ତାତି ବଢୁଛି: ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡା ୪୧.୨, ହୀରାକୁଦ ୪୧.୨ ଡିଗ୍ରୀ ଥିଲା । ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ ।
ସୂଚନାଯୋଗ୍ୟ ଯେ, ପାଣିପାଗ ବିଭାଗ ଏପ୍ରିଲ୍ ୨ ତାରିଖ ଯାଏ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ୨୦ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ବରଗଡ, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ଏହି ଜିଲ୍ଲାର ଲୋକମାନଙ୍କୁ ଅଧିକ ସତର୍କ ରହିବାକୁ ପାରିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା ୪୮ ଘଂଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବଲାଙ୍ଗିର ଓ ସୋନପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଦକ୍ଷିଣପୂର୍ବ ବଙ୍ଗୋପସଗାର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୪୮ ଘଂଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପରବର୍ତୀ ୨୪ ଘଂଟାରେ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ । ଆକାଶ ବାଦଲରେ ଆଛାଦିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି । ସେହିପରି ୩ ତାରିଖରୁ ପାଗରେ ସାମାନ୍ୟ ପରିବର୍ତନ ଆସିପରେ । ଏପ୍ରିଲ୍ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ଉପକୂଳବର୍ତୀ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ରାୟଗଡା ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତୀ ଓଡିଶାର କିଛି ଜିଲ୍ଲା ଯଥା ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କୋରାପୁଟରେ ଘଡଘଡି ଏବଂ ବିଜୁଳି ସହ ପବନର ଘଂଟାପ୍ରତି ୩୦ରୁ ୪୦ କିମି ବେଗରେ ବୋହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

2 × four =