କରୋନା ସଂକ୍ରମଣ : ଏଣିକି ଫୋକସ୍‌ରେ ଉପକୂଳ ଓଡିଶା

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମହାମାରୀ କରୋନା ସଂକ୍ରମର ଦ୍ରୁତ ବେଗରେ ହ୍ରାସ ପାଉଥିଲା ବେଳେ ଉପକୂଳ ଓଡ଼ିଶାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏବେ ଫୋକସ୍‌ରେ ରହିଛି । କ୍ୟାଟେଗୋରୀ- ବି’ରେ ଯାଉଥିବା ୧୩ ଜିଲ୍ଲାକୁ ଅଧିକ ଦୁରୁତ୍ୱ ଦିଆଯାଇଛି । ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଟେଷ୍ଟିଂ ଓ ଡୋର ଟୁ ଡୋର ସର୍ଭେ ବଢ଼ିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି-“ଆଜି ୧୮ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଛି । ଦୈନିକ ପଜିଟିଭିଟି ହାର ପ୍ରାୟ ୬ ପ୍ରତିଶତ ରହୁଛି । ଏହି ମାସ ସୁଦ୍ଧା ସଂକ୍ରମଣ ହାର ବହୁତ ହ୍ରାସ୍ ପାଇବ ବୋଲି ଆଶା ରହିଛି । ଓଉଟ ପରିଚାଳନା ଠିକ୍ ଭାବେ ଚାଲିଛି । ନଚେତ ମୃତ୍ୟୁ ସଂଖ୍ୟା ବଢିଥାନ୍ତା । ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।”
ଗତକାଲି ରାଜ୍ୟ ସରକାର ଲକ୍‌ଡାଉନ୍‌ରେ ସାମାନ୍ୟ କୋହଳ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି କରିଛନ୍ତି । ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ସମସ୍ତ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ପୂର୍ବ ପରି ସପ୍ତାହାନ୍ତ ଶଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ବୁଧବାର ରାଜ୍ୟ ସରକାର ଘୋଷଣା କରିଥିଲେ ।

Leave A Reply

Your email address will not be published.

five × 2 =