ବିଦ୍ୟାଳୟ କାନ୍ଥରେ ରେଳ ପ୍ରକଳ୍ପ ଆରମ୍ଭ-ଶେଷ

  • କାହାର ଆନ୍ତରିକତା କେତେ ?
  • ରେଳଗାଡି ଦେଖିବାକୁ ଆଉ କେତେବର୍ଷ ଲାଗିବ ?

ନବରଙ୍ଗପୁର : ସ୍ୱାଧୀନତାର  ୭୫ ବର୍ଷ ପରେ ବିଦ୍ୟାଳୟର କାନ୍ଥରେ ଚିତ୍ରାଙ୍କନକୁ ଦେଖି ଛାତ୍ରଛାତ୍ରୀ ରେଳ ଦେଖିବାକୁ ସକ୍ଷମ ହେଲେ। ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଓ କେନ୍ଦ୍ର ସରକାରଙ୍କ ବଜେଟରେ ଅର୍ଥ ମଞ୍ଜୁର ହେବା ପରିପକ୍ବ ସମ୍ଭାବନା ମାତ୍ର। ଏକ ଉପାନ୍ତ ଜିଲ୍ଲାର ପିଲା ରେଳଗାଡି କଣ ଜାଣି ନ ଥିବା ଦୂର୍ଭାଗ୍ୟଜନକ। ବିଜୁବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଚାରିଭାଗରେ ବିଭକ୍ତ କରି ସୁଦୃଢ କରିବାକୁ ପ୍ରୟାସ କରିଥିଲେ। ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଥରେ ୨୩୫ କୋଟି ଟଙ୍କା ଅଧିକ ମଞ୍ଜୁର କରିଛନ୍ତି। ବିଗତ ୭ ବର୍ଷରେ ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ପ୍ରତି ବଜେଟରେ ଏଥିପାଇଁ ସ୍ବତନ୍ତ୍ର ଭାବେ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରୁଛନ୍ତି। ହେଲେ ଜମି ଅଧିଗ୍ରହଣ ଆଜିଯାଏଁ ଇଞ୍ଚେ ମଧ୍ୟ ରାଜ୍ୟ ସରକାରଙ୍କ ବୈମାତୃକ ଭାବନା ହେଉ କିମ୍ବା ଅବହେଳା ପାଇଁ ହେଉ ସମ୍ଭବପର ହୋଇପାରୁ ନାହିଁ। ତେଣେ ଅନୁଦାନର ସର୍ବ ମୋଟ ମୂଲ୍ୟ  ୧୪୦୫.୧ କୋଟିରେ ପହଞ୍ଚିଲାଣି। ପ୍ରଥମ ଅନୁଦାନ ୨୦୧୫  ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ  ପସ୍ତାବିତ ପ୍ରକଳ୍ପ ନିମନ୍ତେ ଅନୁଦାନ ମଞ୍ଜୁର କରିଥିଲେ। ଏହା ପରେ ୨୦୧୬ ଅକ୍ଟୋବର ୧୧ ତାରିଖରେ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସଡକ ପରିବହନ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ଅନୁଯାୟୀ ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ମାଗଣା ଜମି ଯୋଗାଇ ଦେବା ସହ ପ୍ରକଳ୍ପ ଖର୍ଚ୍ଚର ଅଧା ଅର୍ଥ ରାଜ୍ୟ ସରକାର ବହନ କରିବ ବୋଲି ସୂଚନା ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ତାହା “ଚିଲିକା ମାଛ,ଆକାଶ କୟାଁ” ଭଳି ରହିଛି। ନବରଙ୍ଗପୁରବାସୀଙ୍କୁ ଜଳକା ହୋଇଛି। ୨୦୧୬ ମସିହାରେ ପ୍ରଥମେ ୭୫୦ କୋଟି ଟଙ୍କା କେନ୍ଦ୍ର ଅନୁଦାନ ପ୍ରଦାନ କରିଥିଲେ। ଆର୍ଥିକବର୍ଷ ୨୦୧୭-୧୮ ବେଳେ ୨୭୫ କୋଟି ଘୋଷଣା ହୋଇଥିଲା। ଏହାପରେ ୨୦୧୮-୧୯ ମସିହାରେ ୧୯ କୋଟି ଦିଆଗଲା। ସେହିପରି ୨୦୧୯-୨୦ ବେଳକୁ ପୁଣି ୧୦ କୋଟି ଦିଆଗଲା। ୨୦୨୦-୨୧ ମସିହାରେ କେନ୍ଦ୍ର ବଜେଟରୁ ୨୦  କୋଟି ମଞ୍ଜୁର ହୋଇଥିଲା। ୨୦୨୧-୨୨ ବଜେଟରେ ୧୫.୧ କୋଟି ପ୍ରକଳ୍ପ ପାଇଁ କେନ୍ଦ୍ର ଦେଲା। ସେହିପରି ୨୦୨୨-୨୩ ମସିହାରେ ୮୧ କୋଟି ମିଳିଲା। ଆଉ ଚଳିତ ବଜେଟରେ ଅଧିକ ୨୩୫ କୋଟି ଘୋଷଣା କରାଯାଇଛି। ପ୍ରକଳ୍ପ ଓ କେନ୍ଦ୍ର ସରକାରଙ୍କ ଘୋଷଣା ପାଣିର ଗାର ସଦୃଶ୍ୟ ହେଉଥିବା ଦେଖିବାକୁ ମିଳୁଛି। ଏହି ପ୍ରକଳ୍ପ କାର୍ଯ୍ୟକୁ ୨୦୨୧-୨୨ ମଧ୍ୟରେ ସମ୍ପୂର୍ଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟର ବର୍ଷେ ପୁରାବା ପରେ ମଧ୍ୟ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର ଚିହ୍ନବର୍ଣ ମିଳୁ ନାହିଁ। ଜମି ଅଧିଗ୍ରହଣ ନିମନ୍ତେ ଭୂଅର୍ଜନ ଅଧିକାରୀଙ୍କ ଲେଖାଦେଖା ନାହିଁ। ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହିତ ସାମାଜିକ ଚଳଣିରେ ବ୍ୟାପକତା ଦେଖାଦେବାର ସମ୍ଭାବନା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆପୋଷ ବୁଝାମଣାର ଅଭାବ ଯୋଗୁଁ ଅଟକିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିଭିନ୍ନ ସର୍ଭେ,ଜନଶୁଣାଣି,କ୍ଷତିପୁରଣ ଆଦିକୁ ନେଇଁ ବଜେଟର ଅର୍ଥ ମଞୁର କରିବା ଆଣ୍ଠେଇ ପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ନେତାଙ୍କ ଆନ୍ତରିକତାର ଅଭାବ ପରିଲିକ୍ଷିତ ହେଉଛି। ଏହାର ମୂଳଦୁଆ ପକେଇଥିବା ପୂର୍ବତନ ସାଂସଦ ଇଂ ବଳଭଦ୍ର ମାଝୀ କହିବା ପ୍ରକାରେ କେନ୍ଦ୍ର ରେଳ ବିଭାଗକୁ ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କାର କ୍ଷତି  ସହୁଥିଲେ ବି ବହୁ ବୁଝାମଣା ଓ ରାଜ୍ୟ ସରକାରଙ୍କ ସହିତ ଏକ ଚୂକ୍ତି ସ୍ବାକ୍ଷର ଆଧାରରେ ଅର୍ଥାତ ମାଲକାନଗିରି- ଜୟପୁର ରେଳ ସଂଯୋଗୀକରଣ ପାଇଁ ଖର୍ଚ୍ଚର ୨୫ ପ୍ରତିଶତ ଓ ନବରଙ୍ଗଫୁର-ଜୟପୁର ରେଳ ପ୍ରକଳ୍ପକୁ ନେଇ ଜମି ଅଧିଗ୍ରହଣ ସହ ୫୦ ପ୍ରତିଶତ ରାଜ୍ୟ ସରକାର ବହନ କରିବାକୁ ଚୂକ୍ତି ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ନବରଙ୍ଗଫୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଭୂଅର୍ଜନ ଅଧିକାରୀଙ୍କ ବଦଳୀ ହେବାରୁ ଜମି ଅଧିଗ୍ରହଣ ହୋଇ ପାରି ନ ଥିବା କହିଥିଲେ। ସୂଚନାଥାଉ କି,ଏହି ଚୂକ୍ତି ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଉପସ୍ଥିତରେ ହୋଇଥିଲା।  ଏହି ପ୍ରସଙ୍ଗରେ ଆଜି ଇଂ ମାଝୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ରାଜ୍ୟ ସରକାରଙ୍କୁ ତାଗିଦ୍ କରିବାକୁ ଅନୁରୋଧ କରିଥିଲେ। କାରଣ କେନ୍ଦ୍ର ଅନୁଦାନରୁ ଆସିଥିବା ମୋଟ ୧୪୦୫.୧ କୋଟି ଟଙ୍କାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ନାହିଁ କି ଜମି ଅଧିଗ୍ରହଣ କରାଗଲା ନାହଁ । ତେବେ ଏଠି ଦୋଷ କାହାର ସାଧାରଣରେ ଜିଲ୍ଲାବାସୀଙ୍କୁ ଭୂଆଁ ବୁଲେଇ ରଖିବା ଓ ଆକାଂକ୍ଷା ଜିଲ୍ଲା ଭାବେ ରହିବାକୁ ଦେବା କେତେଦୂର ଯୁକ୍ତି ସାପେକ୍ଷ। ନବରଙ୍ଗପୁର ଜିଲ୍ଲାକୁ କେବେ ଭାରତୀୟ ରେଳ ମାନଚିତ୍ରରେ ସ୍ଥାନ ପାଇବ ଦେଖିବାକୁ ବାକି ରହିଲା।

ReplyForwardAdd reaction

Leave A Reply

Your email address will not be published.

twenty + 8 =