ରାଜ୍ୟରେ ଚଳିତ ବର୍ଷ ଲକଡାଉନ ଷଷ୍ଠ ଥର ଲାଗି ଆଂଶିକ ଭାବେ ୫ମ ଥର ଭଳି ଲାଗୁ କରାଯାଇଥିଲା ବେଳେ ଏଥିରେ ଅଉ କେତେକ କଟକଣା କ୍ଷେତ୍ରରେ ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର କିଛିଟା କୋହଳ ଦୃଷ୍ଟିଭଙ୍ଗୀ ଆପଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କଲାବେଳେ ପ୍ରକାଶ କରିଛନ୍ତି ଯେ, ଯେଉଁ ୧୦ଟି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଅଧିକ ବାହାରୁ ଥିଲା, ସେଥିରେ ଏବେ ବି ପରିବର୍ତନ ଆଖିଦୃଶିଆ ହୋଇନାହିଁ । ବରଂ ଯେଉଁ ୨୦ଟି ଜିଲ୍ଲାରେ ପଜିଟିବ ହାର ୫%ରୁ କମ୍ ଥିବାରୁ ପଂଚମଥର ସେଠାରେ କଟକଣା ଆଂଶିକ କୋହଳ କରାଯାଇଥିଲା, ସେହି ସବୁ ଜିଲ୍ଲା ଗୁଡିକରେ ସଂକ୍ରମଣ ଏବେ ବି କମ୍ ରହିଛି । କିନ୍ତୁ ଖୋର୍ଦ୍ଧା, କଟକ, ନୟାଗଡ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଏବେ ବି କରୋନା ମହାମାରୀ ଆକ୍ରନ୍ତଙ୍କ ସଂଖ୍ୟା ଉଦ୍ଧ୍ୱର୍ମୁହାଁ ରହିଛି । ଏହି ୧୦ଟି ଜିଲ୍ଲାରେ ରାଜ୍ୟ ଭିତରୁ ମୋଟ ଦୈନନ୍ଦିନ ସଂକ୍ରମଣ ସଂଖ୍ୟାର ୪୦% ପଜିଟିଭ ବାହାରୁଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି । ତେବେ ସେ ଏହି ଜିଲ୍ଲା ଗୁଡିକରେ ପୂର୍ବବତ୍ ସମସ୍ତ କଟକଣା ଲାଗୁ ରହିବ ବୋଲି କହିବା ସହିତ ପ୍ରକାଶ କରିଛନ୍ତି ଯେ, ସାରା ରାଜ୍ୟରେ ସରକାର ନେଇଥିବା ନିଷ୍ପତି ଅନୁଯାୟୀ ଏଥର ଟ୍ୟାକ୍ସି ଓ ଅଟୋ ସମେତ ଯାତ୍ରିବାହୀ ବସ୍ ଚାଲିପାରିବ । କିନ୍ତୁ ସିଟ୍ ଅନୁଯାୟୀ ଯାତ୍ରୀ ଯାଇପାରିବେ । ଏହା ବ୍ୟତିତ, ଉପରୋକ୍ତ ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିପାରିବ । ତେବେ ଏଠାରେ କହିବାର କଥା ହେଲା ଯେ, ପେଟ୍ରୋଲ, ଡିଜେଲ ଦାମ୍ ବାରମ୍ବାର ବୃଦ୍ଧି ପାଇବା ପରେ ରାଜ୍ୟରେ ବସ୍ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅଥଚ ଏ ସମ୍ପର୍କରେ ୩୦ଟି ଜିଲ୍ଲାରେ ଅଦ୍ୟାବଧି ବର୍ଦ୍ଧିତ ମୂଲ୍ୟନେଇ କୌଣସି ବିଜ୍ଞାପନ ଦିଆଗଲାଣି କି? ଯଦି ଦିଆଯାଇନାହିଁ ଏବଂ ବସ୍ ଗୁଡିକ ଚାଲିଲା, ତେବେ ଯାତ୍ରୀମାନେ ଠକାମିରେ ପଡିବା ଓ ଅଧିକ ମୂଲ ଦେବା ଆଦୌ ଅସମ୍ଭବ ନୁହେଁ । ଏବେ ଅବସ୍ଥା ଏପରି ହୋଇଛି ଯେ, ବସ୍ ଚଳାଚଳ କଲେ ବହୁ ଲୋକ ଏହା ସାହାର୍ଯ୍ୟରେ ନିଜ ନିଜ ଗାଁକୁ ଯାଇ ପରିବାର କଥା ବୁଝି ପୁର୍ନବାର ନିଜ କର୍ମସ୍ଥଳିକୁ ଫେରିବା ସ୍ଥିରନିଶ୍ଚିତ । ସେ କ୍ଷେତ୍ରରେ ସରକାରୀ ବିଜ୍ଞାପନ ପରିବହନ ବିଭାଗ ପକ୍ଷରୁ ଦିଆଯାଇନଥିବାରୁ ବହୁ ଯାତ୍ରୀ ଠକାମିର ଶୀକାର ହେବା ସୁନିଶ୍ଚିତ ବୋଲି କୁହାଯାଇପାରେ । ଏହା ବ୍ୟତିତ, ଯେଉଁ ଅଟୋ ଗୁଡିକ ଚାଲିବ, ସେମାନେ ସହର ବଜାରରେ କେଉଁଠାରୁ କେଉଁପର୍ଯ୍ୟନ୍ତ କେତେ ଭଡା ନେବେ ସେ ସମ୍ପର୍କରେ କୌଣସି ଫଳକ ଏଯାବତ୍ ଭୁବନେଶ୍ୱର ଓ କଟକର ଅଟୋ ଷ୍ଟାଣ୍ଡ ଗୁଡିକରେ ଦେଖିବାକୁ ମିଳିନାହିଁ । ସେପରି ସ୍ଥଳେ କେବଳ ୨ ଜଣ ଯାତ୍ରୀ ଯିବେ ବୋଲି ସରକାର ନିର୍ଦେଶ ଦେବା ଅର୍ଥ ଯାତ୍ରୀମାନଙ୍କ ଠାରୁ ଅଟୋ ଚାଳକ ମନଇଛା ଭଡା ଆଦାୟ କରିବା ସାର ହେବ । ଏଦିଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଦୃଷ୍ଟି ଦେବେ ବୋଲି ଆମେ ଆଶା କରୁ । ନଚେତ୍ ବହୁ ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ଓ ଏପରିକି ମାସ ମାସ ଧରି ଘରକୁ ଯାଇନଥିବା ବ୍ୟକ୍ତିମାନେ ମଧ୍ୟ ବାଧ୍ୟ ହୋଇ ଠକାମିର ଶିକାର ହେବା ଅସମ୍ଭବ ନୁହେଁ । ରାଜ୍ୟ ସରକାର ତୁରନ୍ତ ଏ ସମ୍ପର୍କରେ ବିଧିବଦ୍ଧ ପଦକ୍ଷେପ ନେଇପାରିଲେ ଅନେକ ଯାତ୍ରୀ ଅଯଥା ଠକାମିରୁ ବର୍ତିବା ସମ୍ଭବପର ହୋଇପାରିବ । ଏହା ବ୍ୟତିତ, ଆଗକୁ ମଧ୍ୟ ଜୀବନ ଓ ଜୀବିକା ସମ୍ପର୍କରେ ରାଜ୍ୟ ସରକାର ଅଧିକ ମନୋନିବେଶ କରିବା ସହିତ ଏ ଦିଗରେ ଠୋସ୍ ପଦକ୍ଷେପ ନେବେ ବୋଲି ଆମର ଆଶା ଓ ବିଶ୍ୱାସ ।