ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ୧୦ଟି ଜିଲାରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ରହୁଥିବାରୁ ପରିସ୍ଥିତି ଅନୁଧ୍ୟାନ ପାଇଁ ୨ଜଣିଆ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ଜଣାଯାଇଛି । ସଂକ୍ରମଣ ସର୍ବାଧିକ ଥିବା ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ୬ଟି ରାଜ୍ୟରେ ପରିସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । କେନ୍ଦ୍ରରୁ ଆସୁଥିବା ଦଳ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର କେଉଁସବୁ ଆହ୍ୱାନମୂଳକ ପରିସ୍ଥିତି ଓ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଅବଗତ ହେବେ । ଏହା ସହିତ କୋଭିଡ ମୁକାବିଲା ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ସୁଦୃଢ କରିବା ଏବଂ ସେ କ୍ଷେତ୍ରରେ ରହୁଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ଏହି ଦଳ ପଦକ୍ଷେପ ନେବେ ।
ଏଆଇଆଇଏଚ ଆଣ୍ଡ ପିଏଚ୍ର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ ଡାନ୍ ଓଡ଼ିଶାକୁ ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି । ତାଙ୍କ ନେତୃତ୍ୱରେ ଦୁଇ ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟରେ ମୋଟାମୋଟି କୋଭିଡ ପରିଚାଳନା; ବିଶେଷକରି ନମୁନା ପରୀକ୍ଷଣ, ସତର୍କ ଦୃଷ୍ଟି ରଖିବା ଏବଂ ଆବଦ୍ଧାଞ୍ଚଳ ପରିଚାଳନା, କୋଭିଡ ନିୟମାବଳୀ ଏବଂ ତାହାର ପ୍ରବର୍ତ୍ତନ, ଡାକ୍ତରଖାନା ଶଯ୍ୟା ସଂଖ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଆଦି ଲଜିଷ୍ଟିକ୍ସ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି କି ନାହିଁ ଏବଂ କୋଭିଡ-୧୯ ଟିକାକରଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ଏଥିସହିତ ରାଜ୍ୟର କୋଭିଡ ସ୍ଥିତି ପରଖିବା ପରେ ଏ ସମ୍ପର୍କରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ବିଷୟରେ ମଧ୍ୟ ଏହି ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି ଜଣାଯାଇଛି ।
ଏହା ବ୍ୟତିତ, ଏହି ଟିମ୍ କୋଭିଡ୍-୧୯ ସଙ୍ଗତ ଆଚରଣ ଏବଂ ତା’ର ପ୍ରଣୟନ, ଡାକ୍ତରଖାନାରେ ଶଯ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ୍, ଭେଣ୍ଟିଲେଟର , ମେଡିକାଲ୍ ଅକ୍ସିଜେନ୍ ଆଦିର ଯଥେଷ୍ଟ ସୁବିଧା ଏବଂ ଟିକାକରଣ କଥା ମଧ୍ୟ ବୁଝିବେ । କେନ୍ଦ୍ରୀୟ ଦଳ ପରିସ୍ଥିତିର ସମୀକ୍ଷା କରିବା ପରେ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ସଂକ୍ରାନ୍ତରେ ନେବାକୁ ଥିବା ପ୍ରତିକାରମୂଳକ ପଦକ୍ଷେପ ନିରୂପଣ କରିବେ । ସେମାନଙ୍କ ରିପୋର୍ଟର ଗୋଟାଏ ଲେଖାଏଁ କପି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯିବ ।
ଡେଲ୍ଟା ପ୍ଲସ୍ ପ୍ରଜାତି ତୃତୀୟ ଲହର ସଂକ୍ରମଣ ପାଇଁ ଦାୟୀ ହେବ ଏବଂ ପରିସ୍ଥିତି ଆଗକୁ ଅଧିକ ଜଟିଳ ହେବ ବୋଲି ବିଶେଷଜ୍ଞମାନେ କହି ସାରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୧ଟି ଡେଲ୍ଟା ପ୍ଲସ୍ ମାମଲା ରହିଛି । ତେଣୁ ଅଧିକ ସତର୍କ ରହିବା ସହ ଆବଶ୍ୟକ ଲକ୍ଡାଉନ୍ କଟକଣା ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ୧୦ ପ୍ରତିଶତରୁ ଅଧିକ ପଜିଟିଭ୍ ହାର ରହୁଥିବା ଜିଲ୍ଲାମାନଙ୍କରେ ଲକ୍ଡାଉନ୍ କଟକଣା ରହିବା ଉଚିତ୍ ବୋଲି ସରକାର କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୧୪ଟି ରାଜ୍ୟମାନଙ୍କୁ ଏନେଇ ଚିଠି ଲେଖାଯାଇଛି । ଚିଠିରେ ଏହା କୁହାଯାଇଛି ଯେ ଦେଶରେ କୋଭିଡ୍ ମାମଲା କମୁଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ଉପରେ ଫୋକସ୍ କରିବା ନିହାତି ଜରୁରୀ । ଜୁନ୍ ୨୧-୨୭ ମଧ୍ୟରେ ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ କଡ଼ାକଡ଼ି ଭାବେ ଲକ୍ଡାଉନ୍ ପାଳନ ହେବା ଉଚିତ୍ ବୋଲି ସରକାର କହିଛନ୍ତି ।
ରାଜସ୍ଥାନ, ମଣିପୁର, ସିକ୍କିମ, ତ୍ରିପୁରା, ପଶ୍ଚିମବଙ୍ଗ, ପୁଡ଼ୁଚେରୀ, ଓଡ଼ିଶା, ମେଘାଳୟ, ମିଜୋରାମ୍, ନାଗାଲାଣ୍ଡ୍, କେରଳ, ଅରୁଣାଚଳପ୍ରଦେଶ, ହିମାଚଳପ୍ରଦେଶ ଏବଂ ଆସାମ ସରକାରଙ୍କୁ ଏହି ଚିଠି ଲେଖାଯାଇଛି । ସେହିପରି ୫ ରଣନୀତି ଟେଷ୍ଟ୍ର, ଟ୍ରାକ୍ ଟ୍ରିଟ୍, କରୋନା ନିୟମାବଳିର ପାଳନ ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ସରକାର କହିଛନ୍ତି । ତଥ୍ୟ ଅନୁଯାୟୀ ରାଜସ୍ଥାନର ଭରତପୁର, ରାଜସମନ୍ଦ, ବାରନ୍, ଚିତ୍ତୋରଗଡ଼, ସିକର, ଢୋଲପୁର, ମଣିପୁରରେ ଇମ୍ଫାଲ୍ ପଶ୍ଚିମ ଏବଂ ତେଙ୍ଗ ନୋପାଲ୍ , ସିକ୍କିମ୍ର ପଶ୍ଚିମ ଜିଲ୍ଲା ଏବଂ ଦକ୍ଷିଣ ଜିଲ୍ଲା, ତ୍ରିପୁରାର ଉନାକୋଟି ଏବଂ ଧଲାଇ, ପଶ୍ଚିମବଙ୍ଗର ଜଲପାଇଗୁଡ଼ି, ପୁଡ଼ୁଚେରୀର ମାହେ , ଓଡ଼ିଶାର ଭଦ୍ରକ, ବାଲେଶ୍ୱର, କେରଳର ପଲକ୍କଡ଼, ମଲପ୍ପୁରମ୍, କୋଲ୍ଲମ, ଥ୍ରିସୁର, ଏବଂ ତିରୁଅନନ୍ତପୁରମ୍, ଆସାମର ମରିଗାଓଁ ଏବଂ ନଲ୍ବରିରେ ଜୁନ୍ ୨୧-୨୭ ମଧ୍ୟରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଛି ।