ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ଶାସକ ଓ ବିରୋଧି ଦଳର ସଦସ୍ୟମାନେ ପୁଣି ମୁହାଁମୁହିଁ ହେବା ଯୋଗୁଁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭା ଅଧିବେଶନ ଅଚଳ ହୋଇ ପଡିଛି । ଏପରିକି ମଧ୍ୟ ଗୁରତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରିନାହିଁ । ଧାନ ମଣ୍ଡିର ଅବବ୍ୟସ୍ଥା ଏବଂ ବିଧାୟକ ଆତ୍ମହତ୍ୟା ଉଦ୍ୟମକୁ ନେଇ ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ବିଭିନ୍ନ ଧ୍ୱନୀମାନ ଦେବା ସହ ହଟ୍ଟୋଗଳ କରିବାଯୋଗୁଁ ବାଚସ୍ପତି ଶ୍ରୀ ସୁର୍ଯ୍ୟନାରାୟଣ ପାତ୍ର ୨ଥର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଫଳରେ ଆଜି କ୍ରମାଗତ ଚତୃର୍ଥ ଦିନ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇପାରିନାହିଁ ।
ଆଜି ପୂର୍ବାହ୍ନ ସାଢେ ୧୦ ଟା ସମୟରେ ଗୃହର ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଧାନମଣ୍ଡିର ଅବବ୍ୟସ୍ଥାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲିଆସି ବିଭିନ୍ନ ଧ୍ୱନୀମାନ ଦେବା ସହ ହଟ୍ଟୋଗଳ କରିଥିଲେ । ସେହିପରି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଠାରୁ କ୍ଷମାପ୍ରାର୍ଥନା ଦାବିରେ ଶାସକ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟଗୋଳ କରିଥିଲେ । ଫଳରେ ଗୃହର ବାତାବରର ଅଶାନ୍ତ ହୋଇପଡିବାରୁ ବାଚସ୍ପତି ଶ୍ରୀ ପାତ୍ର ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପୁର୍ଣ୍ଣବାର ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଚାଷୀଙ୍କ ଠାରୁ ଧାନକିଣିବା ଦାବିରେ ହଟଗୋଳ କରିଥିଲେ । ଶାସକ ଦଳର ସଦସ୍ୟମାନେ ମଧ୍ୟ ବିଧାୟକଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବିରେ ଅଟଳ ରହି ବିଭିନ୍ନ ଧ୍ୱନୀମାନ ଦେଇଥିଲେ । ତେବେ ପରିସ୍ଥିତି ଅଣାୟତ ହୋଇପଡିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ବିଧାନସଭାର ଚଳିତ ବଜେଟ୍ ଅଧିବେଶନର କ୍ରମାଗତ ୪ର୍ଥ ଦିନ ପାଇଁ ଧାନମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଠାରୁ ଧାନ କିରିବା ଦାବି ଯୋଗୁଁ ଗୃହ ଅଚଳ ହୋଇ ପଡିଛି ।
ଅନ୍ୟପକ୍ଷରେ ମଣ୍ଡିରୁ ଚାଷୀଙ୍କ ଧାନ ନ ଉଠିବା ପର୍ଯ୍ୟନ୍ତ ଗୃହକୁ ଚଳାଇଦିଆଯିବ ନାହିଁ ବୋଲି କଂଗ୍ରେସ ଘୋଷଣା କରିଛି । ସେହିପରି ବିଧାୟକ କ୍ଷମା ପ୍ରଶ୍ନ ଉଠୁନାହିଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି । ମନ୍ତ୍ରୀ ମାନେ କାହିଁକି ଗୃହର ମଧ୍ୟ ଭାଗକୁ ଆସି ହଟଗୋଳ କଲେ ସରକାର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପି ବିଧାୟକ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହକୁ ଚଳାଇଦିଆଯିବ ନାହିଁ ବୋଲି ବିଜେଡି ଘୋଷଣା କରିଛି ।

Leave A Reply

Your email address will not be published.

one × five =