୨୦୨୪ ସେପ୍ଟେମ୍ବର ପୂର୍ବରୁ ତାଳଚେର ସାର କାରଖାନା ଖୋଲିବା ଆଶାକ୍ଷୀଣ

ଅନୁଗୁଳ : ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ । ଧାର୍ଯ୍ୟ ସମୟ ଭିତରେ ଏହାର ନିର୍ମାଣ ଶେଷ ହେବାର ସମ୍ଭାବନା ନାହିଁ । ଏଥିନେଇ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି । କାରଖାନା ଚାଲିବା ପାଇଁ ୨୦୧୩ ଜୁଲାଇ ପରିବର୍ତ୍ତେ ୨୦୨୪ ସେପ୍େଟମ୍ବରରୁ ବ୍ରାହ୍ମଣୀରୁ ପାଣି ଦେବାପାଇଁ ଏହି ଚିଠିରେ ଅନୁରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଟିଏଫଏଲ୍ ପକ୍ଷରୁ ପୂର୍ବରୁ ୨୦୧୩ ଜୁଲାଇରୁ ପାଣି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା । ତେଣୁ ୨୦୨୪ ସେପ୍େଟମ୍ବର ପୂର୍ବରୁ ଏହି କାରଖାନା କାର୍ଯ୍ୟକ୍ଷମ ନ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।
ରାଜ୍ୟ ଜଳସଂପଦ ବିଭାଗକୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ନିର୍ମାଣ କାର୍ଯ୍ୟ ପାଇଁ ୨୦୨୦ ଏପ୍ରିଲରୁ ୨୦୨୩ଜୁନ୍ ପର୍ଯ୍ୟନ୍ତ ଦେନିକ ୧ କ୍ୟୁସେକ୍ ପାଣି ଏବଂ କାରଖାନା କାର୍ଯ୍ୟକ୍ଷମ ପାଇଁ ୨୦୨୩ ଜୁଲାଇରୁ ଦେନିକ ୩୦ କ୍ୟୁସେକ୍ ପାଣିର ଆବଶ୍ୟକତା ନେଇ ବିଭାଗଠାରୁ ପୂର୍ବରୁ ଅନୁମତି ନିଆଯାଇଥିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ସାର କାରଖାନା କାମ ବି ବାଧାପ୍ରାପ୍ତ ହୋଇଛି । ତେଣୁ ପୂର୍ବରୁ ନିଆଯାଇଥିବା ଅନୁମତି ଅନୁସାରେ ଏବେ ପାଣି ଦରକାର ନାହିଁ । ଏବେ ନିର୍ମାଣ କାର୍ଯ୍ୟ ପାଇଁ ୨୦୨୧ ଜାନୁଆରିରୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଦେନିକ ୧ କ୍ୟୁସେକ୍ ପାଣି ଏବଂ କାରଖାନା କାର୍ଯ୍ୟକ୍ଷମ ପାଇଁ ୨୦୨୪ ସେପ୍େଟମ୍ବରରୁ ଦେନିକ ୩୦ କ୍ୟୁସେକ୍ ପାଣି ଆବଶ୍ୟକ ବୋଲି ଚିଠି ଲେଖି କୁହାଯାଇଛି ।
ଏହି ଚିଠି ଅନୁସାରେ, ୨୦୨୪ ସେପ୍େଟମ୍ବର ପହିଲା ପୂର୍ବରୁ ତାଳଚେର ସାର କାରଖାନାରୁ ଉତ୍ପାଦନ ଆରମ୍ଭ ହେବାର ସମ୍ଭାବନା ପ୍ରାୟ ନାହିଁ । ଫଳରେ ଦୁଇବର୍ଷ ପରେ ପ୍ରକଳ୍ପ ଆରମ୍ଭ ହେବା ନେଇ ଯେଉଁ ଆଶା ସଂଚାର ହୋଇଥିଲା ସେଥିରେ ପାଣି ଭରି ଯାଇଛି । ଗତ ମାସରେ ତାଳଚେର ଫର୍ଟିଲାଇଜର୍ କାରଖାନାର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ପ୍ରକଳ୍ପ ପରିଦର୍ଶନ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ସମୟରେ ଟିଏଫ୍‌ଏଲ୍ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଆରୋରା, ଅର୍ଥ ବିଭାଗ ନିର୍ଦେଶକ ଅଭିଜିତ୍ ଗୋସ୍ୱାମୀ, ମହାପ୍ରବନ୍ଧକ ପଞ୍ଚାନନ ହଳଧର, ବଳବନ୍ତ ଗୋସେଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକଳ୍ପର ସମୀକ୍ଷା ପରେ ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ ଅଗ୍ରଗତି କାମ ସନ୍ତୋଷଜନକ ବୋଲି ମତ ଦେଇଥିଲେ । କାମ ଆଗେଇ ଥିବାରୁ ୨୦୨୩ ସେପ୍େଟମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଥିଲେ ।
ଏହି କାରଖାନାର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୩,୨୭୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଦେଶରେ କୋଇଲା ପର୍ଯ୍ୟାପ୍ତ ଉପଲବ୍ଧ ହେଉଛି । ଏଥିସହିତ ଏହାର ଦରରେ ମଧ୍ୟ ପ୍ରାୟତଃ ଅସ୍ଥିରତା ନଥାଏ । ତେଣୁ କୋଇଲାରୁ ଗ୍ୟାସ୍ ଏବଂ ଗ୍ୟାସ୍‌ରୁ ୟୁରିଆ ଉତ୍ପାଦନ ପାଇଁ ଉକ୍ତ ପ୍ରଯୁକ୍ତି ବ୍ୟବହାର କରାଯିବ । ଫଳରେ ଭାରତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଇଥିଲା । ଅପରପକ୍ଷରେ ତାଳଚେର ସାର କାରଖାନା ସହ ତେଲେଙ୍ଗାନାର ରାମଗୁଣ୍ଡମ, ଝାଡ଼ଖଣ୍ଡର ସିନ୍ଧ୍ରୀ ଓ ଉତ୍ତରପ୍ରଦେଶର ଗୋରଖପୁର ସାର କାରଖାନାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରାମଗୁଣ୍ଡମ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇଥିଲାବେଳେ ଅନ୍ୟ ଦୁଇ ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ତାଳଚେରରେ ଏହା ଦିନକୁ ଦିନ ବିଳମ୍ବିତ ହେବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବି ବଢିଲାଣି ।

Leave A Reply

Your email address will not be published.

4 × 1 =