କୋଟିଆ ହେବ ଆଦର୍ଶ ପଞ୍ଚାୟତ

ଭୁବନେଶ୍ୱର: କେରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଲାଗି ରହିଥିଲା ବେଳେ ‘କୋଟିଆ’କୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ ସେତୁ ପାଇଁ ମଧ୍ୟ ଭିତିପ୍ରସ୍ତର ରଖାଯାଇଛି । ସେଠାରେ ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ୨୦୧୮ରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ । ଏହା ପରଠାରୁ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ନିରାପତା ଯୋଗାଇ ଦିଆଯାଉଛି । ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ, ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରାଯାଉଛି । ଓଡିଶା ଆମର ମା’ । ଓଡିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି । କୋରାପୁଟକୁ ଆମେ ଦ୍ୱିତୀୟ ଶୀ୍ରକ୍ଷେତ୍ର ବୋଲି କହିଥାଉ । ସ୍ୱାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି । ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
କୋରାପୁଟ ଓ ପଟାଙ୍ଗିର ବିଧାୟକ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି କୋଟିଆ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । କୋଟିଆ ପଞ୍ଚାୟତର ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋÂୀ ସଦସ୍ୟମାନେ ମଧ୍ୟ ଏହି ଅବସରରେ ନିଜର ମତାମତ ରଖି କୋଟିଆ ପଞ୍ଚାୟତ ଏବଂ ସାରା ଜିଲ୍ଲାରେ କାର୍ଯ୍ୟକ୍ରମର ସୁଫଳ କିପରି ଲୋକମାନେ ପାଉଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ସଂଯୋଜନା କରିଥିବା ବେଳେ କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଧଶକ ଧନ୍ୟବାଦ ଅର୍ପଣ କରିଥିଲେ । କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ୱତନ୍ତ୍ର ବୃତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =