ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ

ସୁନ୍ଦରଗଡ଼: ୨୨ ଫେବ୍ରୁଆରି ୨୦୨୧: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ “ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏମସିଏଚ୍ କୋଠାରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ ୧୮୨୮ ଜଣ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ୮୪୭ଟି ଟିକାଦାନ କେନ୍ଦ୍ର କରାଯାଇଛି । ସମସ୍ତ ବ୍ଲକ୍ ଓ ସହରାଂଚଳରେ ଏହି କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ଟିକା ନେଇ ନଥିବା ଗର୍ଭବତୀ ମା’ ଓ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଟିକାଦାନ କରାଯାଇ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଉଛି ।
“”ସୁନ୍ଦରଗଡ଼ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ “ମିଶନ ଇନ୍ଦ୍ରଧନୁସ୍’ ଆରମ୍ଭ କରାଯାଇଛି । ଯେଉଁ ଶିଶୁ ଏବଂ ଗର୍ଭବତୀ ମା’ମାନେ ବିଭିନ୍ନ କାରଣ ପାଇଁ ଟିକା ନେଇ ନାହାନ୍ତି ସେମାନେ କିପରି ଟିକା ନେବେ ସେଥିଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ପାଇଁ ଲକ୍ଷ୍ୟ ରହିଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଂଟେଣ୍ଡେଂଟ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପିକେ ନାୟକ, ଡବ୍ଲ୍ୟୁଏଚଓର ଏସଏମଓ ଡାକ୍ତର ଅରବିନ୍ଦ ସାହୁ, ଆରସିଏଚର ଡେପୁଟି ମ୍ୟାନେଜର ଅଶ୍ୱିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୨୨ରୁ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ ।
“”ମିଶନ ଇନ୍ଦ୍ରଧନୁସ୍ କାର୍ଯ୍ୟକ୍ରମରେ ସହରାଂଚଳ ବସ୍ତି ଏବଂ ଦୁର୍ଗମ ଅଂଚଳକୁ ଫୋକସଂଚଳରେ ଯେଉଁ ଶିଶୁ ବା ଗର୍ଭବତୀ ମା’ମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବାରୁ ଏହାକୁ ସଫଳ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି’’, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।
ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ “ମିଶନ୍ ଇନ୍ଦ୍ରଧନୁସ୍’ ଆରମ୍ଭ କରାଯାଇଛି । ଗଜପତି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି ।

Leave A Reply

Your email address will not be published.

ten + 6 =