କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ

ବେଙ୍ଗାଲୁରୁ : କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମ୍ମଇ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ଏକ ନିରାଡମ୍ବର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଥାୱରଚନ୍ଦ ଗହଲୋତ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି ସେ ଏକାକି ଶପଥ ଗ୍ରହଣ କରିଥିଲା ବେଳେ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ସଂପ୍ରଶାରଣ ହେବ ବୋଲି ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମ୍ମାଇ କହିଛନ୍ତି । ସେ କହିଛନ୍ତି ଯେ, ଆଜି ମୁଁ କ୍ୟାବିନେଟ୍ ବୌଠକରେ ଅଧ୍ୟକ୍ଷତା କରିବି । ତା’ପରେ ରାଜ୍ୟରେ କୋଭିଡ୍‌-୧୯ ଓ ବନ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ମୁଁ ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ବୌଠକ କରିବି ।
ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଶପଥ ନେବା ଆଗରୁ ୬୧ ବର୍ଷିୟ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଚରଣ ସ୍ପର୍ଶ କରି ଆଶିଷ ଭିକ୍ଷା କରିଥିଲେ । ସକାଳୁ ବେଙ୍ଗାଲୁରୁସ୍ଥିତି ଭଗବାନ ଶ୍ରୀମାରୁତି ମନ୍ଦିରରେ ବାସବରାଜ ବୋମ୍ମଇ ପୂଜାପାଠ କରିବା ପରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଧାନ ଏବଂ ଶ୍ରୀ ୟେଦିୟୁରପ୍ପାଙ୍କୁ ଭେଟିଥିଲେ । ୟେଦିୟୁରପ୍ପାଙ୍କ ସରକାରରେ ବାସବରାଜ ଥିଲେ ଗୃହମନ୍ତ୍ରୀ । ସ୍ୱଂୟ ୟେଦିୟୁରପ୍ପା ନୂତନ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ । କାର୍ଜୋଲ୍ ଅଶୋକ ଈଶ୍ୱରପ୍ପା ଏବଂ ଅନ୍ୟ ବିଜେପି ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ । କେନ୍ଦ୍ରୀୟ କର୍ଣ୍ଣାଟକର ହାବେରି ଜିଲ୍ଲା ଅନ୍ତର୍ଗତ ଶିଗ୍ଗାଓଁର ବିଧାୟକ ବୋମ୍ମଇ ମଧ୍ୟ ୟେଦିୟୁରପ୍ପାଙ୍କ ଭଳି ଜଣେ ଟାଣୁଆ ରାଜନୌତିକ ଲିଙ୍ଗାୟତ ନେତା । ୧୯୮୦ ଦଶକରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିବା ଜନତା ଦଳର ଏସ୍‌ଆର ବୋମ୍ମଇଙ୍କ ପୁତ୍ର ବାସବରାଜ୨୦୦୮ରେ ‘ଜନତା ଦଳ ୟୁନାଇଟେଡ୍‌’ ତ୍ୟାଗ କରି ଅନ୍ୟ ୨୨ଜଣ ‘ଜେଡିୟୁ’ କର୍ମକର୍ତ୍ତାଙ୍କ ସହ ବିଜେପିରେ ଯୋଗ ଦେଇଥିଲେ ।
ଦୁଇ ଥର ବିଧାୟକ ହୋଇଥିବା ବାସବରାଜ ହେଉଛନ୍ତି ଜଣେ ମେକାନିକାଲ୍ ଇଞ୍ଜିନିୟର । ସ୍ୱୟଂ ଜଣେ ଉଦ୍ୟୋଗୀ ହେବା ପୂର୍ବରୁ ସେ ପୁଣେସ୍ଥିତ ଟାଟା ମୋଟର୍ସରେ କାର୍ଯ୍ୟ କରିଥିଲେ । ଚେନ୍ନାମ୍ମାଙ୍କୁ ବିବାହ କରିଥିବା ବାସବରାଜ ବୋମ୍ମଇଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଧରୱାଡ୍ ଜିଲ୍ଲାର ସ୍ଥାୟୀ ବାସିନ୍ଦା ବୋମ୍ମଇଙ୍କ ପୁସ୍ତକ ଅଧ୍ୟୟନ, ଲେଖାଲେଖି, ଗଲ୍‌ଫ୍ ଏବଂ କ୍ରିକେଟ୍ ଆଦିରେ ତାଙ୍କର ରୁଚି ରହିଛି ।

Leave A Reply

Your email address will not be published.

fourteen − fourteen =