ଟ୍ୱିନ୍‌ସିଟି ଓ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍

* ଏଣିକି ସକାଳ ୬ରୁ ରାତି ୮ ଦୋକାନ ଖୋଲା
* ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ବଳବତର
* ରାତି ୮ଟାରୁ ସକାଳ ୬ ନାଇଟ୍ କର୍ଫ୍ୟୁ
* ଖୋଲିବ ହଲ୍‌, ମଲ୍‌, ପାର୍କ ଓ ରେଷ୍ଟୁରାଁ
* ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା
* ପ୍ରଦର୍ଶନୀ ମେଳାକୁ ନାଁ
* ଖୋଲିବନି ମନ୍ଦିର, ଧର୍ମାନୁଷ୍ଠାନ-
* ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ନେବେ ନିଷ୍ପତି
* ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତି ନେବ ବିଭାଗ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଏବେ ଜାରୀ ଥିବା ଅନ୍‌ଲକ୍ ପ୍ରକ୍ରିୟାରେ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଆଜି ନୂତନ ଗାଇଡଲାଇନ୍ ଜାରି କରିଛନ୍ତି । ଅଗଷ୍ଟ ମାସର ଗାଇଡ ଲାଇନରେ ସରକାର କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲା ତାଲିକା ହଟାଇ ଦେଇଥିବା ବେଳେ ଭୁବନେଶ୍ୱର, ପୁରୀ ଓ କଟକ ସହର ବ୍ୟତୀତ ଅନ୍ୟସମସ୍ତ ଜିଲ୍ଲାରୁ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ହଟାଇଦେଇଛନ୍ତି । କେବଳ ଭୁବନେଶ୍ୱର,ପୁରୀ ଓ କଟକ ସହରରେ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହି ସପ୍ତାହନ୍ତ ସଟ୍‌ଡାଉନ୍ ବଳବତର ରହିବ । ମାତ୍ର ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ ।
ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ଶ୍ରୀ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହିବ । ଅନ୍ୟପକ୍ଷରେ ଏଣିକି ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ ।
ସେ ଆହୁରି କହିଛନ୍ତିି ଯେ, ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । କିନ୍ତୁ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇପାରିବେ । ମାତ୍ର ଭକ୍ତ ପ୍ରସାଦ ଚଢାଇ ପାରିବେ ନାହିଁ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗ ନିଷ୍ପତି ନେଇପାରିବେ ।
ଆହାର କେନ୍ଦ୍ର ଗୁଡିକରେ କୋଭିଡ ନିୟମ ପାଳନ କରି ଏଣିକି ଲୋକେ ଖାଇପାରିବେ । ସପିଂ ମଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । କିନ୍ତୁ ମଲ କର୍ତ୍ତୃପକ୍ଷ ଲୋକଙ୍କୁ କୋଭିଡ ନିୟମ ପ୍ରତି ସତର୍କ କରାଇବେ । କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପାପ୍ତ ବୟସ୍କର ଲୋକେ ସପିଂ ମଲ ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ନାଟ୍ୟ ଶାଳା, ଥ୍ରିଏଟର, ସିନେମାହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିପାରିବ । ସିନେମା ହଲ୍‌, ମଲ୍ ଥ୍ରିଏଟର, ଖୋଲା ରଙ୍ଗ ମଞ୍ଚ ଓ ରେଷ୍ଟୁରାଂଟରେ ବୟସ୍କଙ୍କ ପାଇଁ ୨ଟି ଡୋଜ୍ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆହୁରି ମଧ୍ୟ ଏହି ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା ସିଟ୍‌-ସିଟ୍ ମଧ୍ୟରେ ୬ଫୁଟ ଦୂରତାକୁ ବାଧ୍ୟତାହ ମୂଳକ କରାଯାଇଛି । ରାସ୍ତାକଡ଼ର ଦୋକାନରେ ଲୋକେ ଏବେ ଖାଇପାରିବେ । ନିତିି ଦିନିଆ ହାଟ ଓ ସାପ୍ତାହିକ ହାଟ ଖୋଲିବାକୁ ସରକାର ଅନୁମତି ଦେଇଥିଲା ବେଳେ କୋଭିଡ ନିୟମ ଅନୁଯାୟୀ ପାର୍କ, ଚିଡିଆଖାନା, ସଂଗ୍ରହାଳୟ ଆଦି ଖୋଲିବ । ଅଟୋ, ଟ୍ୟାକ୍ସି ଆଦି ନିଦ୍ଦିଷ୍ଟ ସିଟ ଅନୁସାରେ ଯାତ୍ରୀ ପରହିବହନ କରିପାରିବେ । ସେହିପରି ସିଟ୍ ସଂଖ୍ୟକ ଯାତ୍ରୀ ନେଇ ରାଜ୍ୟ ଭିତରେ ବସ୍ ଚଳାଚଳ କରିବ ।
ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କଟକଣାକୁ ଶକ୍ତ କରାଯିବ । କିନ୍ତୁ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ରେଳଷ୍ଟେସନ, ବସଷ୍ଟେସନ ଓ ବିମାନବନ୍ଦରକୁ ଯାଉଥିବା ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । କୋଭିଡ-୧୯ କଟକଣାକୁ ସବୁଠାରେ ପାଳନ କରାଯିବା ବାଧ୍ୟତାମୂଳକ ହେବ ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ।
ଶ୍ରୀ ଜେନା ଆହୁରି କହିଛନ୍ତି ଯେ, ରାଜ୍ୟରେ ସ୍କୁଲ, କଲେଜ୍ ଓ କୋଚିଂ ସେଂଟର ଗୁଡିକ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ , କେଲଜ୍ ଖୋଲିବା ନେଇ ବିଭାଗୀୟ କର୍ତୃପକ୍ଷ ନିଷ୍ପତି ନେବେ । ପୂର୍ବରୁ ବିବାହ, ବ୍ରତ ଓ ଶୁଦ୍ଧଘରରେ ରହିଥିବା କଟକଣା ବଳବତର ରହିବ । ବିଭାହ ଉତ୍ସବରେ ସର୍ବାଧିକ ୨୫ଜଣ ଓ ଅନ୍ତେଷ୍ଟି କ୍ରିୟାରେ ୨୦ଜଣଙ୍କୁ ଅନୁମତି ମିଳିବ । ଭୋଜିଭାତ ପ୍ୟାକେଟରେ ଦେଇପାରିବେ ମାତ୍ର ବସିକି ଖାଇପାରିବେ ନାହିଁ । ପୂର୍ବପରି ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ସଭାସମ୍ମତି ଉପରେ କଟକଣା ବଳବତର ରହିବ । ପ୍ରଦର୍ଶନୀ ମେଳା ବାଣିଜ୍ୟ ମେଳାକୁ ମଧ୍ୟ ବାରଣ କରାଯାଇଛି । କିନ୍ତୁ ବ୍ୟବସାୟୀକ ସମ୍ମିଳନୀ, ଉଦ୍‌ଘାଟନୀ ସମ୍ମୀଳନି, ସରକାରୀ ସମ୍ମିଳନୀ ଆଦି ହୋଇପାରିବ ମାତ୍ର ୧୦୦ ଜଣ ଅତିଥି ରହିବେ ।
ଏସ୍‌ଆରସି କହିଛନ୍ତି, କୋଭିଡର ୨ୟ ଲହର ଚାଲିଛି । ଏହି ସମୟ ମଧ୍ୟରେ ରାଜ୍ୟର ୨୭ଟିଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଅଛି । ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହିଛି କିନ୍ତୁ ଉଦ୍‌ବେଗ ଜନକ ନୁହେଁ । ବିଶ୍ୱର କିଛି ସ୍ଥାନରେ କୋଭିଡର ୩ୟ ଲହର ଆରମ୍ଭ ହୋଇଯାଇଥିବା ଶୁଣାଯାଉଛି । ରାଜ୍ୟରେ ଗତ ମେ’ ମାସ ୫ ତାରିଖ ଠାରୁ ଲକଡାଉନ ସହିତ କିଛି କଟକଣା ରଖିଛୁ । ଦୀର୍ଘ ୨ ମାସ ପରେ ଏହା ଧୀରେ ଧୀରେ କୋହଳ ହୋଇଥିଲା । କୋଭିଡକୁ ଜିତିବାକୁ ହେଲେ କଟକଣା ଭିତରେ ହିଁ ରହିବାକୁ ରହିବ । କିନ୍ତୁ ସଂପୂର୍ଣର୍ ଲକଡାଉନ କଲେ ଜୀବନ ଓ ଜୀବିକା ପ୍ରଭାବିତ ହେବ ।
ରାଜ୍ୟ ସରକାର ଧୀରେ ଧୀରେ ଅନଲକ ପ୍ରକିୟାକୁ ବଢ଼ାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ଓ ହାତ ଧୋଇବାକୁ ଏକ ଅଭ୍ୟାସରେ ପରିଣତ କରନ୍ତୁ । ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । ଗତ ଜାନୁଆରି ୧୬ ତାରିଖ ଠାରୁ ଜାରି ରହିଛି । ଏବେ ସୁଦ୍ଧା ଦେଢ଼ କୋଟି ଲୋକ କୋଭିଡ-୧୯ ଟିକା ନେଇ ସାରିଛନ୍ତି । ଆମ ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନକୁ ଆସିଛି ବୋଲି ଶ୍ରୀ ଜେନା କହିଛନ୍ତି ।
ଏସ୍‌ଆରସି କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ କମିଛି । ଏଥି ପାଇଁ ସରକାର ବହୁ ଉଦ୍ୟମ କରିଛନ୍ତି । କିଛି ଅଂଚଳରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଲୋକେ ଏଥି ପାଇଁ କୋଭିଡ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି । ଜୀବନ ଓ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ।

Leave A Reply

Your email address will not be published.

10 − nine =