ନୋମିରା ଗ୍ରାମରେ ଲାଭା ବିଶିଷ୍ଟ ଆଗ୍ନେୟଶିଳାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ; ପର୍ଯ୍ୟଟନ ସ୍ଥାନର ମାନ୍ୟତା ପାଇବ
ଯୋଡା : ଯୋଡା ବ୍ଲକ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଭୂତତ୍ୱ ବିଜ୍ଞାନୀ ମାନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପିଲୋଲାଭା ଉଦଗୀରଣ ସ୍ଥଳ ଏକ ଭୂ-ଐତିହ୍ୟ ସ୍ଥଳ ଭାବେ ଦେଶ ତଥା ପୃଥିବୀ ମାନଚିତ୍ରରେ ସ୍ଥାନ ପାଇବା ଏଅଞ୍ଚଳ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବୋଲି ଶୁକ୍ରବାର ନୋମିରା ଗ୍ରାମ ଠାରେ ଭାରତ ସରକାରଙ୍କ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ଦ୍ୱାରା ଆୟୋଜିତ ଏକ ସଚେତନତା ସଭାରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଭୂ-ଐତିହ୍ୟ ସ୍ଥଳ ଗୁଡିକର ସୁରକ୍ଷା ନିମନ୍ତେ ଭାରତ ସରକାରଙ୍କ ଦ୍ୱାରା ସଂସଦରେ ଭୂ- ଐତିହ୍ୟ ସ୍ଥଳ ଏବଂ ଭୂ-ଅବଶେଷ (ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ) ବିଲ ଉପସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଥିବା ବେଳେ ଏହି ବିଲ ଅଧୀନରେ କେନ୍ଦ୍ର ସରକାର ଏବଂ ଭାରତ ଭୂବୈଜ୍ଞାନୀକ ସର୍ବେକ୍ଷଣକୁ ପ୍ରତ୍ୟେକ ଭୂ- ଐତିହ୍ୟ ସ୍ଥଳକୁ ସଂରକ୍ଷିତ ଏବଂ ବ୍ୟବସ୍ଥିତ ରଖିବା ସକାଶେ ଦିଗଦର୍ଶନ ପାଇଁ ଅନିବାର୍ଯ୍ୟ କରାଯାଇଛି । ସେଥିଯୋଗୁଁ ପ୍ରବେଶ,ନିରୀକ୍ଷଣ ଏବଂ ସର୍ବେକ୍ଷଣ କରିବା ପାଇଁ ମାପତଥା ନମୁନା ପ୍ରାପ୍ତ କରିବା ପାଇଁ ଅନ୍ୱେଷଣ ସଞ୍ଚାଳନ ପାଇଁ ତଥ୍ୟ ଗୁଡିକ ଯାଞ୍ଚ କରିବା ପାଇଁ ଅଧିକୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ୯୦ଟି ଭୂ- ଐତିହ୍ୟ ସ୍ଥଳ ମଧ୍ୟରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ପଳସା ପଞ୍ଚାୟତର ନୋମିରା ଲାଭାସ୍ଥଳ ଭାରତର ଅନ୍ୟତମ । ଏହାର ପ୍ରଦର୍ଶନ,ଉନ୍ନତିକରଣ ତଥା ସଂରକ୍ଷଣ ଦିଗରେ ସଚେତନ ପାଇଁ ଶୁକ୍ରବାର ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ନୋମିରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ନୋମିରାଉପଧାନୀ ଲାଭାବିଶିଷ୍ଟ ଆଗ୍ନେୟଶିଳାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଏହି ଭୂ-ଐତିହ୍ୟସ୍ଥଳୀ ହେଉଛି ପ୍ରାକୃତିକର ଅପାର ମହତ୍ତ୍ୱକୁ ଚିହ୍ନିବା ତଥା ଭୌଗଳିକ ଅଧ୍ୟୟନ,ଶିକ୍ଷା,ଅନୁସନ୍ଧାନ ଏବଂ ସଚେତନତା ସୃଷ୍ଟି କରିବ ବୋଲି ଜିଏସଆଇ ଅଧିକାରୀମାନେ କହିଛନ୍ତି । ଏହି ନୋମିରା ଉପଧାନୀ ଆଗ୍ନେୟଶିଳା ଅଞ୍ଚଳ ୧୯୪୨ରେ ବ୍ରିଟିସ ଭୂ-ବୈଜ୍ଞାନିକ ଜୋନସ ଓ ଡନସଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା । ନୋମିରା ବଡବିଲ-ଲହୁଣୀପଡା ରାଜପଥର ଯୋଡା ସହର ଠାରୁ ୧୮ କିମି ଦକ୍ଷିଣକୁ ଅବସ୍ଥିତ । ନୋମିରାକୁ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ୧୯୭୬ ମସିହାରେ ଏହାର ୧୨୫ ତମ ବର୍ଷ ପାଳନ ଅବସରରେ ‘ଜାତୀୟ ଭୂ-ବୈଜ୍ଞାନିକ ସ୍ମାରକୀ’ ଭାବେ ଘୋଷଣା କରିଥିଲା । ନୋମିରା ଉପଧାନୀ ଆଗ୍ନେୟଶିଳା ବଣାଇ-କେନ୍ଦୁଝର ଲୌହ ଖଣି ଅଞ୍ଚଳରେ ଟୋପାଶିଟ୍ ସଂଖ୍ୟା ୭୩ଜି/୫ରେ ପ୍ରାୟ ୦.୧୬ ବର୍ଗ କିମିରୁ ଉର୍ଦ୍ଧ୍ଵ ଅଞ୍ଚଳରେ ବିସ୍ତ୍ରୁତ ରହିଛି। ଏହି ସୁ ସଂରକ୍ଷିତ ଉପଧାନୀ ଶିଳା ସଂରଚନା ବଣାଇ-କେନ୍ଦୁଝର ବେଲ୍ଟର ପୂର୍ବ ଭାଗର ଅଶ୍ଵ କ୍ଷରାକୃତୀ ସିନକ୍ଲିନୋରିୟମ ବିସ୍ତୃତ ରହିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ନୋମିରା ଗ୍ରାମରେ ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ପକ୍ଷରୁ ୧୯୭୬ମସିହାରେ ଚିହ୍ନଟ କରାଯାଇଥିବା ପିଲୋ ଲାଭା ଉତ୍ପତ୍ତି ସ୍ଥଳକୁ ଜିଓ ହେରିଟେଜ୍ ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଗଲା । ଶୁକ୍ରବାର ଦିନ ଜିଏସଆଇର ଡାଇରେକ୍ଟର ଓ ଏଚଓ ଅସିତ କୁମାର ସ୍ୱାଇଁ, ଡେପୁଟି ଡାଇରେକ୍ଟର ଜେନେରାଲ ଶୈବାଳ ଚନ୍ଦ୍ର ମିତ୍ର,କାହ୍ନୁ ଚରଣ ଦାସ,ବଣେଇ ଡିଏଫଓ ଲଳିତ କୁମାର ପାତ୍ର,ଯୋଡା ବ୍ଲକ ଏବିଡିଓ ସଞ୍ଜିବ ଏକ୍କା,ପଳସା ସରପଞ୍ଚ ଅରୁଣ ମୁଣ୍ଡା,ଡିଏମଜି ରଜତ କୁମାର କର ଭୂତତ୍ତ୍ଵଵିତ ହିମାଂଶୁ ପାତ୍ର ଏହି ଜିଓ ହେରୀଟେଜ ସ୍ଥଳରେ ଏକ ସାଧାରଣ ସଭାରେ ଉପସ୍ଥିତ ଥିଲେ । ଜିଏସଆଇ ପକ୍ଷରୁ ଆୟୋଜିତ ସଭାରେ ସୂଚନା ଦିଆ ଯାଇଥିଲା ଯେ, ଭୂ-ଐତିହ୍ୟ ସ୍ଥାନ ଗୁଡିକର ସୁରକ୍ଷା,ସଂରକ୍ଷଣ ଏବଂ ଲୋକପ୍ରିୟତା କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଭୂ- ଐତିହ୍ୟ ସ୍ଥଳ ଏବଂ ଭୂ-ଅବଶେଷ (ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ) ବିଲର ପ୍ରସ୍ତାବ ରହିଛି । ଆଜାଦୀକି ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଜିଏସଆଇ ଭୂ- ଐତିହ୍ୟ ସ୍ଥଳ ଏବଂ ଭୂ-ଅବଶେଷ ସ୍ଥାନରେ ଏକ ସଚେତନତା ଅଭିଯାନ କରୁଛି । ୨.୮ ବିଲିୟନ ବର୍ଷ ପୂର୍ବରୁ ଏହି ଅଞ୍ଚଳ ବିଶାଳ ସମୁଦ୍ର ଥିଲା । ସମୁଦ୍ର ଗର୍ଭରେ ଥିବା ଆଗ୍ନେୟଗିରି ବିସ୍ଫୋରଣରେ ଲାଭା ଉଦ୍ଗିରଣ ହୋଇ ନୋମିରା ଗ୍ରାମରେ ପିଲୋ ଲାଭାରେ ପରିଣତ ହୋଇଥିଲା ।୧୯୭୬ ମସିହାରେ ଜିଏସଆଇ ପକ୍ଷରୁ ଟାଟା କମ୍ପାନୀର ସହଯୋଗରେ ଉକ୍ତ ଅଞ୍ଚଳକୁ ଜିଏସଆଇର ଏକ ରିସର୍ଚ୍ଚ ସ୍ଥାନ ଭାବେ ପରିଗଣିତ କରାଯାଇଥିଲା । ୨୦୨୨ମସିହାରେ କେନ୍ଦ୍ର ସରକାର ଜିଏସଆଇ ଦ୍ଵାରା ଚିହ୍ନଟ ହୋଇଥିବା ପ୍ରାୟ ୯୦ଟି ସ୍ଥାନକୁ ଜିଓ ହେରିଟେଜ୍ ଭାବେ ମାନ୍ୟତା ଦେବା ସହିତ ଭୂତତ୍ଵ ବିଜ୍ଞାନୀ ମାନଙ୍କର ରିସର୍ଚ୍ଚ ସମେତ ଏହି ଅଞ୍ଚଳ ଗୁଡିକରେ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରିବା ପାଇଁ ଏକ ବିଲ ଚିଠା ଆଗତ ହୋଇଛି । ରାଜ୍ୟସଭା ଓ ଲୋକସଭାରେ ଏହି ବିଲକୁ ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ କରାଯିବ । ଓଡ଼ିଶାରେ ଯୋଡ଼ା ବ୍ଲକର ନୋମିରା ଓ କର୍ଣ୍ଣାଟକ ରାଜ୍ୟର ଚିତ୍ରଦୁର୍ଗ ଜିଲ୍ଳାର ମାରଡିହଲି ପରେ ଏହା ହେଲା ଭାରତର ଦ୍ୱିତୀୟ ଅଞ୍ଚଳ ବୋଲି ଉପ ମହା ନିର୍ଦ୍ଦେଶକ ଶ୍ରୀ ମିତ୍ର ପ୍ରକାଶ କରିଥିଲେ । ନୋମିରାଉପଧାନୀ ଶିଳା ନିକଟରେ କୌଣସି କୌଣସି ସ୍ଥାନରେ ଗାଢ଼ ଧୂସର ରଙ୍ଗର ବାତାମକୀ ବାସାଲଟ ଶିଳା ଦେଖିବାକୁ ମିଳିଥାଏ ବୋଲି ଜିଏସଆଇ ଅଧିକାରୀ ମାନେ ସୂଚନା ଦେଇଥିଲେ । ଲାଭା ଗୁଡ଼ିକ ମଧ୍ୟରେ ଥିବା ଉଦବାୟି ପଦାର୍ଥ ତଥା ଗ୍ୟାସ ସବୁ କ୍ଷୁଦ୍ର କ୍ଷୁଦ୍ର ସ୍ପୋଟକ ରୂପରେ ଆବଦ୍ଧ ହୋଇ ରହିଥାନ୍ତି। ଏଗୁଡିକ ପୃଷ୍ଠଭାଗରେ ଦେଖା ଯାଉଥିବା ଶିତଳିକୃତ ପ୍ରାନ୍ତରେଖା ଅନୁସାରେ ଅନୁଲୋମ୍ବିତ ହୋଇ ରହିଥାନ୍ତି। ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରେ ଜିଏସଆଇ ପକ୍ଷରୁ ସ୍ଥାନୀୟ ଗ୍ରାବାସୀମାନଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶୁକ୍ରବାର ଦ୍ୱିତୀୟ ଥର ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ଏହି ଅଞ୍ଚଳରେ ହେରିଟେଜ ହେଲେ ଅଞ୍ଚଳବାସୀ ବହୁ ସୁବିଧା ପାଇ ପାରିବେ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଥିଲେ ।