ପୂର୍ବବତ୍ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରାବାହୀ ଟ୍ରେନ୍ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି । ହେଲେ ସ୍ପେଶାଲ ଟ୍ରେନ୍ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଯେଉଁ ସ୍ପେଶାଲ ଟ୍ରେନରେ ମେ’ ୧୨ ଓ ଜୁନ୍ ପହିଲାଠାରୁ ସ୍ୱତନ୍ତ୍ର ରୁଟ୍ ଓ ଟାଇମ୍ ଟେବୁଲ୍ରେ ଚଳାଚଳ କରୁଛି ତାହା ସେହିଭଳି ଜାରି ରହିବ । ଲକ୍ଡାଉନ୍ ପରେ ଏହି ଟ୍ରେନ୍ଗୁଡ଼ିକର ଯେଉଁମାନେ ଟିକେଟ୍ କରିଛନ୍ତି ତାହା ବିଧିମାନ୍ୟ ବା ଭ୍ୟାଲିଡ୍ ରହିବ । ଅନ୍ୟପକ୍ଷରେ ପୂର୍ବରୁ ଜୁନ୍ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାତିଲ ହୋଇଥିବା ନିୟମିତ ମେଲ୍/ ଏକ୍ସପ୍ରେସ୍ ଟ୍ରେନ୍, ପ୍ରିମିୟମ ଟ୍ରେନ୍, ଇଂଟରସିଟି ଓ ଲୋକାଲ ପାସେଞ୍ଜର ସହ ମେମୁ ଟ୍ରେନ୍ଗୁଡ଼ିକ ମଧ୍ୟ ପୁନର୍ବାର ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଯେତେସବୁ ଟ୍ରେନରେ ଟିକେଟ୍ କରିଥିବା ଯାତ୍ରୀଙ୍କୁ ନିୟମାନୁସାରେ ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରାଯିବ । ସେହିଭଳି ଲକ୍ଡାଉନ୍ ପୂର୍ବରୁ ହୋଇଥିବା ଟିକେଟଗୁଡ଼ିକ ବାତିଲ ହୋଇଯିବ । ସେସବୁ ଟିକେଟ ସମ୍ପୂର୍ଣ୍ଣ ଦେୟ ମଧ୍ୟ ଫେରନ୍ତ ହେବ । ରେଳପଥ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ନୂଆଦିଲ୍ଲୀ ମଧ୍ୟରେ ଏବେ ଏକ ଯୋଡ଼ା ରାଜଧାନୀ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଥିବାବେଳେ ଓଡ଼ିଶାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ୬ ଯୋଡ଼ା ସ୍ପେଶାଲ ଟେନ୍ ଚଳାଚଳ କରୁଛି । ସେହିଭଳି ରାଜ୍ୟ ମଧ୍ୟରେ ୬ଟି ସ୍ୱିନନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ମେ’ ୧ରୁ ଆରମ୍ଭ ହୋଇଥିବା ରାଜଧାନୀ ସ୍ପେଶାଲ ଟ୍ରେନରେ ସର୍ବାଧିକ ଯାତ୍ରା ଯାତାୟତ କରିଛନ୍ତି । ମେ’ ୧୩ରୁ ଜୁନ୍ ୨୪ ମଧ୍ୟରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ର ଅକୁ୍ୟପାନ୍ସି ୧୦୪% ରହିଥିବା ବେଳେ ଭୁବନେଶ୍ୱର- ନୂଆଦିଲ୍ଲୀ ୪୫.୪୭% ରହିଥିଲା । ଅନ୍ୟପକ୍ଷରେ ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସିଥିବା ଟ୍ରେନ୍ର ଆକ୍ୟୁପନ୍ସି ଅଧିକ ରହିଥିବାବେଳେ ରାଜ୍ୟ ଟ୍ରେନ୍ରେ ଅପେକ୍ଷାକୃତ କମ୍ ଯାତ୍ରୀ ଯାତାୟତ କରିଛନ୍ତି । ଅଧିକାଂଶ ଅନ୍ତଃରାଜ୍ୟ ଟ୍ରେନ୍ରେ ୭୦%ରୁ ଅଧିକ ଯାତ୍ରୀ ଯାତାୟତ କରିଥିବା ବେଳେ ଆନ୍ତଃରାଜ୍ୟ ଟ୍ରେନରେ ସିଟ୍ ସଂଖ୍ୟାର ମାତ୍ର ୨୦ରୁ ୩୦% ଯାତ୍ରୀ ଯାତାୟତ କରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

three × two =