୧୪ ବର୍ଷରେ ଦ୍ୱିଗୁଣ ବଢିଛି ବିଶ୍ୱ ତାପମାତ୍ରା

ନ୍ୟୁୟର୍କ: ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ସବୁଠାରୁ ଗଭୀର ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବଷୟ ହୋଇଥିବାବେଳେ ପୃଥିବୀର ତାପମାତ୍ରା ଦ୍ୱିଗୁଣ ବୃଦ୍ଧି ପାଇଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ କୁହାଯାଇଛି । ନାସା ପକ୍ଷରୁ କୁହାଯାଇଛି ଯେ, ପୃଥିବୀ ପୃଷ୍ଠର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୪ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣିତ ହୋଇଛି । ନାସା ଏବଂ ଆମେରିକାର ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସ୍ପିଅରିକ ଆଡମିନିଷ୍ଟ୍ରେସନ (ଏନଓଏଏ)ର ବୈଜ୍ଞାନିକମାନେ ଦୀର୍ଘ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି । ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ୨୦୦୫ରୁ ୨୦୧୯ ମଧ୍ୟରେ ଦୁଇଗୁଣ ହୋଇଛି । ଆଗାମୀ ଦଶନ୍ଧିରେ ଯଦି ଏହିଭଳି ଧାରା ଜାରିରହେ ତେବେ ତାହା ଜଳବାୟୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ ।
ନାସାର ସିଇଆରଇଏସରେ ମୁଖ୍ୟ ଗବେଷକ ଥିବା ନର୍ମାନ ଲୋଏବ କହିଛନ୍ତି, ସେମାନେ ଅଧ୍ୟୟନ ସମୟରେ ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ନେଇ ଯେଉଁ ଧାରା ଲକ୍ଷ୍ୟ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ହୋଇଛି । ତାଙ୍କ କହିବା ଅନୁଯାୟୀ ତାପମାତ୍ରା ବୃଦ୍ଧି ଏତେ କ୍ଷିପ୍ର ହେବା ସଂପୂର୍ଣ୍ଣ ଭାବରେ ଅପ୍ରତ୍ୟାଶିତ ଘଟଣା । ତାଙ୍କ ସହିତ ଅନ୍ୟ ଗବେଷକମାନେ କହିଛନ୍ତି, ପୃଥିବୀ ପୃଷ୍ଠଭାଗ ଧରି ରଖୁଥିବା ୯୦% ତାପମାତ୍ରା ସମୁଦ୍ର ମଧ୍ୟକୁ ଯାଉଥିବାରୁ ସମୁଦ୍ର ଜଳର ତାପମାତ୍ରା ମାତ୍ରାଧିକ ଭାବରେ ବୃଦ୍ଧିପାଉଛି ଏବଂ ଏହା ବଡଧରଣର ବିପଯର୍ଯ୍ୟୟ ସୃଷ୍ଟିକରିବ । ଚଳିତ ସମୟରେ ମେରୁ ଅଂଚଳରେ ବରଫ ତରଳିବା ଏହାର ଅନ୍ୟତମ ମୁଖ୍ୟ କାରଣ । ସେମାନେ କହିଛନ୍ତି, ସବୁଜ ଗୃହ ବାଷ୍ପ ନିଗର୍ମନ ଏଥିପାଇଁ ମୁଖ୍ୟତଃ ଦାୟୀ । ତାହାସହିତ ପୃଥିବୀ ବାୟୁମଣ୍ଡଳରେ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ତାହା ଅଧିକ ପରିମାଣରେ ସୂର୍ଯ୍ୟ କିରଣର ଉତ୍ତାପକୁ ଧରି ରଖୁଛି ଏବଂ ତାହା ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧିର କାରଣ ହୋଇଛି ।

Leave A Reply

Your email address will not be published.

15 − 8 =