ଅଘୋଷିତ ଘୋଷଯାତ୍ରା’ କହିଲେ କିଏ କ’ଣ ବୁଝିବ ଓ କିଏ କ’ଣ ବୁଝେ, ତାହା ଆମେ ଜାଣୁନା । କିନ୍ତୁ ଏହା ଆମକୁ ଓ ସମସ୍ତଙ୍କୁ ବେଶ୍ ମାଲୁମ ଯେ, ଘୋଷଯାତ୍ରାର ଗୁରୁତ୍ୱ ଓଡ଼ିଶାରେ ତଥା ସନାତନୀ ଧର୍ମରେ କେତେ ରହିଛି । ଏହା ହେଉଛି ଭାରତ ବର୍ଷର ଚାରିଧାମ ମଧ୍ୟରୁ ପୁରୀରେ ରହିଥିବା ଅନ୍ୟତମ ଧାମରେ କୌଳିକ ତଥା ଆଦି ଦେବତା ଦାରୁ ବ୍ରହ୍ମ ଯାହାଙ୍କୁ ନେଇ ଚତୁର୍ଦ୍ଧା ମୂର୍ତିର ସୃଷ୍ଟି ଏବଂ ଏହାର ଉପାସନା କେଉଁ ପୁରାତନ କାଳରୁ ଚଳିଆସିଛି । ଏହି ଯାତ୍ରାକୁ ନେଇ ବହୁ କିମ୍ବଦନ୍ତି, ବହୁ ଲୋକକଥା, ବହୁ ଲୋକାନୁଭୂତି, ବହୁ ପରମ୍ପରା, ବହୁ ଇତିହାସ, ବହୁ ପୁରାଣ, ବହୁ ସାଧୁଙ୍କ ଆଗମନୀ ସମେତ ଅନେକ ମଠବାଡି ଓ ମନ୍ଦିରର ସୃଷ୍ଟି । ଗୋଟିଏ ପଟେ ବଙ୍ଗୋପସାଗର ଓ ଅନ୍ୟପଟେ ଗଣଦେବତା ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳ ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ । ଲୋକକଥା କୁହେ, ଏଠାକୁ ଶିଖ ଗୁରୁ ଆସି ରହିଥିଲେ । ସେହିପରି ଶ୍ରୀଚୈତନ୍ୟଦେବ ଆସି ରହିବା ସହ ତାଙ୍କର ବହୁ ଶିଷ୍ୟ ସୃଷ୍ଟି କରିଥିଲେ । କଳାପହାଡ ବାରମ୍ବାର ଶ୍ରୀମନ୍ଦିର ଆକ୍ରମଣ କରିଥିଲେ ହେଁ ଚତୁର୍ଦ୍ଧାମୂର୍ତିଙ୍କୁ ଠାବ କରିପାରିନଥିଲା । ବାରମ୍ବାର ତାଙ୍କୁ କେଉଁଠି ନା କେଉଁଠି ପାତାଳି କରାଯାଉଥିଲା । ଏପରିକି ରତ୍ନ ସିଂହାସନ ଉପରେ ଶ୍ରୀମନ୍ଦିର ମୁଖଶାଳକୁ ଲାଗି ନିର୍ମିତ ହୋଇଥିବା କ୍ଷୁଦ୍ର କୋଠରି ମଧ୍ୟରେ ଏହି ବିଗ୍ରହମାନଙ୍କୁ ପାତାଳି କରାଯାଇଥିବା ଇତିହାସ କହେ । ମାଦଳାପାଞ୍ଜି ହେଉଛି ଶ୍ରୀମନ୍ଦିରର ଜୀବନ୍ତ ଇତିହାସ । କୁହାଯାଏ, ଅତିତରେ ପୁରୀ ଗଜପତି ରାଜା କପିଳେନ୍ଦ୍ର ଦେବ ଆଗଙ୍ଗାଗୋଦାବରୀ ଜୟ କରିବା ସହ ବିପୁଳ ସ୍ୱର୍ଣ୍ଣ ଓ ରନ୍ତ ଆଣିବା ସହ ବହୁ ରାଜାଙ୍କ ମୁକୁଟ ଆଣିଥିଲେ ଏବଂ ଏ ସବୁକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ । ଏବେ ବି କୁହାଯାଏ ବହୁ ଅମୁଲ୍ୟରନ୍ତ ଖଚିତ ମୁକୁଟ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଛିତ ହୋଇରହିଛି । ଅବଶ୍ୟ ବର୍ଷ ବର୍ଷ ଧରି ଏହା କୌଣସି ନା କୌଣସି କାରଣରୁ ପ୍ରଥମେ ମନ୍ଦିର ପ୍ରଶାସନ, ପରେ ଜିଲ୍ଳାପ୍ରଶାସନ ଓ ଏବେ ଶ୍ରୀମନ୍ଦିର ପ୍ରଶାସନ ଖୋଲୁନଥିବାରୁ ସାଧାରଣରେ ସନେ୍ଦହ ଉପୁଜିବା ସ୍ୱାଭାବିକ ଯେ ରତ୍ନଭଣ୍ଡାରରୁ କିଛି ଅମୁଲ୍ୟର ବାଟମାରଣା ହୋଇନି ତ? ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଗତବର୍ଷ ଓ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରାଯାଇଛି । ଶାସ୍ତ୍ରରେ ଅଛି, ଥରେ ଭଗବାନ ବିଷ୍ଣୁ ତାଙ୍କର ପ୍ରିୟ ଭକ୍ତ ତଥା ମହାଋଷି ନାରଦଙ୍କୁ କହିଥିଲେ, ‘ନାହଂ ତିଷ୍ଠାମିବୈକୁଣ୍ଠେ, ଯୋଗିନାଂ ହୃଦୟେ ନାଂ ଚ, ମଦ୍ ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ’ । ଯଦି ବଡ଼ଠାକୁର ବିନାଭକ୍ତରେ ଏବେ ବଡ ଦାଣ୍ଡରେ, ତେବେ ‘କହିବା କାହାକୁ, ଶୁଣିବ କିଏ’?