ଗୋଖାଦ୍ୟ ଦର ବଢୁଛି : ଦୁଗ୍ଧ ଚାଷୀ ହତାଶ

ଭୁବନେଶ୍ୱର: କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ଉପରେ ଏବେ ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଦାଉ ସାଜୁଛନ୍ତି । ବିଭିନ୍ନ ଆଳ ଦେଖାଇ ନିୟମିତ ଭାବେ ଗୋଖାଦ୍ୟର ଦର ବଢ଼ାଇ ଚାଲୁଥିବା ବେଳେ ଅନେକ ଦୁଗ୍ଧ ଚାଷୀ ଏବେ ନିଜ ନିଜର ଗାଈ ମଇଁଷିଙ୍କୁ ବିକିବାକୁ ଚିନ୍ତା କଲେଣି । ମାର୍ଚ୍ଚ ୨୫ ତାରିଖରେ ରାଜ୍ୟରେ କରୋନା କଟକଣା ଲାଗୁ ହେବା ପରଠାରୁ ଦୁଗ୍ଧ ଚାଷୀଙ୍କୁ ଶନିଦଶା ପଡ଼ିଛି । ରାଜ୍ୟର ପ୍ରମୁଖ ଦୁଗ୍ଧ ସଂଗ୍ରହ କରୁଥିବା ସରକାରୀ ସଂସ୍ଥା ଓମ୍ଫେଡ ନିୟମିତ କ୍ଷୀର ସଂଗ୍ରହ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । କେଉଁଦିନ ରାତିରେ କ୍ଷୀର ଆଣୁଛି ତ ଆଉ କେଉଁଦିନ ଦିନବେଳା । ଚାଷୀମାନେ ହଜାର ହଜାର ଲିଟର କ୍ଷୀରକୁ କ’ଣ କରିବେ ତାହା ଜାଣିପାରୁନାହାନ୍ତି । ଲକ୍ଡାଉନ୍ ଓ ସଟ୍ଡାଉନ ଯୋଗୁ ଦୋକାନ ବଜାର ବନ୍ଦ ରହୁଥିବାରୁ ସ୍ଥାନୀୟ ଅଂଚଳରେ ବି କ୍ଷୀର ବିକ୍ରି ହୋଇପାରୁନାହିଁ । ଓମ୍ଫେଡ କର୍ତୃପକ୍ଷ ନିୟମିତ ଭାବେ ଦୁଗ୍ଧ ସଂଗ୍ରହ ନକରିବା ଯୋଗୁ ଦାନା ଯୋଗାଇ ପାରୁନାହାନ୍ତି । ପ୍ରତିବାଦ ସ୍ୱରୂପ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଶହ ଶହ ଲିଟର କ୍ଷୀରକୁ ରାସ୍ତାରେ ଢାଳୁଛନ୍ତି । ଦୁଗ୍ଧ ଚାଷୀମାନଙ୍କ ଏଭଳି ଦୁସ୍ଥିତି ସମୟରେ ସରକାର ସେମାନଙ୍କୁ ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା ବାରମ୍ବାର ଦାବି କରିଆସୁଛନ୍ତି । ଗୋଟିଏ ପଟେ କ୍ଷୀର ବିକ୍ରି ହୋଇପାରୁନଥିବା ବେଳେ ଅନ୍ୟପଟେ ଗୋଖାଦ୍ୟ ବ୍ୟବସାୟୀମାନେ ଦର ବଢ଼ାଇ ଚାଲିଛନ୍ତି । ସପ୍ତାହକ ମଧ୍ୟରେ ଚୋକଡ଼ ଦର ବସ୍ତା ପ୍ରତି ୮୨୦ରୁ ୯୭୦ ଟଙ୍କାକୁ ବଢ଼ିଥିବା ବେଳେ ଚୁନି ଦର ୯୮୦ରୁ ୧୩୦୦ ଟଙ୍କାକୁ ବଢ଼ିଗଲାଣି । ଅନୁରୂପ ଭାବେ କୁଣ୍ଡା ଓ ନଡ଼ା ଦର ବି ବଢ଼ୁଛି । ଓମ୍ଫେଡର ନିଜସ୍ୱ ଗୋଖାଦ୍ୟ ନଥିବାରୁ ଦୁଗ୍ଧ ଚାଷୀମାନେ ବାଧ୍ୟ ହୋଇ ଧାରଉଧାର କରି ବଜାରରୁ ଏହା ଖରିବ କରୁଛନ୍ତି । ହେଲେ ଓମ୍ଫେଡ ନିୟମିତ କ୍ଷୀର ସଂଗ୍ରହ କରୁନଥିବା ଚାଷୀମାନେ ବାକିରେ ଆଣିଥିବା ଗୋଖାଦ୍ୟ ପଇସା ସୁଝିପାରୁନାହାନ୍ତି । କ୍ଷୀର ସଂଗ୍ରହର ଅନିୟମିତତା ପାଇଁ ଓମ୍ଫେଡ କରୋନା କଟକଣାକୁ ଆଳ କରୁଥିବା ବେଳେ ସପ୍ତାହରେ ଦୁଇଦିନ ସଟ୍ଡାଉନ ହୋଉଥିବା ସହରାଂଚଳଗୁଡିକରେ ଓମ୍ଫେଡ କିନ୍ତୁ ଲୋକଙ୍କୁ ଦୁଗ୍ଧ ଯୋଗାଉ ନାହିଁ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଦୁଗ୍ଧ ବାଦ ପଡ଼ିଥି ବେଳେ ଓମ୍ଫେଡର ବହୁ ପ୍ରଚାରିତ ଦୁଗ୍ଧ ପ୍ରଚାରିତ ଦୁଗ୍ଧ ବିକ୍ରି ଗାଡ଼ିର ବି ଦେଖା ଦର୍ଶନ ନାହିଁ । କେତେକ ବ୍ୟବସାୟୀ ଓ ସ୍ୱିଗୀ ଭଳି ସଂସ୍ଥାକୁ ଦୁଗ୍ଧ ବିକ୍ରି ଦେଇ ଓମ୍ଫେଡ ନିଶ୍ଚିତରେ ବସିଥିବା ବେଳେ ଲୋକେ କିନ୍ତୁ ଚଢ଼ା ଦର ଯୋଗୁ ଏମାନଙ୍କ ମାଧ୍ୟମରେ କ୍ଷୀର ମଗାଉନାହାନ୍ତି । ଗୋଟିଏ ପଟେ ରାଜ୍ୟର ଦୁଗ୍ଧ ଚାଷୀମାନେ ଦିନକୁ ଦିନ ଦେବାଳିଆ ହୋଇଯାଉଥିବା ବେଳେ ଓମ୍ଫେଡ ଦୁଗ୍ଧ ସଂଗ୍ରହ ନକରିବା ଓ ଗୋଖାଦ୍ୟ ଉତ୍ପାଦନକାରୀଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନରହିବା ଏବେ ସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛି ।

Leave A Reply

Your email address will not be published.

14 − six =