ଓଡ଼ିଶା ଦିବସରେ ଆୟୋଜନ ହେବ ଭଏସ୍ ଅଫ୍ ବାରବାଟୀ

କଟକ : ଓଡ଼ିଶାର ସର୍ବପୁରାତନ କଟକ କ୍ଲବ୍ ପ୍ରଥମଥର ପାଇଁ ସଙ୍ଗୀତଭିତ୍ତିକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏପ୍ରିଲ୍ ୧ ତାରିଖ, ଉତ୍କଳ ଦିବସ ଅବସରରେ କ୍ଲବ୍ ପ୍ରାଙ୍ଗଣରେ ଗୀତ ଗାୟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଓଡ଼ିଶାରୁ ୧୫ରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବକ, ଯୁବତୀ ଏଥିରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ । ଉଲ୍ଲେଖନୀୟ କଥା ହେଲା ଏହି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯିବ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ଭଏସ୍ ଅଫ ବାରବାଟୀ ଉପାଧି ପ୍ରଦାନ କରାଯିବ । ଦ୍ୱିତୀୟ ଶ୍ରେଷ୍ଠ କଣ୍ଠ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କାର ଅର୍ଥ ରାଶି ଓ ଉଦୀୟମାନ କଣ୍ଠ ଶିଳ୍ପୀଙ୍କୁ ୧୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । କୌଣସି ଗାୟନ ପ୍ରତିଯୋଗିତାରେ ରାଜ୍ୟରେ ଏତେ ପରିମାଣର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବା ପ୍ରଥମ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ତେଣୁ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତିଭାବାନ କଣ୍ଠ ଶିଳ୍ପୀ ଯୁବକ, ଯୁବତୀ ଏଥିରେ ଭାଗ ନେବା ପାଇଁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ପ୍ରତିଯୋଗିତାରେ ଭାଗ ନେବା ପାଇଁ ହ୍ୱାଟସଆପ୍ ନମ୍ବର ୭୯୭୮୨୬୭୬୫୦ରେ ୬୦ ସେକେଣ୍ଡରୁ ୯୦ ସେକେଣ୍ଡର ଏକ ଗୀତ (ଓଡ଼ିଆ କିମ୍ବା ହିନ୍ଦୀ) ଗାଇ ରେକର୍ଡିଂ କରି ପଠାଇବା ସହିତ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ନିଜର ଗୀତ ପଠାଇବାର ଶେଷ ତାରିଖ ମାର୍ଚ୍ଚ ୨୨ ତାରିଖ ରଖାଯାଇଛି । ଏହି ଗୀତରେ ନିଜର ନାମ, ବୟସ, ଠିକଣା ଓ ଫୋନ୍ ନମ୍ବର ମଧ୍ୟ ରେକର୍ଡ କରି ପଠାଇବାକୁ ପଡ଼ିବ । ପ୍ରତିଯୋଗିତା ସମ୍ବନ୍ଧୀୟ ଅଧିକ ସୂଚନା ଜାଣିବା ପାଇଁ ଫୋନ୍ ନମ୍ବର ୭୯୭୮୨୬୭୬୫୦ରେ ଦିନ ୧୦ଟାରୁ ୨ଟା ଓ ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ଫୋନ କରି ଜାଣିପାରିବେ ବୋଲି ସଂପାଦକ ଯଶୋବନ୍ତ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

eighteen + one =