ଭୁବନେଶ୍ୱର: ଆଜି ବି ରାଜଧାନୀ ଭୁବନେଶ୍ୱର ରାଜର ସବୁଠାରୁ ଉତପ୍ତ ସହର ପରିଗଣିତ ହୋଇଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି । ଏଠାରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମାର୍ଚ୍ଚ ପହିଲାହରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି କେନ୍ଦ୍ର ଆକଳନ କରିଥିଲା । କିନ୍ତୁ ନିର୍ଧାରିତ ସମୟର ୩ଦିନ ପୂର୍ବରୁ ଆଜି ପାରଦ ୪୦ ଡେଇଁ ଯାଇଛି । ସବୁଠୁ ଉତପ୍ତ ସହର ଭାବେ ଗତ ୩ଦିନ ହେଲାହ ଦେଶରେ ରେକର୍ଡ କରିଥିବା ଭୁବନେଶ୍ୱର ଆଜି ବି ନିଜ ରେକର୍ଡ ବଜାୟ ରଖିଛି ।
ଗତକାଲି ଏଠାରେ ରାଜ୍ୟର ସବୋର୍ଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ରେକର୍ଡ ହୋଇଛି । ରାଜଧାନୀରେ ଆଜି ଅପରାହ୍ନ ୪ଟା ପର୍ଯର୍ର୍୍ୟନ୍ତ ବି ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଏହା ପଛକୁ ରାଜ୍ୟର ୪ଟି ସହରର ତାପମାତ୍ରା ୩୮ ଡିଗ୍ରି ରହିଥିବା ବେଳେ ୯ ସହରରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା । ଫଳରେ ମାଘ ନ ଯାଉଣୁ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଫେବ୍ରୁଆରିରେ ଏଭଳି ଗ୍ରୀଷ୍ମ ପ୍ରକୋପ କିଛି ନୂଆ ନୁହେଁ । ଗତ ୧୦ ବର୍ଷ ଭିତରେ ୨୦୧୬ ଫେବ୍ରୁଆରି ୨୦ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରି ରେକର୍ଡ ହୋଇଥିଲା । ଆଉ ପଛକୁ ଗଲେ, ୧୯୬୩ ଫେବ୍ରୃଆରୀ ୨୩ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା, ଯାହା ସର୍ବାକାଳୀନ ରେକର୍ଡ ବୋଲି କୁହାଯାଇପାରେ । ତେବେ ଆଗାମୀ ୨୪ ଘଂଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।