ଭୁବନେଶ୍ୱର : ଆନ୍ତର୍ଜାତୀୟ ଚାମ୍ବର ତଥା ଏସିଆନ୍-ଆଫ୍ରିକାନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ (ଏଏସିସିଆଇ) ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟତମ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଏସୀୟ ଓ ଆଫ୍ରିକୀୟ ଦେଶଗୁଡିକରେ ତଥା ଆମ ରାଜ୍ୟରେ ସାହାଯ୍ୟ ସହଯୋଗ, ଅର୍ଥନୈତିକ ଅଭିବୃଦ୍ଧି ଓ ବ୍ୟବସାୟିକ ସହଯୋଗିତାକୁ ବଢାଇବାରେ ଏହା ନୂତନ ପଥ ବିକଶିତ କରିବ ବୋଲି ରାଜ୍ୟ ସଭାପତି ଡଃ ଲୀତା ମହାପାତ୍ର ଆଶା ପ୍ରକାଶ କରିଛନ୍ତି । ଏହା ଭବିଷ୍ୟତ ନେତୃତ୍ୱକୁ ବ୍ୟବସାୟିକ ଅଭିବୃଦ୍ଧିରେ ବିନିଯୋଗ ଓ ବିକାଶ ଲାଗି ମଧ୍ୟ ପ୍ରୋତ୍ସାହିତ କରିବ । ମହାମାରୀ ଲାଗି ବିଶ୍ୱରେ ଚାଲିଥିବା ମାନ୍ଦା ଅବସ୍ଥାକୁ ପ୍ରତିହତ କରିବା ସହ ଭବିଷ୍ୟତରେ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଉପାୟ ଅନ୍ୱେଷଣ କରିବ । ବାଣିଜ୍ୟ, ବ୍ୟବସାୟ ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସହାୟତା ବୃଦ୍ଧି ଲାଗି ଅନ୍ୟାନ୍ୟ ଜାତୀୟ ତଥା ଆଂଚଳିକ ଚାମ୍ବର ଗୁଡିକ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ଏଏସିସିଆଇ ଏକ ଫ୍ରାନ୍ସ ନ୍ୟାସନାଲ ଚାମ୍ବର ରୂପେ ବିକଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ରାଜେନ୍ଦ୍ର ପରିଡା, ଏଏସିସିଆଇ ଓଡ଼ିଶା ଚାପ୍ଟରର ୫୦ଜଣ ଚେୟାର ପର୍ସନ ଓ ଭାଇସ୍ ଚେୟାରପର୍ସନଙ୍କ ସମେତ କଳିଙ୍ଗ କେଶରୀ ରଥ, ମନିକା ନାୟାର ପଟ୍ଟନାୟକ, ଶୁଭାଶିଷ ଦାସ, ଲୈସା ମହାପାତ୍ର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।