୩ କିମି ଭାରରେ ବୁହାହେଲେ ରୋଗୀ
ଝରିଗାଁ : ମୋବାଇଲ ନେଟୱର୍କ ଓ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ୩ କିଲୋମିଟର ଭାରରେ ବୁହାଯିବା ପରେ ବୋଲେରୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଦୁର୍ଗମ କରଞ୍ଜିପାଣି ଗ୍ରାମରେ। ସୂଚନା ଅନୁଯାୟୀ, କରଞ୍ଜିପାଣି ଗ୍ରାମର ଚୈତନ୍ୟ ମୁଦୁଲି(୫୦)ଙ୍କୁ ତିନି ଦିନ ତଳେ ଜ୍ଵର ହୋଇଥିଲା। ଜଣେ ଡାକ୍ତରଙ୍କ ଠାରୁ କିଛି ଔଷଧ ଖାଇବା ପରେ ସେ ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଚୈତନ୍ୟଙ୍କୁ ହଠାତ୍ ଜ୍ଵର ହେବା ସହ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତେବେ ଗାଁରେ କୌଣସି ମୋବାଇଲ ନେଟୱର୍କ ନଥିବାରୁ ଆଜି ଭୋରରେ ପରିବାର ଜଣେ ସଦସ୍ୟ ଗାଁ ଠାରୁ କିଛି ଦୂରରେ ଥିବା ପାହାଡ଼ ନିକଟକୁ ଯାଇ ନିଜ ସମ୍ପର୍କୀୟମାନଙ୍କୁ ଫୋନ୍ କରି ଏ ସଂପର୍କରେ ଜଣାଇଥିଲେ। ସଂପର୍କୀୟମାନେ ଘରେ ପହଞ୍ଚିବା ପରେ ଚୈତନ୍ୟଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ସ୍ଥିର କରି ବରାଗୁଡା ଗ୍ରାମର ଏକ ବୋଲେରୋ ଡ୍ରାଇଭରଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ବୋଲେରୋ କରଞ୍ଜିପାଣି ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ନଥିବାରୁ ଗାଁ ଠାରୁ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ଏହା ଜାଣିବା ପରେ ସଂପର୍କୀୟମାନେ କୌଣସି ଉପାୟ ନପାଇ ଦୁଇଟି କାଠ ଗଣ୍ଡିରେ ଛୋଟ ଛୋଟ କାଠ ପକାଇ ଷ୍ଟ୍ରେଚର ଆକୃତି କରିବା ପରେ ଚୈତନ୍ୟଙ୍କୁ ସେଥିରେ ଶୁଆଇ ତିନିଟି ଛୋଟ ଓ ବଡ଼ ନାଳ ପାର କରାଇଥିଲେ। ଚୈତନ୍ୟଙ୍କ ପୁଅ ଚକ୍ର ମୁଦୁଲି, ତୁଳାରାମ ମୁଦୁଲି, ଗାଁର ଖଗ ଜାନି ଏବଂ ବଗ ସାନ୍ତା ପ୍ରମୁଖ ଚୈତନ୍ୟଙ୍କୁ ବୋହି ଆଣିବା ପରେ ପୂର୍ବରୁ ଅପେକ୍ଷା କରିଥିବା ବୋଲେରୋରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ଚୈତନ୍ୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଝରିଗାଁ ଠାରୁ ୮ କିଲୋମିଟର ଦୂର ହାତୀବାଡି ଗାଁକୁ ଯିବା ପରେ ସେଠାରୁ ଡାହାଣ ପଟ ରାସ୍ତାରେ ୫ କିଲୋମିଟର ଦୂର ଯିବା ପରେ କରଞ୍ଜିପାଣି ଗ୍ରାମ ପଡ଼େ। ହାତୀବାଡ଼ି ଠାରୁ ୨ କିଲୋମିଟର ଦୂର ଯିବା ପରେ ୩ କିଲୋମିଟର ପାଦଚଲା ରାସ୍ତା ରହିଛି। ଏହି ଗାଁରେ ପ୍ରାୟ ୨୦ଟି ପରିବାର ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଦୁଇ ପାର୍ଶ୍ଵରେ ଜମି ଥିବା ବେଳେ ଜମି ହିଡ଼ ଦେଇ କରଞ୍ଜିପାଣି ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ନଚେତ୍ ଭାରରେ ବୋହି ନେବାକୁ ପଡ଼ିଥାଏ। ତେଣୁ ଗାଁକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l