ଭୁବନେଶ୍ୱର  :  ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି  । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ  । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ୍ କାର୍ଯ୍ୟକାରୀ ହେଉଛି  । ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ୟାନୁଷ୍ଠାନ  ହେଉଛି  । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ୫୫୮ଟି ଦୁର୍ନିତୀ ମାମଲା ବିଚାର ହୋଇଛି  । ସେହିପରି ଦୁର୍ନୀତି କରି ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ  । ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୦ ଜଣ  । ଓପିଏସପି ଦ୍ୱାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ଆହୁରି ସ୍ୱଚ୍ଛ ଓ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ  ।
 ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ କାର୍ଯ୍ୟାବଳୀ ବିବରଣୀରେ ଏପରି କିଛି ବାସ୍ତବ ଚିତ୍ର ଉଲ୍ଲେଖ କରିଛନ୍ତି ସରକାର  । କେବଳର ପ୍ରଶାସନକୁ ସୁଦୃଢ଼ କରାଯାଇନି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି  । ଗତବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫୮୬ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ୪ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା  । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଜଣ ବ୍ୟକ୍ତିଙ୍କ ପରିବାରକୁ ସହାୟତା ବାବଦରେ ପ୍ରଦାନ କରାଯାଇଛି ୮୯ ଲକ୍ଷ ଟଙ୍କା  । ଅନ୍ୟ ପକ୍ଷରେ ଏ ସମ୍ପର୍କରେ ଆଲୋଚନା କରି ବିରୋଧୀ କଂଗ୍ରେସ ଦଳ ନେତା  ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି  । ଜଙ୍ଗଲୀ ଶାସନର ପ୍ରମାଣ ନବ ଦାସ ହତ୍ୟା ଓ  ଷଡଯନ୍ତ୍ରକାରୀ ଏଯାବତ୍ ଧରାପଡିନାହିଁ  । ଏଠି ପୋଲିସରାଜ ଚାଲିଛି  । ଶ୍ୱେତପତ୍ରରେ ବହୁତ କିଛି ଲୁଚାଯାଇଛି  । ଅଭିଯୁକ୍ତକୁ ପାଗଳ ସାବ୍ୟସ୍ତ କରିବାକୁ ସରକାର ବ୍ୟତିବ୍ୟସ୍ତ  ।