ଭୁବନେଶ୍ୱର:  ପେଟ୍ରୋଲ ଓ ଡିଜେଲ୍ର ଦୈନଦିନ ମୂଲ୍ୟ ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି ।  ତୈଳ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି କରିଛନ୍ତି ।  ମାଲକାନଗିରିରେ ଏବେ ପେଟ୍ରୋଲ ଟ.୧୦୨.୨୩ ଓ ଡିଜେଲ ଟ.୧୦୦.୦୧କୁ ବୃଦ୍ଧି ପାଇଛି । 
 ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୧୬ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୧୧ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ୯୭.୭୬ ଓ ଡିଜେଲ ୯୫.୭୦ ରେ ବିକ୍ରି ହେଉଛି । ବାଲେଶ୍ୱରରେ ପେଟ୍ରୋଲ ଟ. ୯୭.୧୬ ଓ ଡିଜେଲ ଟ.୯୫.୧୨ରେ ବିକ୍ରି ହେଉଛି ।
 ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ବିକ୍ରି ହେଉଛି ।