ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହାମାରୀ କରୋନା ଯୋଗୁଁ ଗତବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଥିବା ବେଳେ ପୁରୀ ବାସୀ ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ ବୋଲି ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରଥଯାତ୍ରା ପାଇଁ ପୁରା ପୁରୀ ସହରରେ ୧୪୪ଧାରା ରଥାଯାତ୍ରାର ଗୋଟିଏ ରାତି ପୁର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ବଳବତର ରହିବ । ସେହିପରି ବଡଦାଣ୍ଡରେ ମଧ୍ୟ କଫ୍ୟୁ ଜାରୀ କରାଯିବ । ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଘର ଗୁଡିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ । କାରଣ ଏହା ବି କଫ୍ରୁ୍ୟ ଅଧିନରେ ଯାଉଛି । ରଥଯାତ୍ରାବେଳେ ଲୋକେ ଘର ଭିତରେ ରହିବେ ।
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ବଡଦାଣ୍ଡରେ ଥିବା ହୋଟେଲ ଓ ଲଜ୍ ଗୁଡିକୁୁ ଦୁଇ ଦିନ ପୁର୍ବରୁ ଖାଲି କରିଦିଆଯିବ । ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ଲୋକେ ରହିପାରିବେ, କିନ୍ତୁ କଫ୍ରୁ୍ୟବେଳେ ବହାରାକୁ ଯାଇପାରିବେ ନାହିଁଁ । ପୁରୀ ଏଏସପି କହିଛନ୍ତି ଯେ, ବଡଦାଣ୍ଡରେ ୨୦୦ରୁ ଅଧିକଘର ରହିଛି । ଘରଗୁଡିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଆଦୌ ଅନୁମତି ଦିଆଯିବ ନାହିଁ । ଏଥିପାଇଁ ପୋଲିସ ମୁତୟନ ହେବେ । ଲୋକମାନଙ୍କୁ ଏନେଇ ସଚେତନ ମଧ୍ୟ କରାଯିବ । ସେହିପରି ବଡଦାଣ୍ଡରେ ପ୍ରାୟ ୪୧ ଟି ହୋଟେଲ ଓ ଲଜ୍ ରହିଛି । ନିଷ୍ପତି ପ୍ରକାରେ ରଥଯାତ୍ରାର ଦୁଇଦିନ ପୁର୍ବରୁ ପର୍ଯ୍ୟଟକଙ୍କୁ ରଖିବାକୁ ବୁକିଂ ନକରିବାକୁ ସେମାନଙ୍କୁ କୁହାଯାଇଛି । ଏହି ହୋଟେଲ ଓ ଲଜ୍ ଗୁଡିକୁ ଖାଲି କରାଯିବ । ହୋଟେଲ ଓ ଲଜ୍ ମାଲିକମାନଙ୍କ ସହ ବୈଠକ କରାଯାଇ ସେମାନଙ୍କୁ ସଚେତନ କରାଯିବ । ସୁଚନାଯୋଗ୍ୟ, କରୋନା ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରିରେ ରଥଯାତ୍ରା ହେବ । ବିନା ଭକ୍ତରେ ଓ ଅନେକ କଟକଣା ମଧ୍ୟରେ ଏଠାରେ ରଥଯାତ୍ରା କରିବାକୁ ସରକାର ନିଷ୍ପତି ନେଇଛନ୍ତି । ରଥଯାତ୍ରା ପାଇଁ ଏବେ ରଥ ନିର୍ମାଣ କାମ ଦୃତ ଗତିରେ ଆଗେଇ ଚାଲିଛି ।

Leave A Reply

Your email address will not be published.

three − 2 =