ଭୁବନେଶ୍ୱର: କରୋନା ଜନିତ ସଂକ୍ରମଣ କାବୁ ହେଉନଥିବା ବେଳେ ସେପଟେ ଡେଙ୍ଗୁ ଭୁବନେଶ୍ୱର ମହାନଗର ନିଗମରେ ଚିନ୍ତା ବଢାଇ ଦେଇଛି । ଏହାର କିଭଳି ମୁକାବିଲା କରାଯିବ ଦାୟିତ୍ୱରେ ଥିବା ଅଧିକାରୀମାନେ ଓରଟର ପାଉନାହାଁନ୍ତି । ପ୍ରତିଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ନେଇ ଖବର ଆସିବାରେ ଲାଗିଛି । ଯାହା କି ବିଏମ୍ସି ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି ।
ଡେଙ୍ଗୁ ପ୍ରକୋପକୁ ରୋକିବା ପାଇଁ ବିଏମ୍ସି ସଫେଇ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ଏବେ ଶୈଳଶ୍ରୀବିହାର ଓ ନିଳାଦ୍ରୀ ବିହାରକୁ ବାଦ୍ ଦେଇ ମଧ୍ୟ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ଯାହାକି ବିଏମ୍ସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଏମ୍ସି ପକ୍ଷରୁ ଡେଙ୍ଗୁ ଜ୍ୱର ପାଇଁ ଏକାଧିକ ସତର୍କ ସୂଚନା ଜାରି କରାଯାଇଛି । ଦିନକ ଭିତରେ ୬ ହଜାରରୁ ଅଧିକ ଘର ବୁଲି ୨୫ ହଜାର ୯ ଶହରୁ ଅଧିକ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ଜ୍ୱର ସହ ମୁଣ୍ଡ, ହାତ ବିନ୍ଧା, ଦେହରେ ଲାଲ ଦାଗ, ବାନ୍ତି ଓ ମୁଣ୍ଡ ବିନ୍ଧା ହେଉଛି ଡେଙ୍ଗୁର ଲକ୍ଷଣ । ତେଣୁ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି । ଏହା ସହିତ ମଶା ବୃଦ୍ଧିର ଆଶଙ୍କା ଥିବା ପ୍ରାୟ ୩ ହଜାର ସ୍ଥାନରେ ସଫେଇ କରାଯାଇଛି । ୮୧୫ ସ୍ଥାନରେ ଏଡିସ୍ ମଶାର ଲାର୍ଭାକୁ ନଷ୍ଟ କରାଯାଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଘରେ ମଧ୍ୟ ସଫେଇ ପରି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଘରେ ପାଣି ରଖିଥିବା ପାତ୍ର, ଟାଙ୍କି ଓ କୁଲରକୁ ୨ରୁ ୩ ଦିନରେ ଥରେ ସଫା କରି ପାଣି ବଦଳାଇବାକୁ କୁହାଯାଇଛି ।