ସୁପ୍ରିମକୋର୍ଟଙ୍କ ଉଦବେଗ ବର୍ଷ ବର୍ଷ ଧରି ଗଡୁଛି କ୍ରିମିନାଲ୍ ଅପିଲ୍ ମାମଲା : ଆକ୍ସନ୍ ପ୍ଲାନ୍ ପାଇଁ ହାଇକୋର୍ଟଙ୍କୁ ନିର୍ଦେଶ

କଟକ: ବିଗତ ୩୦ ବର୍ଷ ଧରି ବିଭିନ୍ନ ହାଇକୋର୍ଟରେ କ୍ରିମିନାଲ୍ ଅପିଲ୍ ପିଟିସନ୍ଗୁଡ଼ିକ ଗଡ଼ୁଛି । ଓଡ଼ିଶା ହାଇକୋର୍ଟ ସମେତ ଦେଶର ୧୦ଟି ହାଇକୋର୍ଟରେ ଗତ ୩୦ ବର୍ଷ କିମ୍ବା ତବୁଦ୍ଧ୍ୱର୍ ସମୟ ଧରି ମୋଟ ୧୪ ହଜାର ୪୮୪ଟି କ୍ରିମିନାଲ୍ ଅପିଲ୍ ମାମଲା ଶୁଣାଣି ପାଇଁ ରହିଛି । ସେହିପରି, ୩୦ ହଜାର ୪୫ଟି କ୍ରିମିନାଲ୍ ଅପିଲ୍ ୨୦ରୁ ୩୦ ବର୍ଷ ହୋଲା ଏବଂ ୨ ଲକ୍ଷ ୩୫ ହଜାର ୯୧୪ଟି କ୍ରିମିନାଲ୍ ଅପିଲ୍ ୧୦ରୁ ୨୦ ବର୍ଷ ହେଲା ଶୁଣାଣି ହୋଇନପାରି ଗଡ଼ୁଛି । ଏଭଳି ଚକିତକାର ତତ୍ୟ ନାସ୍ନାଲ ଜୁଡିସିଆଲ୍ ଡାଟା ଗ୍ରୀଡ୍ରୁ ଉପଲବ୍ଧ ହୋଇଥିବା ବେଳେ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ଭାଷଣ ଉଦ୍ବେଗ ପ୍ରକାଶ କରିଚନ୍ତି । ଏହିଭଳି ମାମଲାର କିପରି ତ୍ୱରିତ ବିଚାର ହୋଇପାରିବ, ସେଥିପାଇଁ ଓଡ଼ିଶା ହାଇକୋର୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ଆକ୍ସନ ପ୍ଲାନ୍ କିପରି କରାଯିବ, କେଉଁ ମାନଙ୍କ ସହଯୋଗରେ କରାଯିବ, ଏଥିରେ କଣ ସବୁ ତଥ୍ୟ ରହିବ, ସେ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ବିସ୍ତୁତ ଭାବେ ଆଦେଶ ଦେଇଛନ୍ତି । ଉତରପ୍ରଦେଶର ଖୁର୍ସିଦ୍ ଅହମ୍ମଦ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ଜାମିନ୍ ପାଇଁ ଆହ୍ନାବାଦ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରୁ ଜାମିନ୍ ଖାରଜ ହେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଲ.ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ଏସ୍.ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଶୁଣାଣି କରିବା ଅବସରରେ ଏଭଳି ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ନାସନାଲ୍ ଜୁଡିସିଆଲ୍ ଡାଟା ଗ୍ରୀଡ୍ର ଯେଉଁ ତଥ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ହାଇକୋର୍ଟରେ ଗତ ୩୦ ବର୍ଷ କିମ୍ବା ତବୁଦ୍ଧ୍ୱର୍ ସମୟ ଧରି ୮ଟି କ୍ରିମିନାଲ ଅପିଲ୍ ଶୁଣାଣି ପାଇଁ ପଡି ରହିଥିଲା ବେଳେ, ୮୩୨ଟି କ୍ରିମିନାଲ ଅପିଲ ୨୦ରୁ ୩୦ ବର୍ଷ ହେଲା ବିଚାରାଧୀନ ଅବସ୍ଥାରେ ପଡି ରହିଥିବା ଜଣାପଡ଼ିଛି । ସେମିତି ୮ ହଜାର ୮୮୪ଟି କ୍ରିମିନାଲ ଅପିଲ ମାମଲା ଗତ ୧୦ ବର୍ଷ ଧରି ବିଚାରାଧୀନ ଅବସ୍ଥାରେ ରହିଛି । ସର୍ବୋଚ୍ଚ ଅଦାଲତ ଏହି ତଥ୍ୟକୁ ଅନୁଶୀଳନ କରି କହିଛନ୍ତି ଯେ, ଏହା ଆମର ବିଚାର ବ୍ୟବସ୍ଥା ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି । ଯଦି ଏହିସବୁ ଅପିଲର ଠିକ୍ ସମୟରେ ଶୁଣାଣି କରାନଯାଏ ତାହେଲେ ଅପିଲର କୌଣସି ମୂଲ୍ୟ ରହିବ ନାହିଁ । ଯଦି ମାମଲାର ଶୁଣାଣିରେ ବିଳମ୍ବ ଘଟେ ତାହେଲେ ଅନେକ ଅପରାଧୀ ସେମାନଙ୍କ ଦଣ୍ଡର ଏକ ବଡ ଭାଗ ଜେଲ୍ରେ କଟାଇ ସାରିଥିବେ । ଏଣୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ହେଉ ଅବା ଦଣ୍ଡିତ ବ୍ୟକ୍ତିଙ୍କର ସ୍ୱାର୍ଥ ଦୃଷ୍ଟିରୁ ହେଉ, ଏହିସବୁ କ୍ରିମିନାଲ ଅପିଲ ମାମଲାର ତ୍ୱରିତ ଣୁଣାଣି କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଯିବ । ଆବଶ୍ୟକ । ଓଡ଼ିଶା ହାଇକୋର୍ଟ ସମେତ ଅନ୍ୟ ୯ଟି ହାଇକୋର୍ଟ ଗୁଡିକ ଏହିସବୁ କ୍ରିମିନାଲ ଅପିଲ କିପରି ତ୍ୱରିତ ଶୁଣାଣି କରାଯାଇ ପାରିବ ସେ ନେଇ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିକଟରେ ଏ ସଂକ୍ରାନ୍ତରେ ଥିବା ତଥ୍ୟକୁ ମଧ୍ୟ ସେଥିରେ ଯୋଡାଯିବ । ଜେଲରେ ବନ୍ଦୀ ଜୀବନ କଟାଉଥିବା କେତେ ଜଣ ଅପରାଧୀ ସେମାନଙ୍କ ମାମଲାର ଶୁଣାଣି ପାଇଁ କୋର୍ଟରେ ଅପିଲ କରିଛନ୍ତି । ତାହାର ଏକ ରିପୋର୍ଟ ରାଜ୍ୟ ଜେଲ୍ ବିଭାଗ ଡିଜିଙ୍କୁ ଦେବା ଲାଗି ହାଇକୋର୍ଟ କହିବେ । କେଉଁ ଆଧାରରେ ଜଣେ ବନ୍ଦୀ ଦଣ୍ଡିତ ହୋଇଛନ୍ତି, କେତେ ବର୍ଷ ପାଇଁ ଦଣ୍ଡିତ ହୋଇଛନ୍ତି, ସେମାନଙ୍କର ବୟସ, ଲିଙ୍ଗ, ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ରାଜ୍ୟ ଆଇନସେବା ପ୍ରାଧିକରଣ ଏ ନେଇ ଜେଲ୍ ବିଭାଗ ଡିଜିଙ୍କୁ ସହଯୋଗ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଯେଉଁ ମାମଲାରେ ଜାମିନ୍ ଦିଆଯାଇଛି ସେସବୁ ମାମଲାର ଚିହ୍ନଟ କରି ତ୍ୱରିତ ଶୁଣାଣି କରାଯିବ ।

Leave A Reply

Your email address will not be published.

five × three =