ଭୁବନେଶ୍ୱର: ଚଳିତବର୍ଷ ପ୍ରାୟତଃ ୟୁଜି ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ଅନୁଷ୍ଠିତ ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଏହି ସୂଚନା ଦେଇ କହିଛନ୍ତି ଯେ, ପରୀକ୍ଷା ହେବ ନା ନାହିଁ ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୧୮ ତାରିଖରେ ନିଆଯିବ । ଆସନ୍ତା ୭ ଦିନ ଭିତରେ କୁଳପତିମାନେ ସେମାନଙ୍କ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବ । ଗତବର୍ଷ ପରୀକ୍ଷାକୁ ନେଇ ଆଲୋଚନା ହୋଇଛି । ଅନେକ ରାଜ୍ୟ ସରକାର ପରୀକ୍ଷା ବାତିଲ କରିଥିବା ବେଳେ ଓଡ଼ିଶା ସରକାର ପରୀକ୍ଷା କରିଥିଲେ । ମହାମାରୀ ଯୋଗୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ଥିବାରୁ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । କୋର୍ସ ଶେଷ ହେବା ସହ ପରୀକ୍ଷା କରାଇବା ଦିଗରେ ସମସ୍ତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମତାମତ ନେବେ କୁଳପତି । ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରିବା ପରେ ସରକାରଙ୍କୁ ଜଣାଇବେ ଏବଂ ସରକାର ଆଗାମୀ ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।