ଷାଠିଏ ମହଣ ଘିଅ ଆସିବ ନା’…

ବହୁ ପୂରାତନ କାଳରୁ ଆମ ରାଜ୍ୟ ଓଡ଼ିଶାରେ ଏକ ଲୋକଉକ୍ତି ପ୍ରଚଳିତ । ତା’ ହେଲା, ‘ଷାଠିଏ ମହଣ ଘିଅ ଆସିବ ନା ରାଧା ନାଚିବେ’ । ଏହାର ମର୍ମାର୍ଥ ହେଉଛି, ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧନ ନଥିଲେ ତାହା ହଠାତ୍ ଯୋଗାଡ କରିବା କଷ୍ଟକର ଏବଂ ଏଠାରେ ସେହି ଅର୍ଥରେ ଉକ୍ତ ଢ଼ଗ ପ୍ରଚଳିତ ହୋଇଆସିଛି ଏହା ସମସ୍ତେ ଜାଣନ୍ତି । ସାରା ରାଜ୍ୟରେ ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀର ଭୂତାଣୁ ସଂକ୍ରମିତ ହେଉଥିଲା ବେଳେ ଏଥିନେଇ ରାଜ୍ୟରେ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଛି । ଏପରିକି କୋଭିଡର ତୃତୀୟ ଲହର ରାଜ୍ୟକୁ ଆସିବା ସୁନିଶ୍ଚିତ ବୋଲି କେତେକ ଶିକ୍ଷିତ, ଜ୍ଞାନୀ, ମାନୀ ଓ ଗୁଣୀ ମତ ପ୍ରକାଶ କରିଆସୁଥିଲା ବେଳେ ଦେଢ଼ ବର୍ଷ ମଧ୍ୟରେ ଏ ରାଜ୍ୟ ବହୁ ଧନୀ, ମାନୀ, ଗୁଣୀମାନଙ୍କୁ ମହାମାରୀରେ ହରାଇ ବସିଛି । ସେହି ଦୃଷ୍ଟିକୋଣରୁ ବିଚାର କଲେ, ଏହି ମହାମାରୀ ଜେପରି ବ୍ୟାପକ ଭାବେ ରାଜ୍ୟରେ ବ୍ୟାପି ନଯାଏ, ସେଥି ନିମିତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସଜାଗ ରହିବା ସ୍ୱଭାବିକ ଓ ରହିଛନ୍ତି ମଧ୍ୟ । ଆମ ରାଜ୍ୟ ପରିସ୍ଥିତି ଦୃଷ୍ଟିକୋଣରୁ ଏପରି ସ୍ଥିତିରେ ପହଂଚିଛି ଯେ, ଯେଉଁଠାରୁ ଆମେ ଚାହିଁଲେ ମଧ୍ୟ କରୋନାର ଭୟାବହତାକୁ କମାଇବା ଅସମ୍ଭବ । ବିଶେଷତଃ କରୋନା ଭୟରେ ସରକାର କେବଳ ଏହି ରାଜ୍ୟର ନୁହେଁ, ଅଧିକାଂଶ ରାଜ୍ୟରେ ସ୍କୁଲ କଲେଜ ଗୁଡିକୁ ବନ୍ଦ ରଖିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଏଥିରେ ପିଲାମାନଙ୍କ ମେଧା କିଛିକାଂଶରେ ଯେ, ନଷ୍ଟ ନହେଉଥିବ, ସେପରି କହିବା ଅସମ୍ଭବ ।
ତେବେ ସେ ଯାହାହେଉଁ ନା କାହିଁକି, ଶିକ୍ଷାଦାନ ବର୍ଷାଧିକ ସମୟ ବନ୍ଦ ରହିବା ନିଶ୍ଚିତ ଭାବେ ଶିକ୍ଷାକୁ ଆଗକୁ ନେବା କ୍ଷେତ୍ରରେ ବିରାଟ ପ୍ରତିବନ୍ଧକ ଓ ବାଧାଦାୟକ ମଧ୍ୟ । ପିଲାମାନେ ଗତ ଦେଢ଼ ବର୍ଷ ଧରି ଏକ ପ୍ରକାର ବହି ପାଠ ପଢ଼ା ଛାଡି ଦେଇଛନ୍ତି କହିବା ମିଥ୍ୟା ହୋଇ ନପାରେ । ସେହି ପରିପ୍ରେକ୍ଷୀରୁ ବିଚାର କଲେ, ‘ଆଭାସୀ’ ପାଠପଢ଼ାରେ ଏବେ କାମ ଚାଲିଛି । କିନ୍ତୁ ଶିକ୍ଷା ବିଭାଗ ଅଧିନସ୍ଥ ଏସସିଆରଟି ପକ୍ଷରୁ ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଥିବା ଏକ ଭରଚୁଆଲ ବୈଠକରେ ଉପରୋକ୍ତ ନିର୍ଦେଶାଳୟ ପକ୍ଷରୁ ଏକ ପ୍ରସ୍ତାବ ରଖାଯାଇଛି । ତାହା ହେଲା ପିଲାମାନଙ୍କୁ କରୋନା ମହାମାରୀ ଚାଲିଥିଲା ବେଳେ ଦୀର୍ଘ ୧୮ ମାସ ଧରି ସୋସିଆଲ୍ ମିଡିଆରେ ଏଥି ନେଇ ସମସ୍ତଙ୍କୁ ସତର୍କ କରାଯାଉଥିଲେ ହେଁ, ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ମୋବାଇଲରେ ଚାଲିଛି । ତେବେ କିଛି ଲୋକଙ୍କ ପାଖରୁ ମିଳିଥିବା ଖବର ଅନୁଯାୟୀ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଫୋନ୍ ଥିଲେ ହେଁ ନେଟୱାର୍କ ଅଭାବରୁ ଏହାକୁ ଯେଉଁ ଲକ୍ଷ୍ୟ ରଖି ପ୍ରଚଳନ କରାଯାଇଥିଲା, ସେହି ସବୁ ସ୍ଥାନରେ ଟାୱାର ଅଭାବରୁ ହେଉ କିମ୍ବା ବିଦ୍ୟୁତ ବିଭାଗର ଖାମଖିଆଲି ନିତୀ ଯୋଗୁ ହେଉ ନେଟ୍ ଓ ନେଟୱାର୍କ କାର୍ଯ୍ୟ କରୁପାରୁ ନାହିଁ ଓ ପିଲାମାନେ ଶିକ୍ଷା ପାଇବା ଲାଗି ମୋବାଇଲ ଧରି ପାହଡ ଉପରକୁ, କୋଠା ଉପରକୁ ଯାଉଛନ୍ତି । ତେବେ ଆମେ ଏଠାରେ କହିରଖୁ ଯେ, ଯେପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବିଦ୍ୟୁତ ଯୋଗାଣ ସାବଲିଳ ନହୋଇଛି ସେପର୍ଯ୍ୟନ୍ତ ପିଲାମାନେ କରିବେ କ’ଣ? ଏସସିଆରଟି କହୁଛି ରାଜ୍ୟରେ ଥିବା ସିଟି ତାଲିମ କେନ୍ଦ୍ର ଗୁଡିକ ପ୍ରାୟ ୧୦ ହଜାର ଶିକ୍ଷାନବୀଶଙ୍କ ଉପରେ ଏହି ଶିକ୍ଷାଦାନ କ୍ଷେତ୍ରକୁ ଆସିବା ଆବଶ୍ୟକ ସେମାନେ ଅତିକମରେ ଗାଁଗଣ୍ଡରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ଦାନ କରିବା ଉଚିତ୍ । ତେବେ ଦେଖିବାର କଥା ହେଲା ଯେ, ଏହା ସତ୍ୟ ଓ ବାସ୍ତବ ଧର୍ମୀ ତ?

Leave A Reply

Your email address will not be published.

five × 2 =