ଭୁବନେଶ୍ୱର : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ ପ୍ରାୟ ୭ଟାରେ ସମୟରେ ତାଙ୍କ ମୃତ୍ୟୁ ଘଟିଛି । ସ୍ୱର୍ଗତଃ କାନୁନଗୋ କଟକ ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ସେ ୩ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭାବେ ଭୂମିକା ନିର୍ବାହ କରୁଥିଲେ । ଏହାସହ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ସେ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ବର୍ଗର ନେତୃବର୍ଗ ଗଭୀର ଶୋକପ୍ରକାଶ କରିଛନ୍ତି । ଆସନ୍ତା ରବିବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସ୍ୱର୍ଗତଃ କାନୁନଗୋଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ୱର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଜି ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ ( ସିଏମସି ) କାର୍ଯ୍ୟାଳୟକୁ ନିଆଯାଇଥିଲା । ସିଏମସି ପକ୍ଷରୁ ମେୟର ସୁବାଷ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିସନର ନିଖିଲ ପୱନ କଲ୍ୟାଣ, ପୂର୍ବତନ ମେୟର ଅନିତା ବେହେରା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପରେ ମରଶରୀରକୁ ତାଙ୍କ ଶେଖ ବଜାରସ୍ଥିତ ବାସଭବନକୁ ନିଆଯାଇଥିଲା । ଶେଷରେ ଅନ୍ତେଷ୍ଟି ପାଇଁ ଅଡଶପୁରସ୍ଥିତ ତାଙ୍କ ପୈତୃକ ବାସ ଭବନକୁ ନିଆଯାଇଛି । ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଜଣେ ସଚ୍ଚୋଟ ଜନ ସେବକ ଭାବରେ ସ୍ୱର୍ଗତ କାନୁନଗୋ କେବଳ କଟକ ନୁହେଁ ସମଗ୍ର ରାଜ୍ୟରେ ବେଶ ଜଣାଶୁଣା ଥିଲେ । କଟକ ମୁନି୍ସପାଲଟିରେ ସେ ନଗରପାଳ ଥିବା ସମୟରେ ସହର ସଫେଇ ଓ ମଶା ନିପାତ କ୍ଷେତ୍ରରେ ନେଇଥିବା ପଦକ୍ଷେପ ଓ କାର୍ଯ୍ୟ ପ୍ରଣାଳୀ ବେଶ ପ୍ରଭାବ ପକାଇଥିଲା, ଯାହା ଆଜିବି ସମସ୍ତଙ୍କ ମନରେ ରହିଛି ବୋଲି ମତ ବ୍ୟକ୍ତ ପ୍ରକାଶ ପାଇଥିଲା ।