ପୃଥିବୀ ଉପରେ ଗ୍ରହାଣୁ ମାଡ ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ପୃଥିବୀ ନଷ୍ଟ ହୋଇଯିବ ଏଭଳି ଏକ ଭୟାନକ କଥା ବାରମ୍ବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ସଧାରଣ ଲୋକମାନେ ଭୟଭୀତ ହେବା ସହ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ସୃଷ୍ଟି ହେଉଛି । ଏଭଳି ଆଶଙ୍କାକୁ ନେଇ ୨୦୧୬ ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ ଅନୁମୋଦିତ ହୋଇଥିଲା ଯେ ପ୍ରତି ବର୍ଷ ଜୁନ ୩୦କୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୁପେ ପାଳନ କରାଯିବ । ସେହି ଦିନ ଠାରୁ ଏହାକୁ ପାଳନ କରାଯାଉଛି । ୧୯୪ଟି ଦେଶର ଜ୍ୟୋର୍ତିବିଜ୍ଞାନୀ ଓ ବୈଜ୍ଞାନୀମାନେ ବିଳିତ ଭାବେ ପୃଥିବୀ ପ୍ରତି ବିପଦ ଥିବା ସବୁ ପିଣ୍ଡ ଉପରେ ଗବେଷଣା କରିବା ସହ ସେମାନେ ଯେପରି ପୃଥିବୀ କୌଣସି କ୍ଷତି କରିପାରିବ ନାହିଁ ସେଥିପ୍ରତି ଯତ୍ନବାନ ଅଛନ୍ତି । ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡଦ୍ୱାରା ପୃଥିବୀ ପ୍ରତି କିଛି ବିପତି ନାହିଁ । ତେଣୁ ଆମର ଭୟଭୀତ ହେବାର କୌଣସି ଆବସ୍ୟକତା ନାହିଁ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମ ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୁଚନା ଦେଇଛନ୍ତି । ଶ୍ରୀପଟ୍ଟନାୟକଙ୍କ ମତରେ ଗ୍ରହାଣୁର ଆକାର ଯେତେ ବଡ ପୃଥିବୀରେ ସେଗୁଡିକ ପଡିବା ସମ୍ଭାବନା ସେତେ କମ ରହିଛି । ଚନ୍ଦ୍ରକୁ ସୃଷ୍ଟି କରିଥିବା ପରି ବିରାଟ ଗ୍ରହାଣୁ ୪୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡୁଥିଲା ବେଳେ ଶୀତଳ ଯୁଗ ଆଣିଥିବା ଗ୍ରହାଣୁ ୨୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡିଥାଏ; କିନ୍ତୁ ୧୯୦୮ ମସିହାରେ ସାଇବେରିଆରେ ତୁଙ୍ଗାସ୍କାରେ ପଡିଥିବା ଗ୍ରହାଣୁ ଭଳି ଅନ୍ୟ ଏକ ଗ୍ରହାଣୁ ୧ହଜାର ବର୍ଷରେ ଖସିବାର ସମ୍ଭାବନା ରହିଛି । ତେବେ ପୃଥିବୀ ନିକଟରେ ଥିବା ଏଭଳି ପିଣ୍ଡ ଗୁଡିକୁ ଠାବ କରି ସେମାନଙ୍କ ଆକାର, ଗଠନ ଗଣନା କରାଯାଇଛି । ପୃଥିବୀ ସହିତ ଧକ୍କା ହେବାରେ ସମ୍ଭାବନାକୁ ଆକଳନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ବର୍ତମାନ ସୁଦ୍ଧା ପ୍ରାୟ ୨ହଜାର ପିଣ୍ଡ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀରେ ଧକ୍କା ହେବାର ସମ୍ଭାବନା ରହିଛି । ସେଗୁଡିକୁ ମହାକାଶରେ ଧ୍ୱଂସ କରାଯାଇପାରିବ ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥିବୀ କକ୍ଷ ପଥରୁ ଦୁରେଇ ଦିଆଯାଇପାରିବ ସେଥିପାଇଁ ବିଭିନ୍ନ ଯୋଜନା କରାଯାଉଛି ବୋଲି ସେ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.

1 × two =