୱିନୀ ମହାପାତ୍ରଙ୍କ ଦ୍ୱାରା ଆମେ ଶିଳ୍ପୀ ଆମେ ଶ୍ରମିକ କବିତା ଗାନ ପରେ ଶ୍ରମିକମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବା ସହ ସେମାନଙ୍କୁ ଶୋଷଣ ମୁକ୍ତ କରିବା ଦିଗରେ ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରାଯାଇଥିଲା । ବିଶିଷ୍ଟ ସମାଜସେବୀ ଅଧିବକ୍ତା ବିଷ୍ଣୁପ୍ରସାଦ ଶର୍ମା ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସମାଧାନ ଏବଂ ଯୁବ ସମାଜସେବୀ ରାଜୀବ ଶଗଡ଼ିଆ ଦାଦନ ଶ୍ରମିକଙ୍କ ଐତିହାସିକ ପୃଷ୍ଠଭୂମି, ନିର୍ଯାତନା ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଟିଟିଲାଗଡ଼ ଶାଖା ସଭାପତି ଶ୍ରୀ ଗଜାନନ ମିଶ୍ର ସୃଜନୀ ଶ୍ରମ ଏବଂ କେନ୍ଦ୍ରୀୟ କମିଟି ସଭାପତି ବସନ୍ତ କୁମାର ତ୍ରିପାଠୀ କୋଭିଡ୍ କାଳରେ ଶ୍ରମିକଙ୍କ ବିପତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଶା ୧୯୭୫ ମସିହାରେ ଦାଦନ ଶ୍ରମିକ ଆଇନ୍ କରି ଶ୍ରମିକମାନଙ୍କ ସୁରକ୍ଷା ଦିଗରେ ସମଗ୍ର ଭାରତବର୍ଷକୁ ଦିଗ୍‌ଦର୍ଶନ ଦେଇଥିଲେ ମଧ୍ୟ ଏହା ବିଶେଷ ଫଳଦାୟକ ହୋଇ ନପାରିଥିବାରୁ କେନ୍ଦ୍ର ସରକାର ୧୯୭୮ ଦାଦନ ଆଇନ୍ ପାରିତ କରି ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ବ୍ୟବସ୍ଥା କରିଥିଲେ । ମାତ୍ର ତାହା ମଧ୍ୟ ଆଜି ଶ୍ରମିକମାନଙ୍କୁ ଆଶାଜନକ ସୁରକ୍ଷା ଦେଇପାରିନାହିଁ । ଏହି ସ୍ଥିତିରେ ଆମ ରାଜ୍ୟରୁ ଯାଉଥିବା ଦାଦନ ଏବଂ ପ୍ରବାସୀ ଶ୍ରମିକମାନଙ୍କ ଅସୁବିଧାର ବିଭିନ୍ନ ଦିଗକୁ ଅନୁଶୀଳନ କରାଯାଇ ଆମ ରାଜ୍ୟ ସରକାରଙ୍କ ନିକଟରେ ନିମ୍ନ ଦାବି ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯିବା ସହ ବିଭିନ୍ନ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହେଲା ।
ଆମ ରାଜ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିୟୋଜିତ କରୁଥିବା ସମସ୍ତ ସଂସ୍ଥାମାନେ ପ୍ରଥମେ ସମ୍ପୃକ୍ତ ଆଇନ୍ ଅନୁଯାୟୀ ଏଥିପାଇଁ ରେଜିଷ୍ଟ୍ରିଭୁକ୍ତ ହେବା ଅତ୍ୟନ୍ତ ଜରୁରୀ ଅଟେ । ଏଥିସହିତ ଏହି ସଂସ୍ଥାମାନେ ଅନ୍ୟ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଉଚିତ୍ ପାରିଶ୍ରମିକ ଏବଂ ଅନ୍ୟାନ୍ୟ ଆନୁସଙ୍ଗୀକ ସୁବିଧା ସୁଯୋଗ ଯୋଗାଇ ଦେବା ବାଧ୍ୟତାମୂଳକ କରାଯାଉ । ଏହା କରାଗଲେ ଉକ୍ତ ସଂସ୍ଥାମାନେ ତୁଳନାତ୍ମକ ଭାବରେ ଅଧିକ ଖର୍ଚ୍ଚାନ୍ତ ହେଲେ ସେମାନେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ ନକରି ଆମ ରାଜ୍ୟର ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରିବାକୁ ବାଧ୍ୟ ହେବେ । ଯାହା ପରୋକ୍ଷରେ ଆମ ସମସ୍ୟା ଦୂର କରିପାରିବ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ମହେନ୍ଦ୍ର ଯୋଶୀ, ତ୍ରିନାଥ ସାମନ୍ତରାୟ, ଯଯାତି କେଶରୀ ଜେନା, ଜିତେଶ ପଣ୍ଡା, ଶ୍ରୀନିବାସ ରାଓ, ମୁକେଶ ରଥ, ଅର୍ପିତା ମିଶ୍ର, ଇତିଶ୍ରୀ ଜେନା, ସୂର୍ଯ୍ୟନାରାୟଣ ବେହେରା, ଅଂଶୁମାନ ବାଗ୍‌, ରାଜେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିବାବେଳେ ଇଂ. ସତ୍ୟଜିତ୍ ନାୟକ କାର୍ଯ୍ୟକ୍ରମର ଉପସ୍ଥାପନା ଏବଂ ଇଂ. ଜିତେନ୍ଦ୍ର କୁମାର ପାଢ଼ୀ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ । ଶେଷରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜ ଧନ୍ୟବାଦ ଅର୍ପଣ ସହ ଏ ବିଷୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବିଷୟ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

19 − one =