ଜୁୁନ୍ ୧ଯାଏଁ ବଢିଲା ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ଜୁନ୍ ମାସ ୧ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଆସନ୍ତାକାଲି ୧୯ ତାରିଖ ସକାଳ ୫ଟାରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେଉଥିଲା ।
ଏଠାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ର ରାଜ୍ୟରେ ବଳବତର ଥିବା ଲକ୍‌ଡାଉନ୍ ଆଉ ୨ସପ୍ତାହ ବୃଦ୍ଧି ପାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍‌୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତର ରହିବ । ସେହିପରି ପୂର୍ବରୁ ରାଜ୍ୟରେ ଜାରୀ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍ ପୂର୍ବଭଳି କାଏମ ରହିବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ବଳବତର ରହିବ । ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ବଳବତର ରହିବ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଲକ୍‌ଡାଉନ୍ ସମୟରେ କୋହଳ ଅବଧିକୁ ୬ଘଂଟାରୁ ୪ଘଂଟା୍‌କୁ ହ୍ରାସ କରିଛନ୍ତି । ଏଣିକି ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପରିବାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସମୟରେ ଲୋକମାନେ ନିଜ ଘର ନିକଟରୁ ତଥା ୫୦୦ ମିଟର ପାଦରେ ଚାଲି ପନିପରିବା ଓ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପନିପରିବା ଓ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯର୍୍ୟନ୍ତ ଖୋଲା ରହିଥିଲା । ତେବେ ରାଜ୍ୟରେ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋହଳ ଅବଧିକୁ ୨ଘଂଟା ହ୍ରାସ କରିଛନ୍ତି । ଲକ୍‌ଡାଉନ୍ ସମୟରେ ଘରେ ଭିତରେ ରହିବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିିଛନ୍ତି । ନିହାତି ଆବଶ୍ୟକ ନଥିଲେ ଘର ବାହାରକୁ ଯିବା ମନା ।
ସେ ଆହୁରି କହିଛନ୍ତି ଯେ, ବାହାଘର, ଶୁଦ୍ଧଘର ଓ ବ୍ରତଘରରେ ଯୋଗଦାନ ପାଇଁ ମାତ୍ର ୨୫ଜଣଙ୍କୁ ସରକାର ଅନୁମତି ଦେଇଛନ୍ତି । ପୂର୍ବରୁ ଏହି ସମସ୍ତ ସାମାଜିକ ଉତ୍ସବ ପାଇଁ ୫୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ତେବେ ବାହାଘର ଓ ବ୍ରତଘର, ଶୁଦ୍ଧଘରରେ ଭୋଜିଭାତକୁ ନିଷିଦ୍ଧ କରାଯାଇଛି । ଉତ୍ସବରେ କାହାରିକୁ ବସାଇ ଖାଇବାକୁ ଦିଆଯିବା ବାରଣ କରାଯାଇଛି । ମାତ୍ର ପ୍ୟାକେଟ୍‌ରେ ଭୋଜିଭାତ ଦେଇପାରିବେ ।
ଅନ୍ୟପକ୍ଷରେ ରାଜ୍ୟ ଭିତରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ, ମାଲ୍ ପରିବହନକୁ ସରକାର ଅନୁମତି ଦେଇଥିଲା ବେଳେ କୃଷି, ପଶୁପାଳନ ଓ ମତ୍ସଚାଷ ଜାରୀପାଇଁ ଅନୁମତି ପ୍ରଦାନ କରିଛନ୍ତି । ନିର୍ମାଣ କାର୍ଯ୍ୟ ଜାରୀ ରହିବ । ନିର୍ମାଣ ସାମଗ୍ରୀ ମିଳୁଥିବା ଦୋକାନ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ସ୍ୱାସ୍ଥ୍ୟ ଓ ବ୍ୟାକିଂ ସେବାକୁ ସରକାର ଅନୁମତି ଦେଇଛନ୍ତି । ତେବେ କେତେ ସଂଖ୍ୟକ କର୍ମଚାରୀକୁ ନେଇ ବ୍ୟାକଂ ଖୋଲା ରହିବ ସେ ନେଇ ସରକାର ପରେ ନିର୍ଦ୍ଦେଶ ନାମା ଜାରୀ କରିବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍ ଖୋଲା ରହିବ । ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ଅଫିସ୍ ୧୦% କର୍ମଚାରୀକୁ ନେଇ କାର୍ଯ୍ୟ କରିବେ । ପୋଲିସ୍ ବିଭାଗ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଗ୍ରାମାଞ୍ଚଳରେ ମହାମାରୀ ଏବେ ମୁଣ୍ଡଟେକିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଚାୟତରାଜ ବିଭାଗ କାର୍ଯ୍ୟକ୍ରମ ହାତକୁ ନେଇଛି । ସରକାର ସରପଞ୍ଚମାନଙ୍କୁ ମଧ୍ୟ କ୍ଷମତା ପ୍ରଦାନ କରିଛନ୍ତି । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ତାଲିକା ଏଣିକି ପ୍ରସ୍ତୁତ ହେବ ଏବଂ ସେମାନଙ୍କୁ ନିଜଘରେ ସଙ୍ଗରୋଧରେ ରଖାଯିବ । ସରପଞ୍ଚମାନେ ଏହି କାର୍ଯ୍ୟ ତଦାରଖ କରିବେ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଘର ଘର ବୁଲି ଆସନ୍ତା ୩ମାସ ପର୍ଯ୍ୟନ୍ତ ସର୍ଭେ କରିବେ ବୋଲି ସେ କହିଛନ୍ତି । ପୂର୍ବପରି ସିମେଂଟ, ରଡ୍ଡ, ମୋଟର ଗ୍ୟାରେଜ୍ ଏବଂ ବହି, ଆଦି ଦୋକାନ ଖୋଲା ରହିବ । କେବଳ ଦୁଗ୍ଧ ବଂଟନ ପାଇଁ ଓମ୍‌ଫେଡ ଦୋକାନ ଖୋଲା ରହିବ ମାତ୍ର ଚା’ କିମ୍ବା କଫି ବ୍ରିକି କରିପାରିବେ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ମହାମାରୀ କରୋନାର ମୁକାବିଲା କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କୁ ଆହୁରି ସହଯୋଗ ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

19 − fourteen =