ସ୍ୱଚ୍ଛ ହୃଦୟ

ପରି ପଙ୍କିଳ ଜଳରେ ପ୍ରତିବିମ୍ବ ପ୍ରତିଫଳିତ ହୋଇ ନ ଥାଏ, ଅନୁରୂପ ଭାବରେ ଆବିଳତା ପରିପୂର୍ଣ୍ଣ ମନ କୌଣସି ସତ୍ ଉପଦେଶ ଗ୍ରହଣ କରିବାକୁ ସକ୍ଷମ ହୋଇ ନ ଥାଏ । ଜଣେ ଧନୀ ବ୍ୟକ୍ତି ଥିଲେ । ଏକଦା ଜଣେ ସାଧୁ ତାଙ୍କ ନିକଟକୁ ଆସିଲେ । ସାଧୁଙ୍କ ଚର୍ଚ୍ଚାରେ ଯେପରି ସାମାନ୍ୟତମ ବ୍ୟତିକ୍ରମ ନ ହୁଏ ସେ ଦିଗରେ ବିଶେଷ ଧ୍ୟାନ ଦେଇଥିଲେ । ମହାତ୍ମା ସେଠାରୁ ଫେରିବା ସମୟରେ ଶେଠ କହିଲେ ମହାଭାଗ! ଦୟାକରି ଅକିଞ୍ଚନକୁ କିଛି ଉପଦେଶ ଦିଅନ୍ତୁ । ଏହା ଶୁଣିଲେ ମୋର ଅନ୍ତର ପରିଶୁଦ୍ଧ ହେବ? “ଆଜିଠାରୁ ସାତଦିନ ପରେ ମୁଁ ପୁନଶ୍ଚ ଏଇ ସ୍ଥାନକୁ ଆସିବି । ସେ ସମୟରେ ମୁଁ ତୁମକୁ ଉପଦେଶ ଦେବି, ଏବେ ନୁହେଁ- କହି ମହାତ୍ମା ସେ ସ୍ଥାନରୁ ଚାଲିଗଲେ । କଥା ରକ୍ଷାକରି ସାତଦିନ ପରେ ସାଧୁ ମହାତ୍ମା ଆସିଲେ । ସାଧୁଙ୍କ ସକ୍ରାର ଉଦେଶ୍ୟରେ ଶେଠ ନାନାଦି ଖାଦ୍ୟ ପ୍ରସ୍ତୁତ କରି ରଖିଥିଲେ । ଖାଦ୍ୟ ଅର୍ପଣ କରିବା ସମୟରେ ସାଧୁ ନିଜ ନିକଟରେ ଥିବା ପାତ୍ରଟି ବଢ଼ାଇ ଦେଇ ସେଥିରେ ପ୍ରସ୍ତୁତ ଖାଦ୍ୟ ଦେବାକୁ କହିଲେ । ଶେଠ ସେହି ପାତ୍ରରେ ଖାଦ୍ୟ ଦେବାକୁ ଯିବାବେଳେ ହଠାତ୍ ଅଟକି ଗଲେ । ପାତ୍ର ଭିତରର ଅବସ୍ଥା ଦେଖି କହିଲେ ମହାଭାଗ! ଏହି ଅପରିଷ୍କାର ପାତ୍ରରେ ମୁଁ କିପରି ବା ଖାଦ୍ୟ ଦେବି? ସାଧୁ ଏହା ଶୁଣି କହିଲେ- ତେବେ କ’ଣ କରାଯିବ? ଶେଠ ଉତ୍ତରରେ କହିଲେ- ପାତ୍ରଟି ମୋତେ ଦିଅନ୍ତୁ, ମୁଁ ପରିଷ୍କାର କରିଆଣିବି । ସାଧୁ ପାତ୍ରଟି ବଢ଼ାଇଦେଲେ । ଶେଠ ପରିଷ୍କାର କରି ଆଣି ସେଥିରେ ଖାଦ୍ୟ ପରଷିଦେଲେ । ଖାଇସାରି ସାଧୁ ସେଠାରୁ ଫେରିଯିବାକୁ ଉଦ୍ୟତ ହୁଅନ୍ତେ ଶେଠ କହିଲେ ମହାଭାଗ! ଆପଣ ଉପଦେଶ ଦେବାକୁ କହିଥିଲେ । ବୋଧହୁଏ ଏହା ଭୁଲିଯାଇଛନ୍ତି । “ନା, ଭୁଲିନାହିଁ । ତେବେ ତୁମେ କ’ଣ ଉପଦେଶ ପାଇନାହଁ’- ସାଧୁ କହିଲେ । ଶେଠ ଆଶ୍ଚର୍ଯ୍ୟ ହୋଇ କହିଲେ ନା ମହାଭାଗ । ସାଧୁ ଈଷତ୍ ହସି କହିଲେ- “ଆଉ କିଭଳି ବା ଉପଦେଶ ଦେଇଥାନ୍ତି? ମୋର ଖାଦ୍ୟ ପାତ୍ରଟି ଅପରିଷ୍କାର ଥିବା ଦେଖି ତୁମେ ସେଥିରେ ଖାଦ୍ୟ ପରଷିବାକୁ କୁଣ୍ଠା ପ୍ରକାଶ କଲ । ଏହାକୁ ନିଜେ ପରିଷ୍କାର କରିବା ପରେ ହିଁ ଖାଦ୍ୟ ପରଷିଲ । ନିଜ କ୍ଷେତ୍ରରେ ଠିକ୍ ସେହି ନୀତି ପ୍ରଯୁଜ୍ୟ । ପ୍ରଥମେ ନିଜ ଅନ୍ତର ଭିତରେ ଭରିରହିଥିବା ଆବିଳତାକୁ ଯଥାସମ୍ଭବ ଦୂର କରିବା ଉଚିତ୍ । ତୁମ ଭିତରେ ଭରି ରହିଥିବା ଈର୍ଷା, ଦ୍ୱେଷ, ଅହଂକାର, ଶଠତା ଆଦି କୁପ୍ରବୃତ୍ତିକୁ ଦୂରକରି ହୃଦୟକୁ ସ୍ୱଚ୍ଛ ରଖିବା ଉଚିତ । ଭଲକୁ ଗ୍ରହଣ କରିବାକୁ ହେଲେ ମନ୍ଦକୁ ଅବଶ୍ୟ ତ୍ୟାଗ କରିବାକୁ ହେବ । ହୃଦୟକୁ ସ୍ୱଚ୍ଛ ରଖିବା ନିମନ୍ତେ ସକଳପ୍ରକାର ଅସ୍ୱଚ୍ଛତାକୁ ଦୂର କରିବାକୁ ହେବ । କାରଣ ସ୍ୱଚ୍ଛ ଓ ଅସ୍ୱଚ୍ଛ ଏକତ୍ର ରହିପାରିବେ ନାହିଁ, ଯେମିତି ଆଲୋକ ଓ ଅନ୍ଧାର ଏକତ୍ର ଦେଖିବାକୁ ମିଳେନାହିଁ ।

Leave A Reply

Your email address will not be published.

5 × 3 =