ଭୁବନେଶ୍ୱର,୧୧.୬(ନି.ପ୍ର.): ଅନଲକ-୧.୦ ଘୋଷଣା ହେବା ପରେ ଏବେ ପୁଣି ଆଂଚଳିକ ପରିବହନ କାର୍ଯ୍ୟାଳଗୁଡ଼ିକ ଚଳଚଂଚଳ ହେବାକୁ ଯାଉଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ସେଭଳି ଗହଳି ଚହଳି ଦେଖାଯିବ ନାହିଁ । ଯେଉଁମାନେ ଲାଇସେନ୍ସ ପାଇଁ ତାରିଖ ଓ ସମୟ ପାଇବେ ସେମାନେ କେବଳ ପରିବହନ କାର୍ଯ୍ୟାଳୟକୁ ଯିବେ । କାର୍ଯ୍ୟାଳୟରେ ସାମାଜିକ ଦୂରତାକୁ ବଜାୟ ରଖିବା ଲାଗି ସୀମିତ ଆବେଦନକାରୀଙ୍କୁ ଅନୁମତି ଦିଆଯିବ । ଏସମ୍ପର୍କରେ ଗୁରୁବାର ବିସ୍ତୁତ ଭାବେ ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବବହନ କମିସନର ସଞ୍ଜୀବ କୁମାର ପଣ୍ଡା । ମାର୍ଚ୍ଚ ୧୮ରୁ ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍ଲାଇନ୍ରେ ଆବେଦନ କରି ପରୀକ୍ଷା ଦେବାକୁ ସମୟ ପାଇଥିଲେ,ସେମାନଙ୍କୁ ପୁନର୍ବାହ ସମୟ ମିଳିବ । କେବଳ ସେମାନଙ୍କୁ ସ୍ଥଟ୍ ଦିଆଯିବ । ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ଜୁନ୍ ୧୮ରୁ ପୁନର୍ବାର ସ୍ଲଟ୍ ପାଇବା ଲାଗି ଆବେଦନ କରିବାକୁ ଅନଲାଇନରେ ସୁଯୋଗ ପାଇବେ । ନୂତନ ଅନ୍ଲାଇନ୍ ଲାଇସେନ୍ସ ଅବେଦନ ପାଇଁ ଖୁବ୍ଶୀଘ୍ର ଦିନ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଏଥିପାଇଁ ନିର୍ଧାରିତ ସମୟରେ ପରିବହନ କାର୍ଯ୍ୟାଳୟକୁ ଆସିବା ପାଇଁ ଯେତିକି ଆବେଦନକାରୀଙ୍କୁ ସ୍ଲଟ୍ ବା ତାରିଖ ମିଳିବ ସେମାନେ ପରୀକ୍ଷା ଦେବାକୁ କାର୍ଯ୍ୟାଳୟକୁ ଆସିବାର ସୁଯୋଗ ପାଇବେ । ଏହାଫଳରେ ସାମଜିକ ଦୂରତା ରକ୍ଷା କରିବା ସମ୍ଭବ ହେବ । ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ସେହିପରି ଜୁନ୍ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀଙ୍କୁ ପରୀକ୍ଷା ଦେବା ପାଇଁ ସ୍ଲଟ୍ ପାଇବା ଲାଗି ଅନ୍ଲାଇନ୍ରେ ଆବେଦନ ଲାଗି ସୁଯୋଗ ମିଳିବ ବୋଲି ପରିବହନ କମିସନର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଲାଇସେନ୍ସ ଅବଧି ଶେଷ ହୋଇଯାଇଛି ସେମାନେ ସେପ୍ଟେମ୍ବର ୩୦ ପରେ ନବୀକରଣ କରିପାରିବେ । ସେ ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ କୋହଳ କରାଯାଇଛି ।