ଚମ୍ପୁଆ : ସମବାୟ ବିଭାଗ ଦ୍ୱାରା ପରିଚାଳିତ ଇ-ନାମ ମଣ୍ଡି ଯୋଜନାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଚାଷୀ ବିଜୟ କୁମାର ମହାନ୍ତ ଉତ୍ପାଦିତ ବୋଇତାଳୁ ଓ କଖାରୁ ବିକ୍ରି କରି ବେଶ୍ ଲାଭବାନ ହୋଇଥିବା ଚମ୍ପୁଆ ଇ-ନାମ ମଣ୍ଡିର ସମ୍ପାଦକ ଦିଗାମ୍ବର ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସରକାରଙ୍କ ଇ-ନାମ ମଣ୍ଡି ଯୋଜନା ମାଧ୍ୟମରେ କୃଷି ଜାତ ଦ୍ରବ୍ୟ ବିକ୍ରି କରି ଚାଷୀ ବେଶ ସଫଳ ହୋଇପାରିଛି । ଆଜି କାଟୁଳୀକନା ଠାରେ ଇ-ନାମ ମଣ୍ଡି ମାଧ୍ୟମରେ ଚାଷୀ ବିଜୟ କୁମାର ମହାନ୍ତ କି.ଗ୍ରା ପ୍ରତି ୭ ଟଙ୍କା ହିସାବରେ ୬୪ କୁଇଁଟାଲ ବିକ୍ରି କରି ୪୪,୮୦୦ ଟଙ୍କା ପାଇପାରିଛନ୍ତି । ବିଜୟ ମହାନ୍ତଙ୍କର ଉତ୍ପାଦିତ ଏହି ବୋଇତାଳୁକୁ ଉଦଳା ଇ-ନାମ ମଣ୍ଡିର ବ୍ୟବସାୟି ଖିତିଶ ମହାପାତ୍ର ଓ ବାଲେଶ୍ୱର ମଣ୍ଡିର ବ୍ୟବସାୟି ସୁବ୍ରତ ରାଉତ ଏହା କ୍ରୟ କରିଛନ୍ତି । ଚାଷୀ ଓ ବ୍ୟବସାୟମାନଙ୍କ ମଧ୍ୟରେ ସିଧା ସଳଖ ସଂପର୍କ ଓ ଉତ୍ପାଦିତ ଦ୍ରବ୍ୟର ବିକ୍ରି ଉପରେ ଏହି ଯୋଜନା କାର୍ଯ୍ୟ କରୁଥିବା ବେଳେ ଏହି ଯୋଜନାର ମୋଟ ୬୬ ଟି ଇ-ନାମ ମଣ୍ଡି ମାଧ୍ୟମରେ ୨୦୯ ଟି କୃଷି ଉତ୍ପାଦିତ ସାମଗ୍ରି ବିକ୍ରି ହେବାର ବ୍ୟବସ୍ଥା ରହିଛି । ଏହି କ୍ରୟ ବିକ୍ରି କାର୍ଯ୍ୟକ୍ରମରେ କରଂଜିଆ ମଣ୍ଡିର ବିଶ୍ଳେଷକ ଭବାନି ଶଙ୍କର ମହାନ୍ତ, ଚିନ୍ମୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନଲାଇନ ମାଧ୍ୟମରେ ଏହି କିଣା ବିକା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।