ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢି ଯାଇଛି । ସଂକ୍ରମଣ ଭୟ ଏବଂ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏବେ ଜିଲ୍ଲା ଜିଲ୍ଲା ମଧ୍ୟରେ ବାସନ୍ଦ କଟକଣା ଜାରୀ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ, କଟକ, ଅନୁଗୁଳ , ଜଗତସିଂହପୁର, ମାଲକାନାଗିରି ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ବାହାର ଜିଲ୍ଳା ତଥା ହଟସ୍ପଟ ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ଅନୁଗୁଳ ଜିଲ୍ଲା ପ୍ରଶାସନ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଜିଲ୍ଲାବାସୀଙ୍କ ପ୍ରବେଶ ଉପରେ କଟକଣା ଜାରୀ କରିଥିଲା ବେଳେ ମାଲକାନାଗିରି ଜିଲ୍ଲା ପ୍ରଶାସନ ୧୩ଟି ଜିଲ୍ଲା ତଥା ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା (ଭୁବନେଶ୍ୱର) ଯାଜପୁର, ନୟାଗଡ., ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ୱର, ଜଗତସିଂହପୁର ବାସୀଙ୍କ ଉପରେ କଟକଣା ଜାରୀ କରାଯାଇଛି । ଅତି ଆବଶ୍ୟକ ପଡିଲେ ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଯିବେ, ସେମାନେ ୧୪ଦିନିଆ ସରକାରୀ କ୍ୱାରେଂଟାଇନ୍ କିମ୍ବା ପେଡ କ୍ୱାରେଂଟାଇନ୍ରେ ରହିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ । ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ପ୍ରଶାସନ ମଧ୍ୟ ଜିଲ୍ଲା ବାହାର ଲୋକଙ୍କ ପାଇଁ ୧୪ଦିନିଆ ସରକାରୀ କ୍ୱାରେଂଟାଇନ୍ ବାଧ୍ୟତାମୂଳକ କରିଛି ।