ସର୍ପାଘାତରେ ୭ବର୍ଷରେ ଗଲାଣି ୨୨୨ ଜୀବନ

ଯାଜପୁର: ଯାଜପୁର ଏକ ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ହୋଇଥିବା ବେଳେ ସର୍ପାଘାତ ଜିଲ୍ଲାବାସୀଙ୍କ ପାଇଁ ବିପଦ ଆଣୁଛି । ଜିଲ୍ଲାର ଚତୁଃପାର୍ଶ୍ୱରେ ନଦୀନାଳ ଘେରା ହୋଇଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟ ରହିଛି । ଫଳରେ ପ୍ରତିବର୍ଷ ଜିଲ୍ଲାରେ ସାପ କାମୁଡା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଉଛି । ଯାହାକି ଝଡାଫୁଙ୍କାର ଅନ୍ଧବିଶ୍ୱାସ ଓ ରୋଗୀ ସେବାକୁ ଗୁରୁତ୍ୱ ଦିଆଯାଉନଥିବାରୁ ଅନେକଙ୍କ ଜୀବନ ଯାଉଛି ।
ଯାଜପୁର ଜିଲ୍ଲା ବଣପାହାଡ଼ ଘେରା ହୋଇଥିବା ବେଳେ ସବୁ ବେଳେ ସର୍ପଘାତର ଭୟ ରହିଛି । ଦଶରଥପୁର,ଯାଜପୁର,ବରୀ,ବିଂଝାରପୁର ବ୍ଲକର ଅଧିକାଂଶ ଅଞ୍ଚଳ ନଦୀ ସଂଲଗ୍ନ ହୋଇଥିବା ବେଳେ ସୁକିନ୍ଦା, ଦାନଗଦି,ବଡଚଣା ଓ ଧର୍ମଶାଳା ଜଙ୍ଗଲ ପାହାଡ ଘେରା ମଧ୍ୟରେ ରହିଛି । ତେଣୁ ସବୁ ବେଳେ ଜିଲ୍ଲାରେ ସାପ ଭୟ ରହୁଛି । ବିଭିନ୍ନ ସମୟରେ ବିଷଧର ସାପଙ୍କୁ ଉଦ୍ଧାର କରାଯାଉଥିବା ଖବର ଆସୁଥିବା ବେଳେ ଅନେକ ସମୟରେ ସାପ ଦଂଶନରେ ଅକାଳରେ ଲୋକଙ୍କ ଜୀବନ ଯାଉଛି । ଆଜି ବି ଲୋକମାନେ ଅନ୍ଧ ବିଶ୍ୱାସକୁ ମାନି ଝଡାଫୁଙ୍କାକୁ ବିଶ୍ୱାସ କରୁଥିବା ବେଳେ ଡାକ୍ତରଖାନା ଆଣିବାକୁ ପଛଘୁଞ୍ଚା ଦେଉଛନ୍ତି । ଏପରିକି ଲୋକ ଗୁରୁତର ହେଲେ ଡାକ୍ତରଖାନା ଆଣିଲା ବେଳକୁ ବାଟରେ ଚାଲିଯାଉଛି ଜୀବନ । ଯାହାକି ମୃତକଙ୍କ ସଂପର୍କୀୟ ଡାକ୍ତରଖାନା ଓ ଡାକ୍ତରଙ୍କ ଅବହେଳା ଉପରେ ପ୍ରଶ୍ନ ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସର୍ପାଘାତ ଔଷଧ ରହିଥିବା ବେଳେ ଜିଲ୍ଲାରେ ବର୍ଷକୁ ପାଖାପାଖି ୫ ହଜାର ଇଂଜେକସନ୍ ଆବଶ୍ୟକତା ରହିଥାଏ ଓ ଯୋଗାଣ ମଧ୍ୟ ହୋଇଥାଏ । ଯାହାକୁ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେଣ୍ଟାର ଷ୍ଟୋରରୁ ସମସ୍ତ ୧୧ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥାଏ । ପ୍ରତି କେନ୍ଦ୍ରରେ ୨୦ଟି ଇଂନଜେକସନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି । ସେଥିରୁ କମିଲେ ସେଣ୍ଟାଲ୍ ଷ୍ଟୋରକୁ ଜଣାଇବାକୁ କୁହାଯାଇଛି । ତେବେ ଜିଲ୍ଲାର ବରୀ ଓ ବଡଚଣାରେ ଅଧିକ ସାପ କାମୁଡା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ବର୍ଷା ଦିନେ ସାପ କାମୁଡା ରୋଗୀଙ୍କ ସଂଖ୍ୟା ଅଧିକା ରହିଥାଏ । ୭ ବର୍ଷରେ ସାପ କାମୁଡାରେ ୨୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷକୁ ହାରାହାରି ୩ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସର୍ପ ଦର୍ଶନ କରୁଛି । ୨୦୧୪ ମସିହାରେ ଜଣେ ଲୋକ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୫ରେ ୧୦,୨୦୧୬ରେ ୩୦ ଜଣ, ୨୦୧୭ରେ ୪୫,୨୦୧୮ ରେ ୪୦ ଜଣ, ୨୦୧୯ରେ ୪୧ ଜଣ,୨୦୨୦ରେ ୪୬ ଜଣ ଓ ୨୦୨୧ର ବର୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଜରୁରୀ କାଳୀନ ବିଭାଗର ରିପୋର୍ଟରେ ଦର୍ଶାଯାଇଛି । ତେବେ ଅନେକ ଲୋକ ସର୍ପ ଦଂଶନ କଲେ ସ୍ୱାସ୍ଥ୍ୟ ବିଭାଗର କଟକଣା ମାନି ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବଞ୍ଚିଯାଉଛି । ଯଦିଓ ସର୍ପ ଦଂଶନରେ ମୃତ୍ୟୁ ବରଣ କରୁଥିବା ପରିବାରକୁ ରାଜ୍ୟ ସରକାର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି ତଥାପି ସଚେତନ ରହିଲେ ବହୁ ମାତ୍ରାରେ ସାପ କାମୁଡା ସଂଖ୍ୟା କମାଇ ଦିଆଯାଇପାରିବ ।

Leave A Reply

Your email address will not be published.

1 × 2 =