କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ସାମିଲ ହେବ ଲାଞ୍ଜିଗଡ ବ୍ଲକର ୨୬୨ ଗ୍ରାମ, ଉପକୃତ ହେବେ ୫୯୫୯ ପରିବାର

ଭବାନୀପାଟଣା : ଜନଜାତିମାନଙ୍କ ଅବହେଳିତ ସ୍ଥିତିରେ ସୁଧାର ଆଣିବା ସହିତ ସଭ୍ୟତାର ଆଲୋକ ଦେଖାଇବା ପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟା ଚଳାଇ ଆସୁଛନ୍ତି। କେବଳ ସେତିକି ନୁହେଁ ଲୋକମାନଙ୍କର ସଂସ୍କୃତି, ପରମ୍ପରା ଓ ଜୀବନଜୀବିକାର ସୁରକ୍ଷା ପାଇଁ ପ୍ରୟାସରତ ରହିଛନ୍ତି । ଏବେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକରେ ବିକାଶର ଭିନ୍ନ ଏକ ସ୍ୱାଦ ପାଇବାର ସୁଯୋଗ ସୃଷ୍ଟି ସ୍ୱରୂପ ୨୬ ଗୋଟି ପଞ୍ଚାୟତର ୫୯୫୯ ପରିବାର ଉପକୃତ ହେବେ। ଓଡିଶା ସରକାରଙ୍କର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହାୟତା ଯୋଗେ ଇତିମଧ୍ୟରେ ଲାଞ୍ଜିଗଡ ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଭୁବନେଶ୍ଵର ସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଇଣ୍ଟରନେସନାଲ୍ ଫଣ୍ଡ ଫର୍ ଏଗ୍ରିକଲ୍ଚର ଡେଭେଲପମେଣ୍ଟର ମୁଖ୍ୟ କାର୍ଯ୍ୟାଳୟ ଇଟାଲିରୁ ଉଲାକ ଡେମିରାଙ୍ଗ, ପିୟୁଷ କାନାଲ, କାରଲା ସୋଫିଆ, ଅଙ୍କୁର ଅଗ୍ରୱାଲ ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ବରେ ଥିବା ଯୋଜନା ନିର୍ଦ୍ଦେଶକ ପି. ଆର୍ଥନାରୀଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଲାଞ୍ଜିଗଡ ଗସ୍ତ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କାର୍ଯ୍ୟକ୍ରମରେ ଓପିଲିପ ୫ଟି ପଞ୍ଚାୟତରେ କାର୍ଯ୍ୟ କରି ଆସୁଛି । ସରକାରଙ୍କ ନିଷ୍ପତ୍ତି କ୍ରମେ ଲାଞ୍ଜିଗଡ ବ୍ଲକର ୨୬୨ଟି କୁଟିଆ କନ୍ଧ ଗ୍ରାମକୁ ଓପିଇଏଲଆଇପି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଓଡିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ପାଇଁ ନୂତନ ପଞ୍ଚାୟତ ଗୁଣ୍ଡରୀସ୍ଥିତ ଦାରବେଙ୍ଗ ଓ ବୋରାଙ୍ଗପଦର ,ତ୍ରିଲୋଚନପୁର ପଞ୍ଚାୟତସ୍ଥିତ ଫୁଲଡୁମେର,ପାଲବେରି ଓ କୁନାକାଡୁ ଏବଂ ଭଟାଙ୍ଗପଦର ପଞ୍ଚାୟତସ୍ଥିତ ଆମପଦର ଗ୍ରାମକୁ ଆଇଏଫଏଡି ଯାଇ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହାପରେ ଗ୍ରାମ ଗୁଡିକରେ ଏହି କାର୍ଯ୍ୟକ୍ରମ କେମିତି କରାଯିବା ଏହାର ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ । ଲାଞ୍ଜିଗଡ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ କେକେଡିଏ ଅଧୀନରେ ୫ଟି ପଞ୍ଚାୟତର ୮୭୧ ପରିବାର ଥିବାବେଳେ ଏବେ ବ୍ଲକର ସମୁଦାୟ ୨୬ଟି ପଞ୍ଚାୟତର ୫୯୫୯ ପରିବାର କେକେଡିଏରେ ଯୋଡି ହେବେ ବୋଲି କୁହାଯାଇଛି। ଏହି ଗସ୍ତରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ , ତ୍ରିଲୋଚନପୁର ସରପଞ୍ଚ, ଗୁଣ୍ଡୁରି ସରପଞ୍ଚ ଓ ଭଟାଙ୍ଗପଦରର ସମିତି ସଭ୍ୟ ରୂପେଣ ନାୟକ ଉପସ୍ଥିତ ଥିଲେ । କୃଷିକୈନ୍ଦ୍ରିକ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବା ସମ୍ଭାବନାକୁ ଏଡାଇଦେଇ ହେବନାହିଁ। ଜନଜାତି ମାନଙ୍କ ଜୀବନ ଜୀବିକାର ଉତ୍ସ ଅଧିକ ଗତିଶୀଳ କରିବାକୁ ସରକାରଙ୍କ ଉଦ୍ୟମ ସଫଳ ହେବା ସମ୍ଭାବନା ଅଧିକ ରହିଛି । ଗ୍ରାମବାସୀଙ୍କ ଶକ୍ତି, ଚାହିଦା,  ପୁଷ୍ଟିସାଧନ, ରୋଜଗାର ତଥା ଅନ୍ୟାନ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ ବୋଲି କେକେଡିଏ ପ୍ରକଳ୍ପ ପ୍ରବନ୍ଧକ ସମେତ ଅନ୍ୟ ଅଧିକାରୀମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଟୁନୁ ମେହେର, କେକେଡିଏର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପଧାନ, ସିତା ଦେବୀ, ଜେଏଓ ମନୋଜ ମଲ୍ଲିକ, ଅଶୋକ ପଟ୍ଟନାୟକ, ମୀନା ପାଣିଗ୍ରାହୀ, ଶୈଳ ସାହୁ, ଡ. ରଞ୍ଜିତ ସାହୁ, ଓପିଇଏଲ୍ଆଇପିର ଦୀପ୍ତି ରଞ୍ଜନ କାମାକ୍ଷି ପାଢୀ, ଜନ ସାହାଜ୍ୟ ଅନୁଷ୍ଠାନ ଓ କେକେଡିଏର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × two =