ଯାଜପୁର: ସମଗ୍ର ବିଶ୍ୱରେ କରୋନା ଗଭୀର ପ୍ରଭାବ ପକାଇଛି । ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଜୀବନ ସହ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ପ୍ରବାସୀମାନଙ୍କ ଆଗମନ ଓ ସେମାନଙ୍କ ରହଣି ପାଇଁ ସରକାର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରିଥିଲେ । ଆସ୍ତେ ଆସ୍ତେ ପ୍ରବାସୀମାନଙ୍କର ଆଗମନ ମଧ୍ୟ ହ୍ରାସ ପାଇବା କାରଣରୁ ଅଧିକ ଟିଏମ୍ସି ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଚଳାଇବାର ଆବଶ୍ୟକତା ପଢୁନାହିଁ । କେତେକ ଟିଏମ୍ସିରେ ମଧ୍ୟ ଲୋକ ନାହାଁନ୍ତି । ତେଣୁ ସରକାର ପଂଚାୟତସ୍ତରୀୟ କୋଭିଡ କେୟାର ହୋମ୍, କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମ୍ୟ ସ୍ତରୀୟ ଓ ସହରାଂଚଳ କୋଭିଡ ପରିଚାଳନା କମିଟି ବ୍ୟବସ୍ଥା କରିଛନ୍ତି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଗ୍ରାମ ସ୍ତରରେ ବିକେନ୍ଦ୍ରୀକରଣ ଗୋଷ୍ଠିଭିତିକ ତଦାରଖ ଓ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବା ଲକ୍ଷ୍ୟ ନେଇ ଗ୍ରାମ୍ୟ ସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟିରେ ୱାର୍ଡ ସ୍ତରୀୟ ଲୋକପ୍ରତିନିଧି, ଆଶାକର୍ମୀ, ଅଙ୍ଗନବାଢିକର୍ମୀ, ଏଏନ୍ଏମ୍ ଏବଂ ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଗଠିତ ଆଂଚଳିକ ମହାସଂଘର ସଭାପତି ଓ ସଂପାଦକ ସଦସ୍ୟ ରହିବେ । କମିଟିର ନିଷ୍ପତିକ୍ରମେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ସ୍ୱୟଂ ସହାୟକ ଦଳ ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇପାରିବ । ସଂକ୍ରମଣକୁ ପ୍ରତିରୋଧ ପାଇଁ କମିଟି ସତର୍କ ନଜର ରଖିବା ସହ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା, ସଙ୍ଗରୋଧକୁ ସୁନିଶ୍ଚିତ କରିବା, ଗାଁ ସଫା ସୁତରା ରଖିବା, ସ୍ୱାସ୍ଥ୍ୟ ସଚେତନ ପ୍ରସ୍ତୁତି କରିବା, ଥଣ୍ଡା କାଶ, କଫ, ଜ୍ୱର ସମସ୍ୟାକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅବଗତ କରାଇବା ଇତ୍ୟାଦି କାର୍ଯ୍ୟ କରିବାକୁ ସରକାର ନିଦେ୍ର୍ଧଶନାମା ଜାରି କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଟିଏମ୍ସି ପରିବର୍ତେ ପଂଚାୟତ ସ୍ତରୀୟ କୋଭିଡ କେୟାରହୋମ ସଂପୃକ୍ତ ପଂଚାୟତର ରାଜୀବ ଗାନ୍ଧି ସେବାକେନ୍ଦ୍ର, ବାତ୍ୟା ବନ୍ୟା ଆଶ୍ରୟସ୍ଥଳ, ଗୋଷ୍ଠି ଗୃହ, କଲ୍ୟାଣମଣ୍ଡପ ବା ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ କରାଯିବ । ସେହିପରି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯିବ ଯେଉଁଥିରେ ଫେରୁଥିବା ପ୍ରବାସୀମାନଙ୍କୁ ସଙ୍ଗରୋଧରେ ରଖାଯିବ । କେତେ ଗୁଡିଏ ପଂଚାୟତକୁ ନେଇ ଏହା କାର୍ଯ୍ୟକାରୀ ହେବ ଓ ଟେଲି ମେଡିସିନ୍ ମାଧ୍ୟମରେ ମଧ୍ୟ ଚିକିତ୍ସା ସୁବିଧା କରାଯାଇପାରିବ ବୋଲି ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି । ଅପରପକ୍ଷରେ ସହରାଂଚଳରେ କୋଭିଡ ପରିଚାଳନା ପାଇଁ ୱାର୍ଡ ସ୍ତରୀୟ କମିଟି ଦ୍ୱାରା କାର୍ଯ୍ୟ ତଦାରଖ ହେବ । ଏଥିପାଇଁ ୱାର୍ଡ ଅଫିସର ସ୍ୱେଚ୍ଛାସେବୀ, ବିଶିଷ୍ଟ ବ୍ୟକ୍ତି, ସରକାରୀ କର୍ମକର୍ତା ମିଳିତ ଭାବେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକୁ ସହଜ ଓ ସରଳ ଭାବେ ସଂପାଦନ ପାଇଁ ବୁଧବାର ଠାରୁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବ୍ଲକ ଓ ପୌରାଂଚଳରେ ଗୋଷ୍ଠି ଉନ୍ନୟନ୍ନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ଲୋକ ସଂପର୍କ ଅଧିକାରୀ, ଅନ୍ୟାନ୍ୟ ବ୍ଲକ ମାନଙ୍କର ଜିଲ୍ଲା ପଂଚାୟତ ଅଧିକାରୀ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ, ଏ.ପି.ଡି, ସମାଜ କଲ୍ୟାଣ ବିଭାଗର ପ୍ରୋଗ୍ରାମ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ବ୍ଲକ ମାନଙ୍କରେ ସରପଂଚ ଓ ବ୍ଲକ ସ୍ତରୀୟ ଅଧିକାରୀ ଓ ପୌରାଂଚଳରେ ୱାର୍ଡ ଅଫିସରଙ୍କ ସହ ସ୍ୱାସ୍ଥ୍ୟସାଥୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ ।