ମାତୃତ୍ଵ କେବେହେଲେ ଆଧୁନିକତାର ବଶବର୍ତ୍ତୀ ନ ହେଉ

ଦିବ୍ୟ ରଞ୍ଜନ ପତି, ମାଣିକ ଛକ, ଚାରୁସ ଭିଲା, ୱାର୍ଡ ନଂ-4,କରଞ୍ଜିଆ, ମୟୁରଭଞ୍ଜ ଦୂରାଭାଷ- 9348709645

ମା’ ଠାରୁ କେହି ସୁନ୍ଦର ନାହିଁ, ମା’ ଡାକ ଠାରୁ ମଧୁର ଏ ସଂସାରରେ ଅନ୍ୟ କୌଣସି ଡାକ ନାହିଁ | ସେଇଥିପାଇଁ ତାକୁ ପରା କୁହାଯାଏ ସେ ଦୟାମୟୀ , କରୁଣାମୟୀ, ଶକ୍ତିସ୍ୱରୂପିଣୀ|ସେହି ମା’ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ,ସତରେ କ´ଣ ସେହି ମା’ର ନାମଟି ଏତେ ମହାନ? ଛୋଟ ପିଲାଟି ଯେତେବେଳେ ଧରାପୃଷ୍ଟ ଦେଖେ ତାର ଚକ୍ଷୁ ସମ୍ମୁଖରେ ଯେଉଁ ଆକୁଳତାଭରା ଦୁଇଟି ନୟନ ତାକୁ ଚାହିଁ ରହିଥାଏ ସେଇ ତ ତାର ମା’,  ଯିଏ ହୃଦୟରେ ଆଲିଙ୍ଗନ କରି ମିଠା ଚୁମ୍ବନ ଦେଇ କୋଳାଇ ନେଇ ପରିଚୟ ଦେଇଥାଏ “ମୁଁ ତୋର ମା ” ସେଇ ଦିନଠାରୁ ଏଇ କଅଁଳିଆ ଆଖି ଦୁଇଟି ସାହାରା ଲୋଡ଼େନାହିଁ| ଛୋଟ ବେଳର ଝୁଣ୍ଟିବା ଠାରୁ ଆରମ୍ଭ କରି ବଡ ହେବା ବେଳର ସଂଘର୍ଷ ପର୍ଯ୍ୟନ୍ତ ଯେତେ ବାଧା ଆସୁ ଆଗରେ ଛିଡା ହୋଇ କହେ “ତୋ ମା’ ପରା ଅଛି ” ସଂସାରର ଏଇ ଜଞ୍ଜାଳ ଭିତରେ ଯେବେ ଏଇ ମନଟି ନିରୁଦ୍ଧିଷ୍ଟ ହୋଇଯାଏ, ଦିଗହରା ହୋଇଯାଏ ” ମା’ କହେ ଡରୁଛୁ କାହିଁକି ମା ପରା ଅଛି”| ଦୂରଦୂରାନ୍ତରେ ଯେତେବେଳେ ମନଟା ଅଶାନ୍ତ ରହେ ଦୂନିଆଠାରୁ ଠୋକର ଖାଇ ହାରିପଡେ, ଖୋଜୁଥାଏ ଅଶ୍ରୁଭରା ଏଇ ଦୁଇଟି ଆଖି ମା’ ର ସେଇ ସାନିଧ୍ୟକୁ ସେତେବେଳେ ଏଇ ମା ପରା ଦୂରାଭାଷରୁ କହେ ” ଧର୍ଯ୍ୟଧର ତୋ ମା’ ପରା ପାଖରେ ଅଛି”|  ନ ଖାଇଥିଲେ ଏଇ ମା’ ପରା ନଦେଖି ଜାଣିପାରେ ମନକଥାକୁ| ସାନବେଳେ ମା’ ର ଏଇ ଦୁଇଟି ହାତ ମାଡ଼ମାରୀ ମୋତେ ଯେବେ ଲୁଚିଲୁଚି କାନ୍ଦେ, ମୋ ନାରେ କେହି କହିଲେ ମୋ ମା’ କୁ ଯେ ବାଧେ,ନିଦ ନ ଆସିଲେ ରାତିସାରା ମୋ ସହିତ ଯିଏ ଗପେ, ସକାଳ ପହଁରୁ ରାତି ଯାଏଁ ଆମ ପାଇଁ ଯିଏ ଖଟେ, ଭଲରେ ରହି ଶିଖାଇଛି, ଖରାପରେ ରହି ଶିଖାଇଛି, ସେଥିପାଇଁ ପରା ମୁଁ ଆଜି ମଣିଷ ହୋଇପାରିଛି”|
ମୋ ମା’ ସହିଛି,ସେଇଥି ପାଇଁ ଆଜି ମୁଁ ଖୁସିରେ ଅଛି |
ମୋ ମା’ ଖଟିଛି, ସେଇଥି ପାଇଁ ଆଜି ମୁଁ ଫ୍ଲାଟ ରେ ଅଛି|
ମୋ ମା’ ଅନ୍ଧାର ଦେଖିଛି, ସେଇଥି ପାଇଁ ମୁଁ LED ଲାଇଟରେ ଦିନ କାଟୁଛି|
ମୋ ମା’ ସଞ୍ଚିଛି, ସେଇଥି ପାଇଁ ମୁଁ 5 ଷ୍ଟାର ହୋଟେଲ ରେ ଖାଉଛି |
ମୋ ମା’ ପାଦରେ ଚାଲିଛି, ସେଇଥି ପାଇଁ ମୁଁ ଲେଦାର ସୁଜ ପିନ୍ଧୁଛି|
ମୋ ମା’ ବାପାଙ୍କ ସାଇକେଲ ରେ ଜୀବନ କାଟିଛି, ସେଇଥି ପାଇଁ ମୁଁ କାର ଧରି ବୁଲୁଛି|
ମୋ ମା’ ଚୂଲିର କଳା ବୋଳିହୋଇଛି, ସେଇଥି ପାଇଁ ମୁଁ ଗ୍ଳାସଟପ ଗ୍ୟାସ ଷ୍ଟୋବରେ ରାନ୍ଧୁଛି|
ମୋ ମା’ ଝାଳରେ ଭିଜିଛି, ସେଇଥି ପାଇଁ ମୁଁ ଏସିରେ ଶୋଉଛି|
ମୋ ମା’ ମସିଣାରେ ଶୋଇଛି, ସେଇଥି ପାଇଁ ମୁଁ ଡାନଲୋପ ଗଦିରେ ଶୋଉଛି|
ମୋ ମା’ ଚିରା ପିନ୍ଧିଛି, ସେଇଥି ପାଇଁ ମୁଁ ବ୍ରାଣ୍ଡେଡ ଡ୍ରେସ ପିନ୍ଧୁଛି|
ମୋ ମା’ କେବେ ସୁନାହାର ର ସଉକ ରଖିନି, ସେଇଥିପାଇଁ ମୋ ପାଇଁ ରାଣୀହାର କରିଦେଇଛି|
ମୋ ମା ପାଠ ବେଶି ପଢିନି, ସେଇଥିପାଇଁ ମୋତେ ଇଂଲିଶ ମିଡିୟମ ସ୍କୁଲ ରେ ପଢ଼େଇଛି|
ମୋ ମା’ ସବୁ କରିଛି,ମୋ ମା’ ସବୁ ସହିଛି,ହେଲେ ନିଜ ପାଇଁ କେବେ ଭାବିନି,ନିଜ ପାଇଁ କେବେ କିଛି କରିନି|
ତେଣୁ ସେଇ ସର୍ବଂସହା ମା’ ପାଇଁ ଆଜିର ଦିନଟି କ’ଣ ସାପେକ୍ଷ? ସେଇ ମା’ ପାଇଁ ତ ପ୍ରତ୍ୟେକ ଦିନର ସାପେକ୍ଷତା ମଧ୍ୟ ପୂରଣୀୟ ନୁହେଁ| ସେଇ ଯିଏ ଡରିବା ଶିଖାଇନି, ହାରିବା ଶିଖାଇନି ସର୍ବଦା ସତ ରେ ଲଢ଼ିବା ଶିଖାଇଛି ତା ପାଇଁ କ’ଣ ଏଇ ଗୋଟିଏ ଦିନର ଶୁଭକାମନା, ଦାମିକିଆ କେକ, ମୂଲ୍ୟବାନ ଉପହାର, ଉଦ୍ଧିଷ୍ଟ| ପ୍ରକୃତରେ ଆଧୁନିକତାର ବସବର୍ତ୍ତୀ ହୋଇ ଆମେ ପ୍ରକୃତ ମାତୃତ୍ୱ ର ମର୍ମତା କୁ ଭୁଲିବାରେ ଲାଗିଲେଣି ଯାହାର ଫଳସ୍ୱରୂପ ଆମ ମା’ ମାନେ ମଧ୍ୟ ପିଲାଙ୍କ ଖୁସି ପାଇଁ ନିଜକୁ ଆଧୁନିକତା ର ଆଢୁଆଳରେ ରଖିବାକୁ ବାଧ୍ୟ ହେଉଛନ୍ତି| କିନ୍ତୁ ଗୋଟିଏ ମା’ ପାଇଁ କେବେବି ଉପହାର ଏକ ସାଧନ ହୋଇପାରିବ ନାହିଁ |ପ୍ରକୃତରେ ମା’ର ବାସଲ୍ୟତାକୁ ଉପଲବ୍ଧି କରିବାକୁ ହେଲେ ପ୍ରତିଦିନ ମୋ ମା’ ପଣତ କାନୀର ବାସ୍ନା ମୋର ପ୍ରତିଟି ନିଶ୍ୱାସରେ ବାଜୁଥିବ, ଦୂରରେ ଥିଲେ ବି ମୋ ମା’ ମୋ ପାଖରେ ଥିବ| ମୋ ମା’ର ପ୍ରତିଟି ବଳିଦାନ ମୋ ହୃଦୟରେ କର୍ତ୍ତବ୍ୟନିଷ୍ଠା ର ଆଭାସକୁ ମୋତେ ହୃଦବୋଧ କରାଉଥିବ| ମୋ ମା’ ମୋ ପାଇଁ ଗର୍ବିତ ହେଉଥିବ| ଆଧୁନିକ ଭାବନା ରଖି ମଧ୍ୟ ମୋ ମନରେ ମୋ ମା’ ର ଶିକ୍ଷା ସର୍ବଦା ପ୍ରତିଫଳିତ ହୋଇଉଠୁ ଥିବ| ମୋ ମା’ ର ଦୁଃଖଜର୍ଜରିତ ଭରା ଦିନ ମୋ ମନରେ ଅଙ୍କୁରୀତ ହୋଇ ଉଠୁଥିବ|ସବୁ ଦିନ ମୋ ମା ସହ ପଦେ କଥା ନ ହେଲେ ମୋ ମନ ଭରୁନଥିବ| ମୋତେ ସବୁଦିନ “mother’s day” ଭଳି ପ୍ରତୀତ ହେଉଥିବ, କାହିଁକି ନା ମୋ ମା’ପାଇଁ କୌଣସି ଗୋଟିଏ ଦିନ ସୀମାବଦ୍ଧ ନାହିଁ ମୋ ମା’ ଅସୀମ|

Leave A Reply

Your email address will not be published.

nineteen − eleven =