ଭୁବନେଶ୍ୱର: ଜଣେ, ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଲେ, କୌଣସି ଅଫିସ୍ ବନ୍ଦ ହେବନାହିଁ ଓ କେବଳ ଆକ୍ରାନ୍ତ କର୍ମଚାରୀ ଶେଷ ୪୮ ଘଂଟା ଭିତରେ ଅଫିସ୍ରେ ଯେଉଁ ସବୁ ସ୍ଥାନକୁ ଯାଇଥିାବେ, ତାହାକୁ ବିଶୋଧନ (ସାନିଟାଇଜ୍) କରାଯିବ । ଉକ୍ତ ଅଫିସରୁ କିନ୍ତୁ ଯଦି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରନ୍ତି, ପୂରା ବିଲ୍ଡିଂକୁ ବିଶୋଧନ ୪୮ ଘଂଟା ପାଇଁ କରାଯିବ । ସମସ୍ତ କର୍ମଚାରୀ ଘରୁ ରହି କାମ କରିବେ । ନିୟମ ମୁତାବକ ଠିକ୍ ଭାବେ ବିଲ୍ଡିଂ ବିଶୋଧନ ପରେ ପୁଣି ଥରେ ଅଫିସ୍ କାମ ଚାଲିବ । ଏଭଳି ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ । କୋଭିଡ୍ ସଙ୍କଟ ଭିତରେ ଅଫିସ୍କୁ ନେଇ ଆଜି ରାଜ୍ୟ ସରକାର କଡ଼ା ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ କୁହାଯାଇଛି, ପ୍ରତ୍ୟେକ ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଅତିକମ୍ରେ ୬ ଫୁଟ ଶାରିରୀକ ଦୂରତା ରକ୍ଷା କରିବାକୁ ହେବ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବାରମ୍ବାର ହାତ ସଫା କରିବାକୁ ପଡିବ । ଏପରିକି ହାତ ପରିଷ୍କାର ଦେଖା ଯାଉଥିଲେ ବି ବାରମ୍ବାର ସଫା କରିବାକୁ ହେବ । ପ୍ରତି ଥର ୪୦ରୁ ୭୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ସଫା କରିବ । ଦରକାର । ଏହାସହ ସମସ୍ତେ ଆଲ୍କୋହକ ଯୁକ୍ତ ସାନିଟାଇଜ୍ ବ୍ୟବହାର କରିବା ଉଚିତ୍ । କାଶ ଓ ଛିଙ୍କ ସମୟରେ ଟିସୁ, ରୁମାଲ କିମ୍ବା କହୁଣୀରେ ମୁହଁକୁ ଘୋଡାଇବା ଦରକାର । କୌଣସି କର୍ମଚାରୀ ଫ୍ଲୁ ଜନିତ ଲକ୍ଷଣ ଥିଲେ ଅଫିସ୍ ନ ଆସି ତୁରନ୍ତ ୧୦୪କୁ ଫୋନ୍ କରି ପରାର୍ମଶ ନେବେ । ଯଦି କୌଣସି କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରନ୍ତି କିମ୍ବା ପଜିଟିଭି ଚିହ୍ନଟ, ତୁରନ୍ତ ନିଜ ନିଜ ଅଫିସକୁ ଜଣାଇବା ଦରକାର । କଂଟେନମେଂଟ ଜୋନ୍ରେ ରହୁଥିବା କର୍ମଚାରୀଙ୍କୁ ନିଜ ଘରେ ରହି କାମ (ୱାର୍କ ଫ୍ରମ୍ ହୋମ୍) ପାଇଁ ଚାହୁଥିଲେ, ଏ ନେଇ ଅଫିସ କର୍ତୃପକ୍ଷ ଅନୁମତି ଦେବାକୁ ହେବ । ଜଣେ କିମ୍ବା ଅଳ୍ପ କିଛି କର୍ମଚାରୀ ରୁଦ୍ଧଦ୍ୱାର କୋଠରୀରେ କାମ କରୁଥିବା ବେଳେ ଯଦି କରୋନା ଲକ୍ଷଣ ଜଣାପଡେ, ତୁରନ୍ତ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ଦରକାର । ୧୦୪ ଫୋନ୍ କରି ଜଣାଇବା ସହ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବା ନିହାତି ଆବଶ୍ୟକ ।